ରେଢ଼ାଖୋଲ: ହାତୀ ମୃତ୍ୟୁ ଘଟଣାରେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଡିଏଫଓ ଅରବିନ୍ଦ ମହାନ୍ତିଙ୍କୁ ବଦଳି କରାଯାଇଛି। ତାଙ୍କୁ ପିସିସିଏଫ୍ ଅଫିସକୁ ବଦଳି କରାଯାଇଛି। ଏଣେ ସମ୍ବଲପୁର ଡିଏଫଓ କୁଲାଙ୍ଗେ ଗୋରଖ ଉମ୍ୟାନ୍ ଙ୍କୁ ରେଢ଼ାଖୋଲ ଡିଏଫଓ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ପୂର୍ବରୁ ରେଢ଼ାଖୋଲ ଡିଏଫଓ ଅରବିନ୍ଦ ମହାନ୍ତିଙ୍କୁ ତାଗିଦ୍ କରାଯାଇଥିଲା। ସେ ଠିକ ଭାବେ ଡ୍ୟୁଟି କରିନାହାନ୍ତି ବୋଲି ଅଭିଯୋଗ ମଧ୍ୟ ହୋଇଥିଲା। ବନ ବିଭାଗ ପକ୍ଷରୁ ଏନେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ବି କହିଥିଲେ।
ରେଢ଼ାଖୋଲ ଡିଏଫଓ ଅରବିନ୍ଦ ମହାନ୍ତିଙ୍କୁ ଟ୍ରାନ୍ସଫର କରିବା ପାଇଁ ବଡ଼ ବିଭାଗର ଯୋଜନା ରହିଥିବା କୁହାଯାଉଥିଲା। ହାତୀ ମୃତ୍ୟୁ ଘଟଣାରେ ତଳସ୍ତରରେ ସମ୍ପୃକ୍ତ ଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେମାନଙ୍କୁ ନିଲମ୍ବିତ କରାଯାଇଛି।
ସୂଚନାଯୋଗ୍ୟ, ଜିଲ୍ଲାର ରେଢ଼ାଖୋଲ ଜଙ୍ଗଲ ବିଭାଗର ନାକଟିଦେଉଳ ପରିସରରେ ଶିକାରୀମାନଙ୍କ ଦ୍ୱାରା ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ପରେ ଦୁଇଟି ପୂର୍ଣ୍ଣ ବୟସ୍କ ମାଈ ହାତୀ ଏବଂ ଗୋଟିଏ ଶିଶୁହାତୀର ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଖୋଜା ଚାଲିଥିବା ବେଳେ ଦୁଇଜଣ ସନ୍ଦିଗ୍ଧ ଶିକାରୀଙ୍କୁ ଅଟକ ରଖାଯାଇଥିବା ଅଧିକାରୀମାନେ କହିଥିଲେ।
Follow Us