ମାଲକାନଗିରି: ଲଗାଣ ବର୍ଷା ଓ ବନ୍ୟା ସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କ ଏକ ପ୍ରତିନିଧି ଦଳ ମାଲକାନଗିରି ଗସ୍ତ କରିଛନ୍ତି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ଅଗ୍ନିଶମ ବିଭାଗ ଡିଜି ଡ଼ଃ ସୁଧାଂଶୁ ଷଡ଼ଙ୍ଗୀ ଓ ଦକ୍ଷିଣାଞ୍ଚଳ ପୁଲିସ ଡିଆଇଜି ଚରଣ ସିଂ ମୀନା ମଙ୍ଗଳବାର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏହି ପରିସ୍ଥିତି ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି।
ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଓ ଆରକ୍ଷୀ ଅଧିକ୍ଷକ ନୀତେଶ ୱାଧୱାନୀ ଲଗାଣ ବର୍ଷାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ପ୍ରସ୍ତୁତି ସଂପର୍କରେ ପ୍ରତିନିଧି ଦଳଙ୍କୁ ଅବଗତ କରାଇଥିଲେ। ପ୍ରାଥମିକତା ଭିତ୍ତିରେ ବିଜୁଳି ସଂଯୋଗୀକରଣ, ପାନୀୟ ଜଳ ଯୋଗାଣ ଓ ପ୍ରାଣୀ ସମ୍ପଦଙ୍କ ନିମନ୍ତେ ପଦକ୍ଷେପ ନେବା ପାଇଁ ଶ୍ରୀ ସେଠୀ ଗୁରୁତ୍ଵାରୋପ କରିଥିଲେ। ସମସ୍ତ କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିଗ୍ରସ୍ତଙ୍କୁ ଅନୁକମ୍ପା ମୂଳକ ସହାୟତା ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ଶ୍ରୀ ସେଠୀ ସୂଚନା ଦେଇଛନ୍ତି।
ସେହିପରି ଜିଲ୍ଲାରେ ସଂପୂର୍ଣ୍ଣ ସ୍ଥିତି ସ୍ଵାଭାବିକ ହେବା ପର୍ଯ୍ୟନ୍ତ ଓଡରାଫ୍ ଦଳ ସେବା ପ୍ରଦାନ କରିବେ ବୋଲି ଅଗ୍ନିଶମ ଡିଜି ସୂଚନା ଦେଇଛନ୍ତି। ଏହି ସମ୍ବେଦନଶୀଳ ସ୍ଥିତି ନେଇ ରାଜ୍ୟ ସରକାର ଅନବରତ ଦୃଷ୍ଟି ରଖିଛନ୍ତି ବୋଲି ଡ଼ଃ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟରେ ନିଷ୍ଠାପର ଭାବେ ସେବା ପ୍ରଦାନ କରିଥିବା ଅଗ୍ନିଶମ କର୍ମଚାରୀଙ୍କୁ ରାଜ୍ୟ ସ୍ତରରେ ପୁରସ୍କୃତ କରାଯିବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି। ଏହି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଅଧିକ ଆବଶ୍ୟକୀୟ ମାନବ ସମ୍ବଳ ଓ ଯନ୍ତ୍ରପାତି ଯୋଗାଇ ଦିଆଯିବ।
ସୂଚନାଯୋଗ୍ୟ, ୪୪୩ କ୍ଷତିଗ୍ରସ୍ତ ପରିବାରକୁ ପଲିଥିନ୍ ଯୋଗାଇ ଦିଆଯାଇଛି। ୫୪ ଜଣ ଗର୍ଭବତୀ ମା‘ମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଅଗ୍ନିଶମ ବାହିନୀ ଦ୍ବାରା ୨୭ ଜଣଙ୍କୁ ଉଦ୍ଧାର ସହିତ ୧୭୫ ଜଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଜିଲ୍ଲାରେ ୬ଟି ଓଡରାଫ ଦଳକୁ ମୁତୟନ କରାଯାଇଛି। ୫ଟି ଅଗ୍ନିଶମ ଦଳ ଉଦ୍ଧାର କାର୍ଯ୍ୟରେ ନ୍ୟସ୍ତ ଥିବା ବେଳେ ୩ ଟି ଦଳ ରାସ୍ତା ସଫେଇ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।
ଏହି ସମ୍ବେଦନଶୀଳ ପରିସ୍ଥିତିରେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଓ ମୁକାବିଲା ନିମନ୍ତେ ରାଜ୍ୟ ପ୍ରତିନିଧି ଦଳ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲାର ଜନସାଧାରଣଙ୍କ ସହଯୋଗ ନିମନ୍ତେ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତପନ ନାରାୟଣ ରଥ ପ୍ରମୁଖ ଉପସ୍ଥିତ ଥିଲେ।
Follow Us