ଏଏନ୍ଆର୍‌ଏଫ୍-ପେୟାର୍‌ରେ ହବ୍‌ ଅନୁଷ୍ଠାନଭାବେ ରାଉରକେଲା ଏନ୍‌ଆଇଟି ମନୋନୀତ

ଅନୁସନ୍ଧାନ ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ୍ (ଏଏନ୍ଆର୍‌ଏଫ୍) ଦ୍ୱାରା ଆରମ୍ଭ ହୋଇଥିବା ‘ପାର୍ଟନର୍‌ସିପ୍‌ ଫର୍ ଆସେଲେରେଟେଡ୍ ଇନୋଭେସନ୍ ଆଣ୍ଡ୍‌ ରିସର୍ଚ୍ଚ (ପେୟାର୍‌) କାର୍ଯ୍ୟକ୍ରମ ଏକ ହବ୍ ଅନୁଷ୍ଠାନଭାବେ ରାଉରକେଲା ଏନ୍‌ଆଇଟି ମନୋନୀତ ହୋଇଛି।

NIT Rourkela

NIT Rourkela Photograph: (sambad.in)

ରାଉରକେଲା: ଅନୁସନ୍ଧାନ ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ୍ (ଏଏନ୍ଆର୍‌ଏଫ୍) ଦ୍ୱାରା ଆରମ୍ଭ ହୋଇଥିବା ‘ପାର୍ଟନର୍‌ସିପ୍‌ ଫର୍ ଆସେଲେରେଟେଡ୍ ଇନୋଭେସନ୍ ଆଣ୍ଡ୍‌ ରିସର୍ଚ୍ଚ (ପେୟାର୍‌) କାର୍ଯ୍ୟକ୍ରମ ଏକ ହବ୍ ଅନୁଷ୍ଠାନଭାବେ ରାଉରକେଲା ଏନ୍‌ଆଇଟି ମନୋନୀତ ହୋଇଛି। ଏହି ସମ୍ମାନଜକ ହବ୍‌ଭାବେ ମନୋନୀତ ହେବାରେ ଦେଶର ଏକମାତ୍ର ଏନ୍‌ଆଇଟି ତଥା ପୂର୍ବ ଭାରତର ଗୋଟିଏ ହବ୍ ଅନୁଷ୍ଠାନ।

ଜାତୀୟ ଶିକ୍ଷା ନୀତି ଦୃଷ୍ଟିକୋଣରୁ ଏହି ‘ପେୟାର୍’ ଅଭିଯାନ ଭାରତୀୟ ଉଚ୍ଚ ଶିକ୍ଷାରେ ସଂସ୍ଥାଗତ ଗବେଷଣା ପରିବେଶକୁ ପ୍ରାଧାନ୍ୟଦେବ। ଏହି ହବ୍-ଆଣ୍ଡ୍‌-ସ୍ପୋକ୍ ମଡେଲ୍‌ରେ ଗବେଷଣା ଭିତ୍ତିଭୂମି, ଯୁଗ୍ମ ସମ୍ମିଳନୀ ଓ କର୍ମଶାଳା, ବ୍ୟବହାରିକ ପ୍ରଶିକ୍ଷଣ, ଅଧ୍ୟାପକ ବିକାଶ, ଉନ୍ନତ ଦକ୍ଷତା ଉପଲବ୍ଧତା ମାଧ୍ୟମରେ ସଂସ୍ଥାଗତ ସହଯୋଗକୁ ପ୍ରୋତ୍ସାହିତ କରିବ। ପ୍ରତ୍ୟେକ ଅନୁମୋଦିତ ପେୟାର୍ ନେଟୱର୍କ ପାଞ୍ଚ ବର୍ଷ ମଧ୍ୟରେ ୧୦୦ କୋଟି ଟଙ୍କାର ଅନୁଦାନ ପାଇବେ, ଯାହାକି ଯଥାକ୍ରମେ ହବ୍ ଓ ସ୍ପୋକ୍‌ ଅନୁଷ୍ଠାନ ମଧ୍ୟରେ ୩୦:୭୦ ଅନୁପାତରେ ଆବଣ୍ଟିତ ହେବ।

ବେଙ୍ଗାଲୁରୁରେ ଜାତୀୟସ୍ତରୀୟ ମୂଲ୍ୟାଙ୍କନ ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା। ଏହି ସମୀକ୍ଷା ପ୍ରକ୍ରିୟା ଓ ଚୂଡ଼ାନ୍ତ ଉପସ୍ଥାପନା ପରେ ରାଉରକେଲା ଏନ୍‌ଆଇଟି ବାଜିମାରିନେଇଥିଲା। ଅନୁଷ୍ଠାନର ନିର୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓଙ୍କ ନେତୃତ୍ବରେ ପ୍ରଫେସର ଏସ୍.କେ.ପ୍ରତିହାର, ପ୍ରଫେସର ଏଚ୍.ବି.ସାହୁ, ପ୍ରଫେସର ଏସ୍.କେ. ବେହେରା ପ୍ରମୁଖ ଉପସ୍ଥାପନ ପ୍ରସ୍ତୁତ କରିଥିଲେ। 

ପ୍ରଥମ ପର୍ଯ୍ୟାୟରେ ୩୦ଟି ପ୍ରସ୍ତାବ ମଧ୍ୟରୁ ୭ଟି ପ୍ରସ୍ତାବକୁ ପାଣ୍ଠି ଯୋଗାଣ ପାଇଁ ଚୟନ କରାଯାଇଛି। ଏଥିରେ ଏନ୍‌ଆଇଟି ରାଉରକେଲା ବ୍ୟତିତ ୩ଟି ଆଇଆଇଟି, ୨ଟି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଓ ଗୋଟିଏ ଆଇଆଇଏସ୍‌ସି ଅନ୍ତର୍ଭୁକ୍ତ। ପ୍ରତ୍ୟେକ ପେୟାର୍‌ରେ ଗୋଟିଏ ହବ୍ ଓ ସାତଟି ସ୍ପୋକ୍ ଅନୁଷ୍ଠାନର ଏକ ନେଟୱାର୍କ ରହିଛି। ଏନ୍‌ଆଇଟି ଅଧିନସ୍ଥ ୭ଟି ସ୍ପୋକ୍‌ ଅନୁଷ୍ଠାନ ହେଉଛି, ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ବୁର୍ଲା), ସମ୍ବଲପୁର ବିଶ୍ୱବିଦ୍ୟାଳୟ (ବୁର୍ଲା), ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ (ଭୁବନେଶ୍ୱର), ଫକୀର ମୋହନ ବିଶ୍ୱବିଦ୍ୟାଳୟ (ବାଲେଶ୍ୱର), ଆଇଆଇଆଇଟି (ଭୁବନେଶ୍ୱର), ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଭୁବନେଶ୍ୱର) ଓ ଗୁରୁ ଅଙ୍ଗଦ ଦେବ ପ୍ରାଣୀଚିକିତ୍ସା ଓ ପଶୁ ବିଜ୍ଞାନ ବିଶ୍ୱବିଦ୍ୟାଳୟ (ପଞ୍ଜାବ)। ଏନ୍‌ଆଇଟି ରାଉରକେଲା ଏହି ଅନୁଷ୍ଠାନକୁ ଗବେଷଣା ପାଇଁ ଉପାଦେୟ ପରାମର୍ଶ ଓ ସହାୟତା ପ୍ରଦାନ କରିବ।

Rourkela

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe