ମହଙ୍ଗା ପଡ଼ିଲା ସ୍କୁଲ ଛାତ୍ରଛାତ୍ରୀଙ୍କୁ ଜବକାର୍ଡ଼ଧାରୀ ଶ୍ରମିକ ଦର୍ଶାଇ ଅର୍ଥ ଆତ୍ମସାତ କରିବା

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମପଞ୍ଚାୟତରେ ୮ ଜଣ ନାବାଳକ ଓ ନାବାଳିକାଙ୍କୁ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାର ବିଭିନ୍ନ ପ୍ରକଳ୍ପରେ ଜବକାର୍ଡ଼ଧାରୀ ଶ୍ରମିକ ଭାବେ ଦର୍ଶାଇ ଟଙ୍କା ଆତ୍ମସାତ କରିବା ସରପଞ୍ଚଙ୍କୁ ମହଙ୍ଗା ପଡିଛି।

moto

ଭଦ୍ରକ/ମୋତ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମପଞ୍ଚାୟତରେ ୮ ଜଣ ନାବାଳକ ଓ ନାବାଳିକାଙ୍କୁ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାର ବିଭିନ୍ନ ପ୍ରକଳ୍ପରେ ଜବକାର୍ଡ଼ଧାରୀ ଶ୍ରମିକ ଭାବେ ଦର୍ଶାଇ ଟଙ୍କା ଆତ୍ମସାତ କରିବା ସରପଞ୍ଚଙ୍କୁ ମହଙ୍ଗା ପଡିଛି। ଏହି ଦୁର୍ନୀତିରେ ସରପଞ୍ଚଙ୍କ ସମ୍ପୃକ୍ତି ଜଣାପଡ଼ିବା ପରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ସଚିବ ଉକ୍ତ ପଞ୍ଚାୟତର ସରପଞ୍ଚଙ୍କୁ ନିଲମ୍ବନ କରିଛନ୍ତି। ଭଦ୍ରକ ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ବିଭାଗୀୟ ସଚିବ ଚିଠି ନଂ ୨୪୫୪୫ / ୦୮. ୦୯. ୨୦୨୫ ଜରିଆରେ ଗୋପୀନାଥପୁର ପଞ୍ଚାୟତr ସରପଞ୍ଚ ବାପୁନ ବାରିକଙ୍କୁ ନିଲମ୍ବନ କରିଥିବା ଜଣାପଡିଛି।   

ସୂଚନା ଅନୁଯାଇ ଉକ୍ତ ପଞ୍ଚାୟତ ଅନ୍ତର୍ଗତ କେଶରପୁର ଗ୍ରାମର ଅଞ୍ଜଳି ପରିଡ଼ା, ଗୋପୀନାଥପୁର ଗ୍ରାମର ମଧୁସୂଦନ ପରିଡ଼ା, ଜମୁନା ପରିଡ଼ା, ସଞ୍ଜୁକ୍ତା ସେନାପତି, ଚନ୍ଦ୍ର ଶେଖର ପରିଡ଼ା ଙ୍କ ସମେତ ବାଲିପଦା ଗ୍ରାମର ଶୁଭମ ସାହୁ, ବିଶ୍ୱଜିତ୍ ପଣ୍ତା, ଜାଜ୍ଞସେନୀ ବେହେରା, କାଳନ୍ଦୀ ସାହୁ, ବିକାଶ ବେହେରାଙ୍କ ନାମ ରେ ଜାଲି ଆଧାରକାର୍ଡ଼ ପ୍ରସ୍ତୁତ କରି ୨୦୨୧-୨୨ ରୁ ୨୦୨୩-୨୪ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପରେ କାର୍ଯ୍ୟ କରିଥିବା ଦର୍ଶାଇ ମନରେଗା ଯୋଜନା ରେ ମୋଟ ୮୩ ହଜାର ୯୪୪ ଟଙ୍କା ପ୍ରଦାନ କରାଯାଇଥିଲା। ଏହା ଜଣିବା ପରେ ସାମାଜିକ କର୍ମୀ ହିମାଂଶୁ ଶେଖର ନାୟକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ, ମୁଖ୍ୟ ଶାସନ ସଚିବ, ଭଦ୍ରକ ଜିଲ୍ଲାପାଳ, ଭଦ୍ରକ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଗତ ବର୍ଷ ଅଗଷ୍ଟ ମାସ ୬ ତାରିଖରେ ଲିଖିତ ଅଭିଯୋଗ କରିଥିଲେ।

ଶ୍ରୀ ନାୟକଙ୍କ ଅଭିଯୋଗ ପରେ ଭଦ୍ରକ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ର ମନରେଗା ସଂଯୋଜକ ଓ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଉକ୍ତ ପଞ୍ଚାୟତ କୁ ଗସ୍ତକରି ତଦନ୍ତ କରିଥିଲେ।

ତଦନ୍ତ ସମୟରେ ୮ ଜଣ ଛାତ୍ରଛାତ୍ରୀଙ୍କ ହାଇସ୍କୁଲ ସାର୍ଟିଫିକେଟ ସହ ଜାଲି ଆଧାରକାର୍ଡ଼ରେ ଉଲ୍ଲେଖ ଥିବା ଜନ୍ମ ତାରିଖ ମଧ୍ୟରେ ତାଳମେଳ ନଥିବା ରିପୋର୍ଟରେ ଦର୍ଶାଇଥିଲେ। ଏହି ରିପୋର୍ଟ ଆଧାରରେ ସରପଞ୍ଚ ଶ୍ରୀ ବାପୁନ ବାରିକ ନିଜ ପଦ ଓ କ୍ଷମତାର ଅପବ୍ୟବହାର କରିବା ସହ ଗ୍ରାମପଞ୍ଚାୟତ ଆଇନ-୧୯୬୪ ର ଧାରା ୧୯ ର ଉଲଂଘନ କରି ଉଦ୍ଦେଶ୍ୟମୂଳକ ଭାବେ ଏହି ଦୁର୍ନୀତି କରିଥିବା ବିଭାଗୀୟ ସଚିବ ଉଲ୍ଲେଖ କରିଛନ୍ତି | ତେଣୁ ଗ୍ରାମ ପଞ୍ଚାୟତ ଆଇନ-୧୯୬୪ ର ଧାରା ୧୧୫(୨) ବଳରେ ତାଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି। 

ଏଥିସହିତ ଗ୍ରାମ ପଞ୍ଚାୟତ ଆଇନ-୧୯୬୪ ର ଧାରା ୧୧୫(୧) ରେ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଡ୍ରାଫ୍ଟ ଚାର୍ଜ ପ୍ରଦାନ କରିବାକୁ ଭଦ୍ରକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି | ଏଠାରେ ସୂଚନା ଥାଉକି ଏହି ଘଟଣାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ଯ ନିର୍ବାହୀ ଅଧିକାରୀ କାର୍ଯ୍ୟାଳୟ ଚିଠି ନଂ ୧୯୧୦/ ୦୧.୧୦.୨୦୨୪ ଜରିଆରେ ଗ୍ରାମ ରୋଜଗାର ସେବକ ରିତାରାଣୀ ମୁଦୁଲିଙ୍କୁ ବହିଷ୍କାର କରିଥିଲେ। 

Bhadrak

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe