Black scorpio in Sundargarh Photograph: (sambad.in)
ସୁନ୍ଦରଗଡ଼: ଟାଉନ ଥାନା ପୁଲିସ ବୁଧବାର ଧରିଥିବା କଳା ସ୍କର୍ପିଓର କଳା କାହାଣୀ ସହରରେ ବେଶ ଚର୍ଚ୍ଚାକୁ ଆସିଛି। ପରିବହନ ବିଭାଗର ଯାଞ୍ଚ ପରେ ଗାଡ଼ିର ପଞ୍ଜୀକରଣ ନଥିବା, ଚାଳକଙ୍କ ଉଚିତ ଡ୍ରାଇଭିଂ ଲାଇସେନ୍ସ ନଥିବା, ଗାଡ଼ିର ପ୍ରଦୂଷଣ ସାର୍ଟିଫିକେଟ ନଥିବା ଓ ବୀମା ନଥିବାରୁ ପରିବହନ ନୀରିକ୍ଷକ ୨୨ ହଜାର ୫ଶହ ଟଙ୍କା ଜରିମାନା କରିଥିବା ଜଣାପଡିଛି।
ଗାଡ଼ିର ନମ୍ବର ପ୍ଲେଟ୍ ଜାଲ ଥିବା ବେଳେ ଅନଲାଇନ୍ ଯାଞ୍ଚ ବେଳେ ଗାଡ଼ିରେ ଥିବା ଚେଚିସ୍ ନମ୍ବରରେ କିଛି ବି ତଥ୍ଯ ମିଳୁ ନାହିଁ। ଏବେ ସୁଦ୍ଧା ଗାଡ଼ି ମାଲିକ ପରିବହନ ବିଭାଗ ପାଖରେ ଗାଡ଼ି ସମ୍ବନ୍ଧୀୟ କୌଣସି କାଗଜପତ୍ର ଦାଖଲ କରିପାରିନଥିବାରୁ ଏହି କଳା ସ୍କର୍ପିଓ ସନ୍ଦେହ ଘେରକୁ ଚାଲି ଆସିଛି।
ଦର୍ଲିପାଲି ଏନଟିପିସି ପାୱାର ପ୍ଲାଣ୍ଟର ସିଆଇଏସଏଫ କର୍ମଚାରୀ ବସିଥିବା ବସିଥିବା ଏହି ସ୍କର୍ପିଓକୁ ବୁଧବାର ହସ୍ପିଟାଲ ଛକ ନିକଟରେ ପୁଲିସ ଧରିଥିଲା। ଅନ୍ୟ ଏକ ଗାଡ଼ିର ନମ୍ବର ଲଗାଇଥିବା ଓ ବିନା ପଞ୍ଜୀକରଣ, ବିନା ବୀମା, ବିନା ପ୍ରଦୂଷଣ ପ୍ରମାଣପତ୍ରରେ ଗାଡ଼ି ଚାଲୁଥିଲେ ବି ପୁଲିସ କୌଣସି ମାମଲା ରୁଜୁ କରିନଥିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସବୁଠାରୁ ବଡ଼ ପ୍ରଶ୍ନ ହେଲା, ପଞ୍ଜୀକରଣ, ବୀମା, ପ୍ରଦୂଷଣ ପ୍ରମାଣପତ୍ର ନଥିବା ଗାଡ଼ି ଜାଲ୍ ନମ୍ବରରେ ଚାଲୁଥିବାବେଳେ ଏନଟିପିସିରେ କିପରି ନିୟୋଜିତ ହେଲା।
କୁହାଯାଉଛି, ଗାଡ଼ି ମାଲିକ ଛତିଶଗଡ଼ରୁ ଏହି ଗାଡ଼ିକୁ କିଣିଛନ୍ତି। ଯଦି ଏହା ସତ, ତାହେଲେ ବିନା ପଞ୍ଜୀକରଣରେ ସୋ ରୁମ୍ ରୁ ବାହାରିଲା କିପରି। ନିୟମ ଅନୁସାରେ କୌଣସିସ୍ଥିତି ବା ପ୍ରକାରେ ବିନା ପଞ୍ଜୀକରଣରେ ସୋ ରୁମ୍ ରୁ ଗାଡ଼ି ବାହାରିବା ନଥାଏ। ହେଲେ କଳା ସ୍କର୍ପିଓ କ୍ଷେତ୍ରରେ ଏମିତି କି ପରିସ୍ଥିତି ଉପୁଜିଥିଲା ଯେ, ବିନା ପଞ୍ଜୀକରଣରେ ଗାଡ଼ି ସୋ ରୁମ୍ ରୁ ବାହାରିଲା। ଆଉ ବାହାରକୁ ଆସୁ ଆସୁ ଅନ୍ୟ ଗାଡ଼ିର ନମ୍ବର ଜାଲିଆତି କରି ଲଗାଇବାକୁ ପଡ଼ିଲା ବୋଲି ପ୍ରଶ୍ନ ଉଠିଛି। ପୁଲିସ ମାମଲା ରୁଜୁ କରି କଳା ସ୍କର୍ପିଓର କଳା କାହାଣୀର ପର୍ଦ୍ଦାଫାସ କରିବାକୁ ଦାବି ହେଉଛି।
sundargarh
  
 Follow Us