RCB Vs DC Photograph: (Aajtak)
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୫ର ୪୬ତମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଭେଟିଛି। ସ୍ଥାନୀୟ ଅରୁଣ ଜେଟ୍ଲୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମୁକାବିଲାରେ ବେଙ୍ଗାଲୁରୁ ଟିମ୍ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଅକ୍ଷର ପଟେଲଙ୍କ ନେତୃତ୍ବରେ ଦିଲ୍ଲୀ ବ୍ୟାଟିଂ କରିବା ସହ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ ହରାଇ ନିଜର ସ୍କୋରକୁ ୧୬୨ ରନ୍ରେ ପହଞ୍ଚାଇଛି। ଫଳରେ ବେଙ୍ଗାଲୁରୁକୁ ଏହି ମ୍ୟାଚ୍ ଜିତିବା ପାଇଁ ୧୬୩ ରନ୍ର ଲକ୍ଷ୍ୟ ମିଳିଛି।
ଦିଲ୍ଲୀ କ୍ୟାପିଟାଲ୍ସର ଇନିଂସ ଆରମ୍ଭ କରିଥିଲେ ଅଭିଷେକ ପୋରେଲ ଓ ଫାଫ୍ ଡୁ’ ପ୍ଲେସିସ୍। ଉଭୟ ପ୍ରାରମ୍ଭିକ ବ୍ୟାଟର ପ୍ରଥମ ୱିକେଟ୍ ପାଇଁ ୩୩ ରନ୍ର ଭାଗିଦାରୀ କରିପାରି ଥିଲେ। ଏଥିରୁ ଅଭିଷେକ ପୋରେଲ ବ୍ୟକ୍ତିଗତ ଭାବେ ୨୮ ରନ୍ କରିଥିଲେ। ଜୋସ୍ ହେଜଲଉଡଙ୍କ ଦ୍ବାରା ଆଉଟ୍ ହେବା ପୂର୍ବରୁ ସେ ୧୧ଟି ବଲ୍ ସାମ୍ନା କରିଥିଲେ ଏବଂ ୨ଟି ଚୌକା ଓ ୨ଟି ଛକା ମାରିଥିଲେ।
ବେଙ୍ଗାଲୁରୁର ଦ୍ବିତୀୟ ଶିକାର ହୋଇଥିଲେ କରୁଣ ନାୟର(୪)। ସେ ୪ଟି ବଲ୍ ସାମ୍ନା କରି ୟଶ ଦଲାୟଙ୍କ ବଲ୍ରେ ଆଉଟ୍ ହୋଇଥିଲେ। ଦିଲ୍ଲୀ କ୍ୟାପିଟାଲ ନିଜର ତୃତୀୟ ୱିକେଟ୍ ଭାବେ ଡୁପ୍ଲେସିସ୍ଙ୍କୁ ହରାଇଥିଲା। ଡୁପ୍ଲେସିସ୍ ବ୍ୟକ୍ତିଗତ ଭାବେ ୨୨ ରନ୍ ସଂଗ୍ରହ କରିବା ପାଇଁ ୨୬ଟି ବଲ୍ ସମ୍ମୁଖୀନ ହୋଇଥିଲେ। ଏଥିରୁ ସେ ୨ଟି ଚୌକା ମାରିଥିଲେ।
କେଏଲ୍ ରାହୁଲ ଓ ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ଯୋଡ଼ି ଭଲ ଭାଗିଦାରୀ ହୋଇପାରିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଏହି ଯୋଡ଼ି ମଧ୍ୟ ଉତ୍ସାହଜନକ ପ୍ରଦର୍ଶନ କରିପାରି ନଥିଲେ। ଉଭୟଙ୍କ ମଧ୍ୟରେ ୨୭ ରନ୍ର ଭାଗିଦାରୀ ହେଲା ପରେ ଅକ୍ଷର ପଟେଲ ଆଉଟ୍ ହୋଇଥିଲେ। ସେହି ସମୟରେ ଦଳର ସ୍କୋର ୧୦୨ ରନ୍ରେ ପହଞ୍ଚି ଥିଲା। ଅକ୍ଷର ନିଜେ ୧୩ଟି ବଲ୍ ଖେଳି ଗୋଟିଏ ଚୌକା ଓ ଗୋଟିଏ ଛକା ମାରି ପାଭିଲିୟନ୍ ଫେରିଥିଲେ। ପରେ ପରେ କେଏଲ୍ ରାହୁଲ ମଧ୍ୟ ଆଉଟ୍ ହୋଇଥିଲେ। କେଏଲ୍ ରାହୁଲ ୩ଟି ଚୌକା ବଳରେ ୪୧ ରନ୍ ସଂଗ୍ରହ କରିଥିଲେ। ସେ ୩୯ଟି ବଲ୍ ଖେଳିଥିଲେ।
ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଆଶୁତୋଷ ଶର୍ମା ୨ରନ୍, ବିପ୍ରରାଜ ନିଗମ ୧୨ ରନ୍ ଓ ତ୍ରିସ୍ତାନ ଷ୍ଟବ୍ସ ୩୪ ରନ୍ ସଂଗ୍ରହ କରିଥିଲେ। ବେଙ୍ଗାଲୁରୁ ପାଇଁ ଭୁବନେଶ୍ବର କୁମାର ସର୍ବାଧିକ ୩ଟି ୱିକେଟ ନେଇଥିଲେ। ହେଜଲଉଡଙ୍କୁ ୨ଟି ୱିକେଟ୍ ମିଳିଥିବା ୟଶ ଦୟାଲ ଓ କ୍ରୁଣାଳ ପାଣ୍ଡ୍ୟା ଗୋଟିଏ ୱିକେଟ୍ ନେଇଥିଲେ।
Cricket | IPL
Follow Us