ରାଉରକେଲା ଉନ୍ନୟନ ପ୍ରାଧିକରଣ କେଉଁ କାମର?

ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସହରାଞ୍ଚଳର ବିକାଶ ପାଇଁ ରାଉରକେଲା ଉନ୍ନୟନ ପ୍ରାଧିକରଣ (ଆର୍‌ଡିଏ) ସ୍ଥାପିତ ହୋଇଥିଲା। ରାଉରକେଲା ମହାନଗର ସମେତ ସୁନ୍ଦରଗଡ଼, ବୀରମିତ୍ରପୁର, ରାଜଗାଙ୍ଗପୁର ଆର୍‌ଡିଏ ଅଧୀନକୁ ଆସିଥିଲା।

Rourkela

Rourkela Photograph: (sambad.in)

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସହରାଞ୍ଚଳର ବିକାଶ ପାଇଁ ରାଉରକେଲା ଉନ୍ନୟନ ପ୍ରାଧିକରଣ (ଆର୍‌ଡିଏ) ସ୍ଥାପିତ ହୋଇଥିଲା। ରାଉରକେଲା ମହାନଗର ସମେତ ସୁନ୍ଦରଗଡ଼, ବୀରମିତ୍ରପୁର, ରାଜଗାଙ୍ଗପୁର ଆର୍‌ଡିଏ ଅଧୀନକୁ ଆସିଥିଲା। ଉଦ୍ଦେଶ୍ୟଥିଲା, ଏସବୁ ଅଞ୍ଚଳର ଯୋଜନାବଦ୍ଧ ଓ ବ୍ୟବସ୍ଥିତ ବିକାଶ। ସହରବାସୀଙ୍କ ପାଇଁ ଏକାଧିକ ହାଉସିଂ କଲୋନିର ଆବଶ୍ୟକତା ଥିବାବେଳେ ବ୍ୟବସାୟୀଙ୍କ ପାଇଁ ସପିଂ କମ୍ପ୍ଲେକ୍ସ, ଶିଳ୍ପକାରଖାନାକୁ ପ୍ରୋତ୍ସାହନ ପାଇଁ ଶିଳ୍ପାଞ୍ଚଳ ସ୍ଥାପନ ଜରୁରି ହେଲାଣି। କିନ୍ତୁ ଲକ୍ଷ୍ୟଠାରୁ ଦୂରେଇ ଯାଇଛି ଆର୍‌ଡିଏ। ବାସ୍ତବରେ ନୂଆ ପ୍ରକଳ୍ପ ନାହିଁ କି ଏନେଇ ଯୋଜନା ବି ନାହିଁ। ଯଦ୍ବାରା ସ୍ମାର୍ଟସିଟିବାସୀଙ୍କ ବାସଗୃହ ସମସ୍ୟାର ସମାଧାନ ହୋଇପାରୁନି।

ସହରରେ ବାସଗୃହ ସମସ୍ୟା ଏବେ ଉତ୍କଟ ହେଲାଣି। ଗୋଟିଏପଟେ ଆର୍‌ଡିଏ ପକ୍ଷରୁ ନୂତନ ପ୍ରକଳ୍ପ ହାତକୁ ନିଆଯାଉନଥିବାବେଳେ ଆର୍‌ଏସ୍‌ପି ନିଜ ଜମିରେ ପ୍ରକଳ୍ପ ନିର୍ମାଣକୁକ ଅନୁମତି ଦେଉନି। ଯଦ୍ବାରା ଲୋକେ ରାଉରକେଲା ଛାଡ଼ି ଭୁବନେଶ୍ବରମୁହାଁ ହେଲେଣି। ପାଖାପାଖି ତିନି ଦଶନ୍ଧି ପୂର୍ବେ ଆର୍‌ଡିଏ ପକ୍ଷରୁ ବାସନ୍ତୀକଲୋନି ଶିଶୁସଦନ ମାର୍କେଟ୍‌, ଭିଏସ୍‌ଏସ୍‌ ମାର୍କେଟ୍‌, ଛେଣ୍ଡ୍‌ ଏଚ୍‌.ଡି.ମାର୍କେଟ୍‌, ସିଭିଲ ଟାଉନସିପ୍‌ ଲାୟନ୍ସ ହସପିଟାଲ ପାଖ ମାର୍କେଟ୍‌ ଓ ତରଙ୍ଗିନୀ ମାର୍କେଟ୍‌, ରାଉରକେଲା ବସ୍‌ଷ୍ଟାଣ୍ଡ୍‌ ମାର୍କେଟ୍‌ କମ୍ପ୍ଲେକ୍ସ, ଆଦି ପ୍ରାୟ ୧୮ରୁ ଅଧିକ ମାର୍କେଟ୍‌ କଂପ୍ଲେକ୍ସ ନିର୍ମାଣ କରାଯାଇଥିଲା।

ଏତଦ୍‌ବ୍ୟତୀତ ଆର୍‌ଡିଏ ପକ୍ଷରୁ ବାସନ୍ତୀକଲୋନି ଓ ଛେଣ୍ଡ୍‌ ଅଞ୍ଚଳରେ ହଜାରେରୁ ଅଧିକ ବାସଗୃହ ନିର୍ମାଣ ନିର୍ମାଣ ହୋଇଛି। କିଛି ଦିନ ପୂର୍ବେ ଛେଣ୍ଡ୍‌ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପାଖରେ ୫.୦୫ ଏକର ଜମିରେ ନିର୍ମିତ ବାସଗୃହ ପ୍ରକଳ୍ପ ଉଦ୍‌ଘାଟିତ ହୋଇଛି।  ମନଟୋଲା ବସ୍ତି, ବିପିୟୁଟି ବସ୍ତି ଓ ବିଦ୍ୟୁତ୍‌ ବସ୍ତିର ୫ ଶହ ପରିବାରକୁ ଏଠାରେ ଘର ଆବଣ୍ଟନ କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୧୮ ମସିହାରୁ ଏହି ପ୍ରକଳ୍ପ ଆରମ୍ଭ ହୋଇଥିବାବେଳେ ଶେଷହେବାକୁ ୭ ବର୍ଷ ଲାଗିଥିଲା। ବାସ୍‌ ଏତିକିରେ ସୀମିତ ଆର୍‌ଡିଏର ବାସଗୃହ ପ୍ରକଳ୍ପ। ବର୍ତ୍ତମାନ ଆଉ କୌଣସି ବାସଗୃହ ପ୍ରକଳ୍ପ ପାଇଁ ଆର୍‌ଡିଏର ଯୋଜନା ନାହିଁ। ବିଡ଼ମ୍ବନା ଏନେଇ ପରିକଳ୍ପନା ବି କରାଯାଉନି। 
ବିଗତ ଦିନରେ ଏକାଧିକ ବାସଗୃହ ପ୍ରକଳ୍ପ ପାଇଁ ଘୋଷଣା କରାଯାଇଥିଲା। ୨୦୧୪ ନଭେମ୍ବର ୨୭ ତାରିଖରେ ଆର୍‌ଡିଏ ଅଧ୍ୟକ୍ଷଭାବେ ସାରଦା ପ୍ରସାଦ ନାୟକ (ବର୍ତ୍ତମାନ ବିଧାୟକ) ଦାୟିତ୍ବ ନେବାପରେ ୫ ବର୍ଷ ଭିତରେ ୨୦ ହଜାର ବାସଗୃହ ନିର୍ମାଣ କରିବାକୁ ଘୋଷଣା କରିଥିଲେ। ପ୍ରାୟ ୬.୧୭ ଏକର ଜମିରେ ତିନିଟି ବହୁ ମହଲା ବିଶିଷ୍ଟ ଆବାସିକ ଆପାର୍ଟମେଣ୍ଟ୍‌, ଛେଣ୍ଡ୍‌ କଲୋନିରେ ୪୨ ଡିସିମିଲରୁ ଅଧିକ ଜମିରେ ଦୁଇଟି ସପିଂ କମ୍ପ୍ଲେକ୍ସ, ରାଉରକେଲା ବଣିକ ସଂଘ କାର୍ଯ୍ୟାଳୟ ପାଖରେ ୨.୨୫ ଏକର ଜମିରେ ବହୁ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ୍‌ ନିର୍ମାଣ ହେବ ବୋଲି କହାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ତାହା କାର୍ଯ୍ୟକାରୀ ହେଲାନାହିଁ।
ପ୍ରକାଶଥାଉ କି, ୧୯୫୯ ଫେବ୍ରୁଆରି ୩ ତାରିଖରେ ଦେଶର ପ୍ରଥମ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) କାର୍ଯ୍ୟକ୍ଷମ ହେବାପରେ ରାଉରକେଲା ସହରରେ ବିକାଶ ଆରମ୍ଭ ହୋଇଥିଲା। ସହରର ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ୧୯୬୪ ମସିହାରେ ସ୍ୱତନ୍ତ୍ର ଯୋଜନା ପ୍ରାଧିକରଣ ଗଠନ ହୋଇଥିଲା। ପରେ, ୧୯୭୬ ଜାନୁଆରି ୨୬ ତାରିଖରେ ଏହି ସଂସ୍ଥା ରାଉରକେଲା ଆଞ୍ଚଳିକ ବିକାଶ ଟ୍ରଷ୍ଟ (ଆର୍‌ଆର୍‌ଆଇଟି)ରେ ରୂପାନ୍ତରିତ ହୋଇଥିବାବେଳେ ୧୯୯୫ ମସିହା ଅକ୍ଟୋବର ୨ ତାରିଖରୁ ଏହା ଆର୍‌ଡିଏ ଭାବେ କାର୍ଯ୍ୟ କରୁଛି।
Rourkela 
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe