ବିଡିଓଙ୍କ ବଲେରୋ ଧକ୍କାରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ

କୁଚିଣ୍ଡା ବିଡିଓ ଜୟନ୍ତ ସାହୁ ଆଜି କୁନ୍ତରା ଗୋକୁଲ ପାର୍ବତୀ ରୁରାଲ କଲେଜ +୨ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିବାକୁ ଯାଇଥିଲେ। କଲେଜରେ ପରିଦର୍ଶନ ଅବସରରେ ସେ ବିଭିନ୍ନ ପ୍ରକ୍ରିୟା ଉପରେ ଜାରିଥିବା କାମର ଯାଞ୍ଚ କରିଥିଲେ ଏବଂ ସେଠାରୁ କୁଚିଣ୍ଡାକୁ ଫେରି ଆସୁଥିଲେ।

Accident in Kuchinda

Accident in Kuchinda Photograph: (sambad.in)

କୁଚିଣ୍ଡା: ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ)ଙ୍କ ବଲୋରୋ ଧକ୍କାରେ ଜଣେ ସ୍କୁଟି ଆରାହେୀଙ୍କର ମୃତ୍ୟୁ ହୋଇଛି। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳରେ ଆଜି ଅପରାହ୍‌ଣରେ ଏହି ଅଘଟଣ ଘଟିଛି। ମୃତ ବ୍ୟକ୍ତି ହେଲେ ଶଙ୍କର ମୁଣ୍ଡା (୪୫)। 

ସୂଚନା ଅନୁସାରେ କୁଚିଣ୍ଡା ବିଡିଓ ଜୟନ୍ତ ସାହୁ ଆଜି ପୂର୍ବାହ୍‌ଣରେ କୁନ୍ତରା ଗୋକୁଲ ପାର୍ବତୀ ରୁରାଲ କଲେଜ +୨ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିବାକୁ ଏକ ବଲେରୋ (ଓଡି ୧୫ଟି ୦୪୨୬)ରେ ଯାଇଥିଲେ। କଲେଜରେ ପରିଦର୍ଶନ ଅବସରରେ ସେ ସେଠାରେ ବିଭିନ୍ନ ପ୍ରକ୍ରିୟା ଉପରେ ଜାରିଥିବା କାମର ଯାଞ୍ଚ କରିଥିଲେ ଏବଂ ସେଠାରୁ କୁଚିଣ୍ଡାକୁ ଫେରି ଆସୁଥିଲେ। ଏହି ଫେରିବା ବାଟରେ ବିପରୀତ ଦିଗରୁ ଆସୁଥିବା ଏକ ସ୍କୁଟି (ଓଡି୧୪ ଏକ୍ସ ୭୪୮୯) ସହିତ ବଲେରୋର ଧକ୍କା ହୋଇଥିଲା। ଏହି ଦୁର୍ଘଟଣା ଦିନ ପ୍ରାୟ ୧୨ ଟା ୩୦ରେ ହୋଇଥିଲା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। 

କୁଚିଣ୍ଡା ଥାନା ଅଧୀନ ମନ୍ତ୍ରୀମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ସ୍କୁଟିର ସମ୍ମୁଖ ଭାଗ ସଂପୂର୍ଣ୍ଣ ଚୁରମାର ହୋଇଯାଇଥିଲା। ଘଟଣାସ୍ଥଳରୁ ଶଙ୍କରମୁଣ୍ଡାଙ୍କୁ ଗୁରୁତର ଭାବେ ପୁଲିସ ଉଦ୍ଧାର କରି ସ୍ଥାନୀୟ ଉପଖଣ୍ଡ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ ସ୍କୁଟି ଆରୋହୀ ମୃତ ବ୍ୟକ୍ତି ହେଲେ କୁସୁମୀ ସାଲେଭାଡ଼ି ଗ୍ରାମପଞ୍ଚାୟତ ନିକଟସ୍ଥ ଡୁଲେସରା ଗ୍ରାମର ଶଙ୍କର ମୁଣ୍ଡା। ପେଶାରେ ସେ ଜଣେ ଶିକ୍ଷକ ଓ ଫଟାଟାଙ୍ଗର ସ୍କୁଲରେ କାର୍ଯ୍ୟରତ ଅଛନ୍ତି। ସେ ବିଦ୍ୟାଳୟ ସମୟରେ ସ୍କୁଲ ଛାଡ଼ି କୁଚିଣ୍ଡା କେଉଁ କାମରେ ଆସିଥିଲେ ତାହା ଜଣାପଡ଼ି ନାହିଁ। ଅନ୍ୟପଟରେ ବିଦ୍ୟାଳୟରୁ ଛୁଟି ନେଇଥିଲେ ନା ନାହିଁ ସେ କଥା ମଧ୍ୟ ସ୍ପଷ୍ଟ ହୋଇପାରି ନାହିଁ। ଘଟଣା ସହରରେ ଆଲୋଚନାର ବିଷୟ ପାଲଟିଛି। କୁଚିଣ୍ଡା ପୁଲିସ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରିଥିବା ବେଳେ ଚାଳକଙ୍କୁ ଅଟକ ରଖିଛି। ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe