ପ୍ରବଳ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ, ଚିନ୍ତାରେ ମକା-ଧାନ ଚାଷୀ

ରାଜ୍ୟର ଯେ କୌଣସି କୋଣରେ ବର୍ଷା, ଲଘୁଚାପ ବର୍ଷା ହେବାର  ନାଁ ଧରିବା ମାତ୍ରକେ ନବରଙ୍ଗପୁର ସହରରେ ବର୍ଷା ହେବା ଏକରକମର ଥୟ। ମଙ୍ଗଳବାର ସକାଳୁ କଳାହାଣ୍ଡିଆ ମେଘ ଆସିବା ସହ ସମଗ୍ର ଅଂଚଳ କଳାବାଦଳରେ ଘୋଡେଇ ହୋଇଥିଲା।

heavy rain

heavy rain Photograph: (sambad.in)

ନବରଙ୍ଗପୁର: ରାଜ୍ୟର ଯେ କୌଣସି କୋଣରେ ବର୍ଷା, ଲଘୁଚାପ ବର୍ଷା ହେବାର  ନାଁ ଧରିବା ମାତ୍ରକେ ନବରଙ୍ଗପୁର ସହରରେ ବର୍ଷା ହେବା ଏକରକମର ଥୟ। ମଙ୍ଗଳବାର ସକାଳୁ କଳାହାଣ୍ଡିଆ ମେଘ ଆସିବା ସହ ସମଗ୍ର ଅଂଚଳ କଳାବାଦଳରେ ଘୋଡେଇ ହୋଇଥିଲା। ବାଧ୍ୟ ହୋଇ ପୌରପାଳିକା ପକ୍ଷରୁ ସବୁ ଷ୍ଟ୍ରୀଟ ଲଗାଇ ଦେଇଥିଲେ। ଏପରିକି ରାସ୍ତାରେ ଯାଆସ କରୁଥିବା ଯାନବାହାନ ରାତି ପରି ଲାଇଟ୍ ଲଗାଇ ଯିବା ଆସିବା କରୁଥିବା ଦେଖିବାକୁ ମିଳିଥିଲା।

ପ୍ରବଳ ପବନ ବୋହିବା ସହ ବର୍ଷା ହେବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିଲା। ସହର ପାର୍ଶ୍ବ ରହିଥିବା ଇନ୍ଦ୍ରାବତୀ ନଦୀ, ନାଳ ଆଦିରୁ ପାଣିର ସ୍ରୋତ ଠିକେ କମି ଆସିଥିବା ବେଳେ ପୁଣି ବର୍ଷା ପରେ ଏସବୁ ପୁରି ଉଠିଛି। ଜମି ଗୁଡ଼ିକରେ ବି ପାଣି ଚାଳିବା ଆରମ୍ଭ ହୋଇଛି।

ଖରିଫ ଚାଷ ପାଇଁ ପ୍ରାକଃ ପ୍ରସ୍ତୁତି  କରିବାକୁ ଚାଷୀମାନେ ଅଣ୍ଟା ଭିଡ଼ିଥିବା ବେଳେ ଆଜି ଆଉ ଜମିକୁ ଯାଇ ପାରିନାହାନ୍ତି। ବର୍ଷା ଆସିବା ମାତ୍ରକେ ଗାଁ ଗହଳିରେ ଯେଭଳି ପ୍ରଭାବ ପଢ଼ୁଛି ତାହାର ଦ୍ବିଗୁଣା ସହରର ବସ୍ତି ଅଂଚଳରେ ଦେଖିବାକୁ ମିଳିଛି। ବସ୍ତି ବାସିନ୍ଦାମାନେ କାମ ଧନ୍ଦା କରିବାକୁ ବି ବାହାରି ପାରୁ ନାହାନ୍ତି। ଗାଁ ଗହଳିରୁ ସହରକୁ ଆସି ପନିପରିବା ବିକ୍ରି କରୁଥିବା, ଦିନ ମଜୁରିଆମାନଙ୍କ ଉପରେ ବର୍ଷାର ପ୍ରଭାବ ବେଶି ମାତ୍ରାରେ ଦେଖିବାକୁ ମିଳିଛି।

ସହରର ବିଭିନ୍ନ ଛକ ଓମୁଖ୍ୟରାସ୍ତା, ଦୈନିକ ବଜାର, ଦ୍ବିତୀୟ ଦୈନିକ ବଜାର ଆଦିରେ ରାସ୍ତା ଉପରେ ବସି ପନିପରିବା ବିକ୍ରୀ କରୁଥିବା ମହିଳା ମାନେ ବର୍ଷାକୁ ଖାତିର ନ କରି ସେଭଳି ରାସ୍ତା ଉପରେ ପଲିଥିନ୍ ପକାଇ ଏସବୁ ବିକ୍ରୀ କରୁଥିବା ଦେଖିବାକୁ ମିଳିଛି। ପନି ପରିବା, କଂଚା କାଜୁ ମଂଜି ଆଦି ଘରେ ନେଇ ରଖି ଦେଲେ ନଷ୍ଟ ହେବ ଏବଂ ବଡ଼ଧରଣର କ୍ଷତି ସହିବାକୁ ପଡ଼ିବ ବୋଲି ଏହି ଛୋଟ ବେପାରୀ ମହିଳାମାନେ କହିଛନ୍ତି। ଖାସ୍ କରି ରବି ଧାନ ଓ ମକା ଚାଷୀଙ୍କ ଉପରେ ବି ପ୍ରଭାବ ପଡିଛି। ଧାନ ଓ ମକା ରାସ୍ତା ଉପରେ ସୁଖାଇଥିବା ବେଳେ ଆଜି ସକାଳର ପ୍ରବଳ ପବନ ଓ ବର୍ଷାରେ ମକା ଓ ଧାନ ଓଦା ହୋଇଛି। ଉଭୟରେ ଆଦ୍ରାତା ଅଧିକା ରହିଥିବାରୁ କିଭଳି ବିକ୍ରି କରିବେ ଚିନ୍ତାରେ ଚାଷୀ। ବର୍ଷା ଲାଗି ରହିଥିବାରୁ ନାଳନର୍ଦ୍ଧମା ଗୁଡିକରେ ପାଣି ଜମା ହୋଇ ବାହାରକୁ ଉଛୁଳି ରାସ୍ତା ଉପରେ ଚାଳୁଥିବା ଦେଖିବାକୁ ମିଳିଥିଲା।

ଦିନ ତମାମ ନବରଙ୍ଗପୁର ସହରରେ ପ୍ରବଳ ବର୍ଷା ଲାଗି ରହିଥିବା ଦେଖିବାକୁ ମିଳିଥିଲା। ବର୍ଷା ଠିକେ ବଢ଼ିବା ମାତ୍ରକେ ବିଦ୍ୟୁତ କାଟ୍ ହେଉଛି। ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଜିଲ୍ଲାପାଳଙ୍କ ପକ୍ଷରୁ ତହସିଲ, ବ୍ଲକ, କୃଷି, ଉଦ୍ୟାନ ବିଭାଗ ଆଦିକୁ ବର୍ଷାରେ କ୍ଷୟକ୍ଷତିର ରିପୋର୍ଟ ତୁରନ୍ତ ଦେବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। 

Farmers | Nabarangpur 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe