ବର୍ଷା ନେଇ ମୟୂରଭଂଜକୁ ରେଡ ଆଲର୍ଟ ଜାରି: ଅଙ୍ଗନବାଡ଼ି ଓ ସ୍କୁଲ ରହିବ ବନ୍ଦ

ଆସନ୍ତାକାଲି ପାଇଁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ରେଡ ଆଲର୍ଟ ଜାରି କରାଯାଇଥିବାରୁ ତିନିଦିନ ପାଇଁ ଅଙ୍ଗନବାଡି ଓ ଦିନକ ପାଇଁ ସ୍କୁଲ ବନ୍ଦ ରହିବ। ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି।

School

ବାରିପଦା: ଆସନ୍ତାକାଲି ପାଇଁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ରେଡ ଆଲର୍ଟ ଜାରି କରାଯାଇଥିବାରୁ ତିନିଦିନ ପାଇଁ ଅଙ୍ଗନବାଡି ଓ ଦିନକ ପାଇଁ ସ୍କୁଲ ବନ୍ଦ ରହିବ। ଏନେଇ ଆଜି ଜିଲ୍ଲାପାଳ ହେମକାନ୍ତ ସୟ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଜିଲ୍ଲାର ଅଙ୍ଗନବାଡି କେନ୍ଦ୍ର ସୋମବାର,ମଙ୍ଗଳବାର ଓ ବୁଧବାର ଯାଏ ବନ୍ଦ ରହିବାକୁ ରହିଥିବାବେଳେ ପ୍ରଥମରୁ ଦଶମ ଶ୍ରେଣୀ ଯାଏ କେବଳ ସୋମବାର ପାଇଁ ବନ୍ଦ ରହିବ ବୋଲି ଜଣାପଡିଛି।

ଏନେଇ ଜିଲ୍ଲାପାଳ ହେମକାନ୍ତ ସୟ କହିଛନ୍ତି ଯେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶାଙ୍କା ରହିଥିବାରୁ ଆମେ ସ୍କୁଲକୁ ଦିନକ ପାଇଁ ଓ ଅଙ୍ଗନବାଡି କେନ୍ଦ୍ରକୁ ତିନି ଦିନ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛୁ। ପାଗରେପରିବର୍ତ୍ତନ ଆସିବା ପରେ ଏହି ସ୍କୁଲ ଓ ଅଙ୍ଗନବାକଡି କେନ୍ଦ୍ର ଖୋଲାଯିବ ବୋଲି ସେ କହିଛନ୍ତି।

ଲଘୁଚାପଜନିତ ଲଗାଣ ବର୍ଷାରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ନଦୀର ଜଳସ୍ତର ବଢିଥିବାବେଳେ ସମ୍ଭାବ୍ୟ ବନ୍ୟାସ୍ଥିତି ସମୀକ୍ଷା ପାଇଁ ରବିବାର ଅପରାହ୍ନରେ ବେତନଟୀ ବ୍ଲକ ଅଧୀନ ନାଖରା ପୋଲଠାରେ ବୁଢାବଳଙ୍ଗ ନଦୀର ଜଳସ୍ତର ଦେଖିବା ସହିତ ସ୍ଥିତି ସମୀକ୍ଷା କରିଛନ୍ତି ବିଧାୟକ ସନାତନ ବିଜୁଳି ଓ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସଏl ଲଘୁଚାପଜନିତ ଲଗାଣ ବର୍ଷାରେ ଜିଲ୍ଲାର ହାଲ ବେହାଲ ହୋଇପଡିଥିବା ବେଳେ ବିଭିନ୍ନ ନଦୀନାଳର ଜଳସ୍ତର ବଢ଼ିଥିବାର ଦେଖିବାକୁ ମିଳିଛିl

ଏପଟେ ଜିଲ୍ଲାର ବିଭିନ୍ନ ଛୋଟବଡ଼ ନଦୀନାଳ କେତେକ ସ୍ଥାନରେ ଉଛୁଳି ବନ୍ୟାସ୍ଥିତି ସୃଷ୍ଟି କରିଥିବାର ମଧ୍ୟ ଦେଖିବାକୁ ମିଳିଛିl ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକାରୀମାନଙ୍କୁ ଆଲର୍ଟ ରହିବାକୁ କୁହାଯାଇଥିବା ବେଳେ ରବିବାର ବିଧାୟକ ସନାତନ ବିଜୁଳି ଏବଂ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସଏ ନାଖରାଠାରେ ବୁଢାବଳଙ୍ଗ ନଦୀର ଜଳସ୍ତର ସମୀକ୍ଷା କରିବା ସମୟରେ ବେତନଟୀ ଏବିଡ଼ିଓ ଗଗନ ବିହାରୀ ବେହେରା, ଅତିରିକ୍ତ ତହସିଲଦାର ଈଶ୍ୱରଚନ୍ଦ୍ର ରଣା, ରେଭିନ୍ୟୁ ସୁପରଭାଇଜର ଜଗନ୍ନାଥ ସିଂଙ୍କ ସମେତ ବଡ଼ସାହି ତହସିଲଦାର କରୁଣାକର ଧୀନ୍ଦା ଓ ଅନ୍ୟାନ୍ୟ ଅଧିକାରୀ ଏବଂ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେl

Rain in Odisha | Mayurbhanj | Education

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe