ମନ୍ତ୍ରୀଙ୍କ ସମୀକ୍ଷା ବୈଠକ: ଉଚ୍ଚ ଶିକ୍ଷା ସହ ଉଚିତ ଶିକ୍ଷା ନିମନ୍ତେ ଗୁରୁତ୍ବାରୋପ

ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମାଲକାନଗିରି ଜିଲ୍ଲାରେ ବିଭିନ୍ନ ବିଭାଗର ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ମନ୍ତ୍ରୀ ଅନୁସୂଚୀତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଓ ଶିକ୍ଷା ବିଭାଗ ଅଧିନରେ ଆସୁଥିବା ସମସ୍ତ ବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ କରିବା ପାଇଁ ଗୁରୁତ୍ଵାରୋପ କରିଛନ୍ତି।

minister review meeting

minister review meeting Photograph: (Sambad )

ମାଲକାନଗିରି: ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମାଲକାନଗିରି ଜିଲ୍ଲାରେ ବିଭିନ୍ନ ବିଭାଗର ସମୀକ୍ଷା କରିଛନ୍ତି। ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ମନ୍ତ୍ରୀ ଅନୁସୂଚୀତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଓ ଶିକ୍ଷା ବିଭାଗ ଅଧିନରେ ଆସୁଥିବା ସମସ୍ତ ବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ କରିବା ପାଇଁ ଗୁରୁତ୍ଵାରୋପ କରିଛନ୍ତି। ଶିକ୍ଷାର ମାନ ବୃଦ୍ଧି, ନିରନ୍ତର ଭାବେ ଅଧିକାରୀଙ୍କ ବିଦ୍ୟାଳୟ ପରିଦର୍ଶନ, ମହିଳା ଛାତ୍ରୀଙ୍କ ସୁରକ୍ଷା ଇତ୍ୟାଦି ଉପରେ ଧ୍ୟାନ ଦେବା ପାଇଁ କୁହାଯାଇଛି। ଉଚ୍ଚ ଶିକ୍ଷା ସହ ଉଚିତ୍ ଶିକ୍ଷା ମାଧ୍ୟମରେ ବିକାଶ ସମ୍ଭବ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି। 

ସେହିପରି ଜିଲ୍ଲାର ସ୍ବାସ୍ଥ୍ୟ ଭିତ୍ତିଭୂମି, ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ନିର୍ମାଣ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ସହ ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ କାମ ତ୍ଵରାନିତ କରିବା ଉପରେ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା କରିବା ପାଇଁ କୁହାଯାଇଛି। ସେହିପରି ଜଙ୍ଗଲ ବିଭାଗକୁ ଜଙ୍ଗଲ ନିଆଁକୁ ରୋକିବା ପାଇଁ କି ପଦକ୍ଷେପ ନିଆ ଯାଇଛି ପଚାରି ବୁଝିଥିଲେ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ତ୍ୟଦୟ ଗୃହ ଯୋଜନାରେ କେତେ ହିତାଧିକାରୀ ଉପକୃତ ହୋଇପାରିଛନ୍ତି ସେ ବିଷୟରେ ମନ୍ତ୍ରୀ ପଚାରି ବୁଝିଥିଲେ। ପିଏମ୍ ଜନମନ ଯୋଜନା ମାଧ୍ୟମରେ ଜିଲ୍ଲାର ଦୁଇ ଆଦିମ ବଣ୍ଡା ଓ ଦିଦାୟୀ ଜନଜାତିଙ୍କୁ ଆବାସ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ସୂଚନା ଦେଇଥିଲେ। ମତ୍ସ୍ୟ ଓ ଅଣ୍ଡା ଉତ୍ପାଦନ କ୍ଷେତ୍ରରେ ଆମ ଜିଲ୍ଲା ସ୍ବାବଲମ୍ବୀ ହେବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ପଶୁପାଳନ ନେଇ ମନ୍ତ୍ରୀ କହିଛନ୍ତି ଯେ ଅଧିକ ଗୋପାଳନ ଓ ଛେଳି ପାଳନ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏମଏସଏମଇ ବିଭାଗକୁ ମଧ୍ୟ ଜିଲ୍ଲାରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ସ୍ଥିତି ପଚାରି ବୁଝିଛନ୍ତି। ଜିଲ୍ଲାରେ ଡାଲମିଆ ଓ ଆମ୍ବୁଜା ପକ୍ଷରୁ ଦୁଇ ଗୋଟି ବୃହତ୍ ସିମେଣ୍ଟ ଉଦ୍ୟୋଗ ସ୍ଥାପନ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ସାମାଜିକ ସୁରକ୍ଷା ବିଭାଗକୁ ପେନସନ ସୁବିଧା ଓ ଜିଲ୍ଲା ମଙ୍ଗଳ ବିଭାଗକୁ ସୁଭଦ୍ରା ଯୋଜନା ବିଷୟରେ ପଚାରି ବୁଝିଥିଲେ। ଆଜି ସୁଦ୍ଧା ଜିଲ୍ଲାରେ ୧ ଲକ୍ଷ ୪୮ ହଜାର ୭୦୯ ଟି ସୁଭଦ୍ରା ଦରଖାସ୍ତ ଗ୍ରହଣ କରାଯାଇଛି। ସେଥିରୁ ୧ ଲକ୍ଷ ୩୪ ହଜାର ୬୧୦ ଜଣଙ୍କୁ ସୁଭଦ୍ରା ରାଶି ମିଳିଛି।

ସେହିପରି ପ୍ରତ୍ୟେକ ପଞ୍ଚାୟତରେ ଲକ୍ଷପତି ଦିଦି ସୃଷ୍ଟି କରିବା ପାଇଁ ପ୍ରୋତ୍ସାହନ କରନ୍ତୁ ବୋଲି ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କୃଷି ଓ ବିଦ୍ୟୁତ ବିଭାଗ ସହ ମଧ୍ଯ ଆଲୋଚନା କରାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ନବରଂଗପୁର ଲୋକସଭା ସାଂସଦ ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସମାରୀ ତାଙ୍ଗୁଲ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ଡଃ ବାଦଲ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ଓ  ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ମଞ୍ଚାସୀନ ଥିଲେ। ପରିଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe