ଭୁବନେଶ୍ବର(ମହେନ୍ଦ୍ର ସାହୁ): କ୍ୟାଲେଣ୍ଡର ବର୍ଷ-୨୦୨୫ ଆରମ୍ଭ ହୋଇଯାଇଛି। ନୂଆବର୍ଷର ଆଗମନକୁ ନେଇ ଲୋକେ ଉତ୍ସାହିତ ଦେଖାଯାଉଛନ୍ତି। ଏହି ମୁହୂର୍ତ୍ତକୁ ସ୍ମରଣୀୟ ରଖିବା ପାଇଁ ଯୁବପିଢ଼ି ପ୍ରାକୃତିକ ପରିବେଶ, ଧାର୍ମିକସ୍ଥଳୀ ଓ ପର୍ଯ୍ୟଟନସ୍ଥଳୀ ବୁଲୁଥିବା ବେଳେ ଭୋଜିଭାତର ଆୟୋଜନ ମଧ୍ୟ କରୁଛନ୍ତି। ବରିଷ୍ଠ ନାଗରିକମାନେ ନିଜ ପସନ୍ଦର ଧର୍ମାନୁଷ୍ଠାନକୁ ଯାଉଛନ୍ତି। ଅନେକ ଲୋକ ନୂଆବର୍ଷ ପାଇଁ ନୂଆ ଯୋଜନା ମଧ୍ୟ ଆରମ୍ଭ କରିଦେଇଛନ୍ତି। କିଏ ବ୍ୟବସାୟ ପାଇଁ ଯୋଜନା କରୁଛି ତ ଆଉ କିଏ ଘରଦ୍ବାର ନିର୍ମାଣ, ଜମି କିଣିବା, ବିବାହ ପାଇଁ ପାତ୍ର/ପାତ୍ରୀ ଖୋଜିବା ଦିଗରେ ଆଗକୁ ବଢୁଛନ୍ତି। ଆହୁରି କିଛି ଲୋକ ନୂଆବର୍ଷକୁ ସରପ୍ରାଇଜ୍ ଭାବେ ମଧ୍ୟ ବ୍ୟବହାର କରିବାକୁ ଯୋଜନା କରୁଛନ୍ତି। 

Advertisment

ଏହି ଖବର ପଢ଼ନ୍ତୁ: ନୂଆବର୍ଷ ପାଇଁ ଯୁବପିଢ଼ି ମତୁଆଲ; ମହାପ୍ରଭୁଙ୍କ ଆଶୀର୍ବାଦ ନେଉଛନ୍ତି ଶ୍ରଦ୍ଧାଳୁ

ପ୍ରତ୍ୟେକ ୧୨ ମାସ ପରେ କ୍ୟାଲେଣ୍ଡର ବର୍ଷ ବଦଳୁଛି। ବିଗତ ୨୪ ବର୍ଷର କଥା ଯଦି ଦେଖିବା, ୨୦୦୦ ଠାରୁ ୨୦୨୪ ମସିହା ଭିତରେ ଗାଁ ହେଉ କି ସହର, ରାଜ୍ୟ ହେଉ ବା ଦେଶର ଅବସ୍ଥା ଅନେକ ପରିବର୍ତ୍ତନ ହୋଇସାରିଛି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଯୋଗାଯୋଗ, ପର୍ଯ୍ୟଟନ ଭିତ୍ତିଭୂମିରେ ପରିବର୍ତ୍ତନ ଆସିଛି। ଏହି ସମୟ ମଧ୍ୟରେ ବିଶ୍ବବାସୀଙ୍କୁ ଅନେକ ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ପଡ଼ିଛି। କୋଭିଡ-୧୯ ପୂରା ବିଶ୍ବକୁ ଭୟଭୀତ କରାଇଥିଲା। ଏବେ ଜଳବାୟୁ ପରିବର୍ତ୍ତନ ବିଶ୍ବବାସୀଙ୍କ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି। ଜଳବାୟୁ ପରିବର୍ତ୍ତନର କାରଣରୁ ପାଣିପାଗ ଉପରେ ପ୍ରଭାବ ପଡୁଛି। ଫଳରେ ମାନବ ସଭ୍ୟତାକୁ ବିଭିନ୍ନ ବିପର୍ଯ୍ୟୟର ସାମ୍ନା କରିବାକୁ ପଡୁଛି। ଏଭଳି ଏକ ସମୟରେ ନୂଆବର୍ଷକୁ ନୂଆ ଢଙ୍ଗରେ ପାଳନ କରିବା ସହ ପୃଥିବୀର ସୁରକ୍ଷା ପାଇଁ  ସଂକଳ୍ପ ନେବାର ଆବଶ୍ୟକତା ରହିଛି। 

ଏହି ଖବର ପଢ଼ନ୍ତୁ: ୨୦ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ: ପୃଥ୍ବୀରାଜ ହରିଚନ୍ଦନ

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି) ଦ୍ବାରା ପରିଚାଳିତ ବ୍ରହ୍ମପୁରସ୍ଥିତ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପକ, ସ୍ତମ୍ଭକାର ତଥା ଲେଖକ ଡ. ଗଣେଶ ଚନ୍ଦ୍ର କୁଣ୍ଡୁଙ୍କ କହିବା ଅନୁସାରେ ଇଂରାଜୀ ନବବର୍ଷରେ କ୍ୟାଲେଣ୍ଡର ବଦଳେ। ଏହା ଏକ ସମୟ ଅବଧି ହୋଇପାରେ। କିନ୍ତୁ ନୂଆ ପ୍ରୟାସରେ ନୂଆବର୍ଷର ଆରମ୍ଭ ସ୍ୱାଗତଯୋଗ୍ୟ। ମନ ଖୁସି ଥିଲେ, ମନରେ ନୂଆ ଉତ୍ସାହ ଏବଂ ପ୍ରେରଣା ନୂଆ ମାର୍ଗ ଦେଖାଇଥାଏ। ନୂଆବର୍ଷରେ ଶୁଭେଚ୍ଛା ଜଣାଇବା, ନୂଆ ସ୍ଥାନ ଭ୍ରମଣ କରିବା, ତୀର୍ଥ ଭ୍ରମଣ କରିବା, ମନ୍ଦିରରେ ପୂଜାର୍ଚ୍ଚନା କରିବା, ଘରେ ପରିବାର ସହିତ ଭୋଜିଭାତରେ ସମୟ କାଟିବା ଭଲ କଥା। କିନ୍ତୁ କେତେକ କ୍ଷେତ୍ରରେ ଦେଖାଯାଏ ଲୋକେ ଏମିତି ପାଳନ କରିଥାନ୍ତି ଯେ ରାତି ସାରା ମଦମାଂସରେ ବୁଡ଼ି ରହି ନିଜକୁ ହଜେଇଦେଇଥାନ୍ତି, ଯାହାକି ଠିକ୍ ନୁହେଁ। "ଅତିରୁ ଇତି" ନ ହେବା ଆବଶ୍ୟକ।  

ନୂଆବର୍ଷରେ ଆମ ସଂସ୍କୃତିକୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ଯେପରିକି ଭାରତୀୟମାନେ ହିନ୍ଦୁ ସଂସ୍କୃତି ଅନୁଯାୟୀ ଗୃହରେ ଦୀପ ପ୍ରଜ୍ୱଳନ, ମନ୍ଦିରରେ ପୂଜା-ଅର୍ଚ୍ଚନା, ଓ ଗରିବମାନଙ୍କୁ ଖାଦ୍ୟ ଓ ବସ୍ତ୍ର ଦାନ କରିବା। ପରିବାର ସହିତ ସମୟ କାଟାଇବା ଓ ପ୍ରକୃତି ସହ ଜଡ଼ିତ ରହିବା। ନୂଆବର୍ଷ ଆତ୍ମ ଚିନ୍ତନ, ନୂତନ ଦକ୍ଷତା ଓ ନିଜକୁ ଉନ୍ନତ କରିବା ପାଇଁ ଏକ ସୁଯୋଗ। ନୂତନ ଜୀବନଚର୍ଯ୍ୟା ଗଢି ପୂର୍ବବର୍ଷର ଅଭିଜ୍ଞତାରୁ ଶିଖିବା, ଏକ ଶ୍ରେଷ୍ଠ ମନୁଷ୍ୟ ଭାବେ ଗଢ଼ିବା ଦିଗରେ କାମ କରିବା। ନୂତନ ଦକ୍ଷତା ଶିଖିବା, ଭଲ ଅଭ୍ୟାସ କରିବା, ଦୈନିକ ଜୀବନରେ ଶୃଙ୍ଖଳା ଓ ସୃଜନଶୀଳତାକୁ ଅନୁସରଣ କରିବାର ଆବଶ୍ୟକତା ଅଛି।


-ଡ. ସ୍ମୁତିରେଖା ସାହୁ, ରିସର୍ଚ୍ଚ ଫେଲୋ, ଲାଲବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍, ମସୁରୀ 

 

ଭବାନୀପାଟଣା ସରକାରୀ ଡାକ୍ତରଖାନାର ଡା. ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ କହିବା ଅନୁସାରେ ନୂଆବର୍ଷ-୨୦୨୫ ସମସ୍ତଙ୍କ ପାଇଁ ଶୁଭମୟ ହେବା ସହ ନିରୋଗ ଓ ସୁସ୍ଥତା ଆଣିଦେଉ। ନିଜର ଲକ୍ଷ୍ୟ ପୂରଣ ପାଇଁ ଯୋଜନା କରାଯିବା ଦରକାର। ନୂଆବର୍ଷ ଯଦି ପାଳୁଥାନ୍ତି ନିଜ ପରିବାର ସହ ପାଳିବା ଉଚିତ୍। ଭୋଜି ବା ପିକନିକ୍ କରୁଥିଲେ ଯାତାୟତ ସମୟରେ ସୁରକ୍ଷା ପ୍ରତି ଦୃଷ୍ଟି ଦେବାସହ ନିଶା ସେବନ ନକରି କଳିଗୋଳରୁ ଦୂରେଇ ରୁହନ୍ତୁ। ନୂଆବର୍ଷ ତ ପ୍ରତି ବର୍ଷ ଆସୁଥିବ। କିନ୍ତୁ ହସଖୁସି ଯେମିତି ଦୁଃଖରେ ପରିଣତ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବା ଉଚିତ୍।

ଏହି ଖବର ପଢ଼ନ୍ତୁ: ‘ହ୍ୱାଟ୍ସଆପରେ ଇ-କାର୍ଡ, ସ୍କିମ୍ ସହ ଆକର୍ଷଣୀୟ ଅଟୋ କଲ୍‌ଠୁ ରୁହନ୍ତୁ ସତର୍କ‘

ବାଲେଶ୍ବରରୁ ଆସି ଭୁବନେଶ୍ବର ଭିଏସ୍ଏସ୍‌ନଗରରେ ରହୁଥିବା ଯୋଗୀ ପ୍ରହଲ୍ଲାଦ ନାଥ କହିଛନ୍ତି, ଆଜିକାଲି ନୂଆବର୍ଷରେ ଆଉ ପୂର୍ବ ଭଳି ଆତ୍ମୀୟତା ନାହିଁ। ଆଗରୁ ଲୋକେ ନୂଆବର୍ଷରେ ସାହିପଡ଼ିଶାଙ୍କ ସହିତ ମିଶି ବଣଭୋଜି କରୁଥିଲେ। ଏବେ ଟଙ୍କାର ଅଭାବ  ନଥିବାରୁ ଲୋକେ ଆଉ ଗୋଷ୍ଠୀ ହୋଇ ରହୁ ନାହାନ୍ତି। ଲୋକେ ଏକାକୀ ବାହାରକୁ ଯାଉଛନ୍ତି। ଏହା ଦ୍ବାରା ଭାଇଚାରା ପ୍ରଭାବିତ ହେଉଛି।

ଏହି ଖବର ପଢ଼ନ୍ତୁ: ମାନବ ସେବା ହିଁ ମାଧବ ସେବା: ବରିଷ୍ଠଙ୍କ ମୁହଁରେ ହସ ଫୁଟାଇଲେ ପିଇଓ