Kalinga Ghati Photograph: (sambad.in)
ଘୁ.ଉଦୟଗିରି: ଦକ୍ଷିଣ ଓଡ଼ିଶାରୁ ପଶ୍ଚିମ ଓଡ଼ିଶାକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିରେ ବିପଦ ସଂକୁଳ ଅବସ୍ଥାରେ। ଦୀର୍ଘ ଦୁଇ ବର୍ଷ ହେଲା ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୧୧କୋଟି ଟଙ୍କା ବ୍ୟୟରେ କଳିଙ୍ଗାଘାଟିର ଅନ୍ଧାରକୋଟ ସଙ୍କୁଚିତ ରାସ୍ତାକୁ ପ୍ରଶସ୍ତ କରିବା ନିମନ୍ତେ ଏକ ବାହାର ରାଜ୍ୟର ଠିକା କମ୍ପାନି ଟେଣ୍ଡର ପାଇ ଦୁଇ ବର୍ଷ ହେଲା କାର୍ଯ୍ୟ ଆରମ୍ଭ କରି ରାସ୍ତାରେ ଏକ ପାର୍ଶ୍ଵରେ ପଥର ପାଚେରୀ ଉଠେଇବା ସହ ମାଟି ଭର୍ତ୍ତି କରିଚାଲିଥିବା ବେଳେ ଗତବର୍ଷ ଫଥର ଯୋଡ଼େଇ ହୋଇଥିବା ପ୍ରାୟ ୨୦ମିଟର ଚଉଡାକୁ ୩୦ମିଟର ଉଚ୍ଚତାର ପଥର ପାଚେରୀ ଭୁଶୁଡ଼ି ପଡ଼ିଯାଇଥିଲା।
ଠିକା କମ୍ପାନି ତାପରେ ପୁନର୍ବାର ତାର ଜାଲି ଦେଇ ପଥର ପାଚେରୀ ଉଠେଇ ଶହ ଶହ ଟ୍ରିପ ମାଟି ମୋରମ ଢାଳି ରାସ୍ତା ପର୍ଯ୍ୟନ୍ତ ଆଣିବାକୁ ଚେଷ୍ଟା କରିବା ସମୟରେ ଚାରିଦିନ ତଳେ ଲଗାଣ ବର୍ଷାରେ ପୁନର୍ବାର ଉପରୁ ତଳ ପର୍ଯ୍ୟନ୍ତ ପଥର ପାଚେରୀ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବା ସହ ଯେତେ ଟ୍ରିପ ମାଟି ପଡ଼ିଥିଲା। ତାହା ମଧ୍ୟ ତଳକୁ ଧସେଇ ଖସିଗଲା। କାରଣ ଏହି ଅନ୍ଧାରକୋଟ ଘାଟି ଏକ ସଂକୀର୍ଣ୍ଣ ରାସ୍ତା ହୋଇଥିବା ବେଳେ ଗୋଟିଏ ପାର୍ଶ୍ଵରେ ବିରାଟ ସୁଉଚ୍ଚ ପାହାଡ଼ ଅନ୍ୟ ପଟରେ ବଡ଼ ଗର୍ତ ଶହ ଶହ ଫୁଟର।
ଏପରି ସ୍ଥଳରେ ଏହି ବିପଦପୂର୍ଣ୍ଣ କାର୍ଯ୍ୟ ନିମନ୍ତେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ସବୁ ଦିଗକୁ ଲକ୍ଷ କରି ସମ୍ପୂର୍ଣ୍ଣ ରୂପରେଖ ପ୍ରସ୍ତୁତ କରି କୋଟି କୋଟି ଟଙ୍କା ଖର୍ଚ୍ଚରେ ଏହି କରିବା ସତ୍ତ୍ୱେ ଏହା ବାରମ୍ବାର ଭୁଶୁଡ଼ିଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ପ୍ରଶ୍ନ ଉଠୁଛି ଏହି କାର୍ଯ୍ୟ ଏଷ୍ଟିମେଟ ରୂପରେଖ ସଠିକ ହୋଇନି ନା ଠିକା କମ୍ପାନି ଠିକ ଭାବେ ଏଷ୍ଟିମେଟ ଅନୁସାରେ କାର୍ଯ୍ୟ କରୁନି। ଚାରିଦିନ ତଳେ ଭୁଶୁଡିଥିବା ପଥର ପାଚେରୀ ଏବଂ ମାଟି ଅତଡ଼ା ଭିତରେ ଦୁଇଟି ପ୍ରୋକଲେନ ମେସିନ ମାଟି ଭିତରେ ଦବି ଯାଇଥିଲା।ସୌଭାଗ୍ୟ ବଶତଃ କାହାର କୌଣସି କ୍ଷତି ହୋଇନଥିଲା।ଏହି ଦୁଇ ମେସିନ ବାହାର କରିବା ପାଇଁ ଠିକା କମ୍ପାନୀ ନାକେଦମ ହୋଇଗଲେଣି କାରଣ ଏଥିରେ ବିପଦ ଅଛି ଏହାସହ ଲଗାଣ ବର୍ଷା ବ୍ୟାଘାତ ସୃଷ୍ଟି କରୁଛି।
ଅନ୍ୟପକ୍ଷରେ ଲଗାଣ ବର୍ଷା ଯୋଗୁଁ ପୁନର୍ବାର କାର୍ଯ୍ୟ ବି ଆରମ୍ଭ ହୋଇପାରିନି। ଆଗକୁ ଏହି କାର୍ଯ୍ୟ ହେବକି ନାହିଁ ସନ୍ଦେହ ଉପୁଜିଲାଣି କାରଣ ବାରମ୍ବାର ଏହିଭଳି ପଥର ପାଚେରୀ ଭୁଶୁଡ଼ିବା ଯୋଗୁଁ ଠିକା କମ୍ପାନି କୋଟିକୋଟି ଟଙ୍କା କ୍ଷତି ସାହୁଥିବା ଶୁଣିବାକୁ ମିଳୁଛି। ଦେଖାଯାଉ କଳିଙ୍ଗାଘାଟିର ଅନ୍ଧାରକୋଟ ସଂକୀର୍ଣ୍ଣ ରାସ୍ତା କେବେ ପ୍ରଶସ୍ତ ହେଉଛି ଏବଂ ସୁରକ୍ଷା ପାଚେରୀ ନିର୍ମାଣ କେବେ ସମାପ୍ତ ହେଉଛି।
Kandhamal | Kalinga ghati
Follow Us