ଜିଲ୍ଲାପରିଷଦ ଉନ୍ନୟନ ସମୀକ୍ଷା: ‘ସବୁ ଗାଁକୁ ରାସ୍ତା ନିର୍ମାଣ କର’

ଜିଲ୍ଲାପାଳ ଭାବେ ଡ.ମହେଶ୍ବର ସ୍ବାଇଁ ଯୋଗ ଦେବା ପରେ ଆଜି ପ୍ରଥମ କରି ନବରଙ୍ଗପୁର ଜିଲ୍ଲାପରିଷଦ ଜରିଆରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଏମଜିନରେଗା, ସ୍ବଚ୍ଛଭାରତ ଓ ଗ୍ରାମ୍ୟ ଜଳଯୋଗାଣ, ପ୍ରଧାନମନ୍ତ୍ରୀ ଆବସ, ସମଗ୍ର ଶିକ୍ଷା ଆଦିର ସମୀକ୍ଷା କରିଥିଲେ। 

ngp-zillaporishad review (1)

ନବରଙ୍ଗଗପୁର: ଜିଲ୍ଲାପାଳ ଭାବେ ଡ.ମହେଶ୍ବର ସ୍ବାଇଁ ଯୋଗ ଦେବା ପରେ ଆଜି ପ୍ରଥମ କରି ନବରଙ୍ଗପୁର ଜିଲ୍ଲାପରିଷଦ ଜରିଆରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଏମଜିନରେଗା, ସ୍ବଚ୍ଛଭାରତ ଓ ଗ୍ରାମ୍ୟ ଜଳଯୋଗାଣ, ପ୍ରଧାନମନ୍ତ୍ରୀ ଆବସ, ଅ‌ନ୍ତୋଦ୍ୟୟ ଆବସ, ରାଜ୍ୟ ଓ କେନ୍ଦ୍ର ଅର୍ଥ କମିସନ ସହ ପଂଚାୟତିରାଜ ବିଭାଗର ବିଭିନ୍ନ ଉନ୍ନୟନମୂଳକ ଯୋଜନା, ସମଗ୍ର ଶିକ୍ଷା ଆଦିର ସମୀକ୍ଷା କରିଥିଲେ। 

ଜିଲ୍ଲାପାଳ ନିର୍ଦ୍ଦାରିତ ସମୟ ୧୦ଟାରେ ପହଚିଂବା ବେଳେ ବହୁ ବ୍ଲକର ବିଡିଓ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଜିଲ୍ଲାପରିଷଦ ଗୃହରେ ଅନୁପସ୍ଥିତ ରହିଥିବା ଦେଖିବା ପରେ ଖୁବ ବିଗଡ଼ିଥିଲେ। ସମୟାନୁବର୍ତ୍ତିତା ଓ ଶୃଙ୍ଖଳିତ ନଥିବା କର୍ମଚାରୀମାନେ ଜିଲ୍ଲାର ଉନ୍ନୟନମୂଳକ କାମ କିଭଳି କରୁଥିବେ ତାହା ସହଜେ ଅନୁମେୟ ବୋଲି ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଚିଂ ନାରାୟଣ ଦରୱାନଙ୍କୁ କହିଥିଲେ। କେଉଁ ଅଧିକାରୀ ଓ କର୍ମଚାରୀମାନେ ଅନୁପସ୍ଥିତ ରହିଛନ୍ତି ଏବଂ ବିଳମ୍ବରେ ଆସିଛନ୍ତି ତାଙ୍କ ତାଲିକା ପ୍ରସ୍ତୁତ କରି କାରଣଦର୍ଶାଅ ନୋଟିସ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ମଇଦଳପୁର ପଂଚାୟତର ଜବାଗୁଡା ଗାଁର ମହିଳା ରାସ୍ତା ନଥିବାରୁ ମରିଯିବା ଘଟଣାକୁ ନେଇ ଜିଲ୍ଲାପାଳ ଉଦବେଗ ପ୍ରକାଶ କରିଥିଲେ। ସବୁ ବ୍ଲକର ସବୁ ଗାଁକୁ ଭଲ ରାସ୍ତା ତୁରନ୍ତ ନିର୍ମାଣ କରିବାକୁ ଦେଇଥିଲେ ନିର୍ଦ୍ଦେଶ।

ଏମଜି ନରେଗାରେ ଏବର୍ଷ କିଛି କାମ ଆରମ୍ଭ ହୋଇ ନଥିବା ବେଳେ ୨୭ଟି କାମର ଅନୁମୋଦନ ହୋଇଥିବା ଜାଣିବା ପରେ ଜିଲ୍ଲାପାଳ ବିଗଡ଼ିଥିଲେ। ପକ୍କାଘର , ଅନ୍ତ‌ୋଦ୍ୟୟ ପକ୍କାଘର ଆଦି ନିର୍ମାଣରେ ମନ୍ତରତାକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ନାବାଳିକା ବିବାହ ରୋକିବା ଦିଗରେ  ପଂଚାୟତର ପିଇଓ, ସରପଂଚ ମାନଙ୍କୁ ଅଧିକାରୀ ଭାବେ ଦାୟିତ୍ବ ସରକାର ଦେଇଛି। ଏହାକୁ ରୋକିବା ଦିଗରେ ବ୍ଲକର ବିଡିଓ ମାନେ ସମ୍ପୁର୍ଣ୍ଣ ରୁପେ ଦାୟିତ୍ବ ନେବାକୁ ଜିଲ୍ଲାପାଳ ‌ନିର୍ଦ୍ଦେଶ ଦେଇଥିଲେ।  ନାବାଳିକା ବିବାହ , ଚେଙ୍କ ଦିଆ  ଭଳି ସାମାଜିକ ବ୍ୟାଧିକୁ ରୋକିବା ଓ ନିରାପଦ ମାତୃତ୍ବର ସଚେତନତା ସୃଷ୍ଟି  ଦିଗରେ ବିଡିଓ ମାନେ ପ୍ରମୁଖ ଭୂମିକା ନିଅନ୍ତୁ ବୋଲି ଜିଲ୍ଲାପାଳ କହିଥିଲେ।  

କେନ୍ଦ୍ର ଓ ରାଜ୍ୟ ଅର୍ଥକମିଶନରୁ ମିଳିଥିବା ଅନୁଦାନ ଅର୍ଥକୁ ନେଇ ବ୍ଲକୱାରୀ ସମୀକ୍ଷା କରିଥିଲେ। ଗତ ୫ବର୍ଷ ହେବ ବିଭିନ୍ନ ବ୍ଲକ  ଖର୍ଚ୍ଚ ନ କରି କୋଟି କୋଟି ଟଙ୍କା ନିଜ ନିକଟରେ ରଖିଥିବା ଜାଣିବା ପରେ ଜିଲ୍ଲାପାଳ ସବୁ ବିଡିଓଙ୍କ ଉପରେ ବିଗଡ଼ିବା ସହ ଆସନ୍ତା ଶୁକ୍ରବାର ସୁଦ୍ଧା କେଉଁ ବ୍ଲକରେ କେତେ ଟଙ୍କା ବଳକା ରହିଛି , ବିନିଯୋଗ ପ୍ରମାଣପତ୍ର କେତେ ଦାଖଲ କରିଛନ୍ତି ତୁରନ୍ତ ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ସରକାର ଜନସାଧାରଣଙ୍କ ସୁବିଧା ସକାଶେ ସବୁ ବ୍ଲକରେ କୋଟି କୋଟି  ଟଙ୍କା ଅନୁଦାନ ଦେଉଛନ୍ତି। ତାକୁ ଖର୍ଚ୍ଚ ନ କରି କାହିଁକି ପକାଇ ରଖିଛ ବୋଲି ଜିଲ୍ଲାପାଳ ବିଗଡ଼ିଥିଲେ। ଟଙ୍କା ଫେରିଗଲେ ‌କିଏ ଉତ୍ତରଦାୟୀ ରହିବ ବୋଲି ବିଡିଓ ମାନଙ୍କୁ ପ୍ରଶ୍ନ କରିଥିଲେ ଜିଲ୍ଲାପାଳ। ଜିଲ୍ଲାସ୍ତରୀୟ ଅଧିକାରୀ ଓ ବ୍ଲକସ୍ତରୀୟ ଅଧିକାରୀ ମାନେ ନିୟମିତ ଭାବେ କ୍ଷେତ୍ର ପରିଦର୍ଶନ କରୁ ନାହାନ୍ତି କି ବୋଲି ଜିଲ୍ଲାପାଳ ପ୍ରଶ୍ନ କରିଥିଲେ। ଗାଁକୁ ରାସ୍ତା ନଥିବା , ରାସ୍ତା ଖରାଫ ଥିବା, ପୁନଃରୁଦ୍ଧାର ରାସ୍ତା ଆଦିର ସର୍ଭେ କରିବା ସହ ତୁରନ୍ତ ଏସବୁକୁ ମରାମତି କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ଏଥିରେ ବିଭିନ୍ନ ଲାଇନ୍ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ,  ବ୍ଲକର ବିଡିଓ, ଏବିଡିଓ, ଏପିଓ, ଏଇଇ, ଜିପିଇଓ ଆଦି ଯୋଗ ଦେଇଥିଲେ।  

Nabarangpur 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe