ରାଉରକେଲା: ରାଉରକେଲା ବିମାନବନ୍ଦର ପାଇଁ ପୁଣି ବଢ଼ିଛି ଅଡୁଆ। ଗତ ଅକ୍ଟୋବରରୁ ସେଲ୍ ସହ ଏୟାର ଅଥରିଟି ଅଫ୍ ଇଣ୍ଡିଆ (ଏଏଆଇ) ହୋଇଥିବା ବାର୍ଷିକ ଚୁକ୍ତିନାମା ଶେଷ ହୋଇଛି। ‘ଉଡାନ୍’ ଯୋଜନା ମଧ୍ୟ ବନ୍ଦ ହୋଇଯାଇଛି। ଆଗକୁ ଆଉ ଏଏଆଇ ସହ ଚୁକ୍ତିନାମା କରିବ ନାହିଁ ବୋଲି ସେଲ୍ ଅଧ୍ୟକ୍ଷଙ୍କୁ ବିଭାଗୀୟ ଅଧିକାରୀ ଚିଠି ଲେଖି ସାରିଥବା ଆର୍ଏସ୍ପି ଅଫିସର ସଂଘର ପୂର୍ବତନ ସଦସ୍ୟ ବିମଳ ବିଶି କହିଛନ୍ତି। ସେଲ୍ ମଧ୍ୟ ଓଡ଼ିଶା ସରକାରକୁ ବିମାନବନ୍ଦର ଦେବାକୁ ପୂର୍ବରୁ ସହମତି ପ୍ରକାଶ କରି ସାରିଛି। ଏଭଳି ସ୍ଥିତିରେ ରାଜ୍ୟ ସରକାର ରାଉରକେଲା ବିମାନବନ୍ଦରକୁ ଏଏଆଇକୁ ହସ୍ତାନ୍ତର ନକଲେ ସମସ୍ୟା ବଢ଼ିବ। ରାଉରକେଲା ବିମାନବନ୍ଦରରେ କାର୍ଯ୍ୟ କରୁଥିବା ୧୨ ଅଧିକାରୀ ଓ କର୍ମଚାରୀଙ୍କୁ ଏଏଆଇ ହଟାଇ ନେବ। କୌଣସି ସୁବିଧାସୁଯୋଗ ପୂର୍ବପରି ଦେବେ ନାହିଁ। ଯାହା ସିଧାସଳଖ ପ୍ରଭାବ ବିମାନ ଉଡାଣ ଉପରେ ପଡ଼ିବ। କାରଣ ଗତ ଦୁଇ ମାସ ଧରି ସେଲ୍ ଏଏଆଇକୁ ଲାଇସେନ୍ସ ଫି’ ଦେଉନାହାନ୍ତି। କେବଳ ଆର୍ଏସ୍ପିର କିଛି କର୍ମଚାରୀ ବିମାନବନ୍ଦରରେ କାମ କରୁଛନ୍ତି।
ତିନି ବର୍ଷ ମଧ୍ୟରେ ସେଲ୍ ଏଏଆଇକୁ ଲାଇସେନ୍ସ ଫି’ ବାବଦରେ ୯ କୋଟି ଟଙ୍କା ପ୍ରଦାନ କରିଛି
ଓଡ଼ିଶା ସରକାରଙ୍କ ପକ୍ଷରୁ ଅଗ୍ନିଶମ, ସିକ୍ୟୁରିଟି ଓ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଉଛି। ଲାଇସେନ୍ସ ଫି’ ବାବଦରେ ଉଷା ପାଢ଼ୀ ଏଏଆଇର ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ସାମୟିକ ସମୟ ପାଇଁ ସମସ୍ୟାର ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏଭଳି ଘଡ଼ିସନ୍ଧି ମୂହୂର୍ତ୍ତରେ ଯଦି ରାଜ୍ୟ ସରକାର ଏଏଆଇକୁ ବିମାନବନ୍ଦର ହସ୍ତାନ୍ତର ପକ୍ରିୟା ଆରମ୍ଭ ନ କରନ୍ତି, ଯେଉଁ ୯ ଆସନ ବିଶିଷ୍ଟ ବିମାନ ଉଡୁଛି, ତା’ ବନ୍ଦ ହୋଇଯିବ। ନିକଟରେ ରାଜ୍ୟ ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢ଼ୀ ରାଉରକେଲା ଗସ୍ତରେ ଆସି ରାଉରକେଲା ବନ୍ଦର ସମ୍ପ୍ରସାରଣ ସମ୍ପର୍କରେ ଆର୍ଏସ୍ପିର ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଅଲୋଚନାରେ ସେମିତି କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଇପାରିନି। ରାଉରକେଲା ବିମାନବନ୍ଦର ସହ ସେଲ୍ର ତିନି ବର୍ଷ (୨୦୨୨-୨୩ରୁ ୨୦୨୫-୨୬) ପର୍ଯ୍ୟନ୍ତ ଲାଇସେନ୍ସ ଫି’ ଦେବାକୁ ଚୁକ୍ତିନାମା ହୋଇଥିଲା। ଏ ବାବଦରେ ସେଲ୍ ବର୍ଷକୁ ୩ କୋଟି ଦେଉଥିଲା। ତିନି ବର୍ଷ ମଧ୍ୟରେ ସେଲ୍ ଏଏଆଇକୁ ଲାଇସେନ୍ସ ଫି’ ବାବଦରେ ୯ କୋଟି ଟଙ୍କା ପ୍ରଦାନ କରି ସାରିଛି।
ଆହୁରି ପଢ଼ନ୍ତୁ: Health: ଅବ୍ୟବସ୍ଥା ଘେରରେ ଗୋରୁମହିଷାଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର
ସେପଟେ ବାରମ୍ବାର ରାଉରକେଲା ବିମାନବନ୍ଦରକୁ ନେଇ ସମସ୍ୟା ଦେଖାଉଥିବାବେଳେ ସ୍ଥାନୀୟ ପ୍ରତିନିଧି ନିରବଦ୍ରଷ୍ଟା ସାଜିଛନ୍ତି। ରାଉରକେଲା ବିମାନବନ୍ଦରୁ ଭୁବନେଶ୍ବର ଓ କୋଲାକାତାକୁ ଆଲିଆନ୍ସ ଏୟାର ୭୨ ଆସନ ବିଶିଷ୍ଟ ବିମାନ ଉଡୁଥିଲା। ଗତ ୨୦୨୨-୨୩ରେ ରାଉକେଲାରୁ ୯, ୪୮୦, ୨୦୨୩-୨୪ରେ ୨୫,୮୦୦ ଓ ୨୦୨୪-୨୫ରେ ୩୦, ୨୦୪ ଯାତ୍ରୀ ଭୁବନେଶ୍ବର ଓ କୋଲକାତାକୁ ଯିବା ସହ ରାଉରକେଲାକୁ ଆସିଛନ୍ତି। ରାଉରକେଲା ବିମାନ ସେବା ବାରମ୍ବାର ଝୁଣ୍ଟୁଥିବାରୁ ସହରର ବିକାଶ ବାଧା ଉପୁଜୁିଛି। ସ୍ବାସ୍ଥ୍ୟ, ଶିକ୍ଷା ହେଉ ଅବା ଶିଳ୍ପ କ୍ଷେତ୍ରରେ ରାଉରକେଲା ଯେତିକି ଅଗ୍ରଗତି କରିବା କଥା, ତା’ ଆଜି ପର୍ଯ୍ୟନ୍ତ କରିପାରୁନି। ଏ ନେଇ ଆର୍ଏସ୍ପିର ଲୋକ ସମ୍ପର୍କ ବିଭାଗର ମହାପ୍ରବନ୍ଧକ ଅର୍ଚ୍ଚନା ଶତପଥୀଙ୍କୁ ପଚାରିବାରୁ ସେ କହିଛନ୍ତି, ଆଗାମୀ ଦିନରେ ଏଏଆଇ ସହ ଲାଇସେନ୍ସ ଫି’ ବାବଦରେ ଚୁକ୍ତିନାମା କରିବାର କୌଣସି ପ୍ରସ୍ତାବ ନାହିଁ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/12/25/untitled-2025-12-25-08-33-43.png)