ରାଇରଙ୍ଗପୁର: ଛଟ୍ ପର୍ଵ ପାଇଁ ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ସହର ଉତ୍ସବମୁଖର ହୋଇଉଠିଛି। ଏହି ପର୍ବ ବିହାରୀ ସମ୍ପ୍ରଦାୟର ସବୁଠାରୁ ବଡ଼ ପର୍ବ ରୂପେ ପାଳନ କରାଯାଉଛି। ଛଟି ମୈୟା ଓ ସୂର୍ଯ୍ୟ ପୂଜା କରି ଭକ୍ତମାନେ ନିଜ ପରିବାର ଲୋକଙ୍କୁ ସୁସ୍ଥ ଓ ସମୃଦ୍ଧି ରଖିବା ପାଇଁ କାମନା କରିଥାନ୍ତି। ପୂଜା ପାଇଁ ବ୍ରତ ରଖୁଥିବା ମହିଳାମାନେ ଚାରି ଦିନ ଧରି ନିର୍ଜଳା ବ୍ରତ ପାଳନ କରି ପ୍ରଥମେ ଅସ୍ତଗାମୀ ସୂର୍ଯ୍ୟ ଏବଂ ପରବର୍ତ୍ତୀ ଦିନ ଉଦୟଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ ବ୍ରତ ସମ୍ପୂର୍ଣ କରିଥାନ୍ତି। ଏନେଇ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର ଖଡ଼ଖାଇ ନଦୀ ଉପକୂଳ ଘାଟରେ ଛଟ୍ ପୂଜା କମିଟି ପକ୍ଷରୁ ପ୍ରାୟ ୩୪ ବର୍ଷରୁ ଅଧିକ ହେବ ଛଟ୍ ମହାପର୍ବ ପାଳନ କରାଯାଉଛି। ଚଳିତବର୍ଷ ରାଇରଙ୍ଗପୁରଠାରେ ଛଟ୍ ପର୍ବ ପାଳନ କରାଯାଉଛି। ଭକ୍ତଙ୍କ ପ୍ରବଳ ସମାଗମ ମଧ୍ୟରେ ସନ୍ଧ୍ୟା ସମୟରେ ସୂର୍ଯ୍ୟ ପୂଜା କରାଯାଇ ଛଟ୍ ମହାପର୍ବ ପାଳନ କରାଗଲା। ରାଇରଙ୍ଗପୁର ଛଟ୍ ପୂଜା କମିଟି ପକ୍ଷରୁ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।
ପ୍ରଥନ ଦିନ ପରିବାରର ମହିଳାମାନେ ନାହାୟ ଖାଇ କରି ନାଉ ଓ ଭାତ ଖାଇ ବ୍ରତ ଆରମ୍ଭ କରିଥିଲେ। ଦ୍ୱିତୀୟ ଦିନ ଖରନା କାର୍ଯ୍ୟକ୍ରମରେ ଝରି ପୁରୀ ଖାଇ ପ୍ରସ୍ତୁତ କରି ସମସ୍ତ ପରିବାର ବର୍ଗ ସେବନ କରିଥିଲେ। ତୃତୀୟ ଦିନ ଗୁରୁବାର ପରିବାରର ପୁରୁଷମାନେ କଦଳୀ କାନ୍ଦି, ନଡ଼ିଆ, ଆଖୁ, ଫଳ, ପିଠା ପଣା ପ୍ରଭୃତିକୁ ମୁଣ୍ଡରେ ବୋହି ନଦୀକୁଳକୁ ନେଇ ଯାଇଥିଲେ। ତାଙ୍କ ସହ ବ୍ରତ ରଖିଥିବା ମହିଳାମାନେ ନଦୀରେ ଅସ୍ତଗାମୀ ସୂର୍ଯ୍ୟକୁ ଅର୍ଘ୍ୟ ଦେଇ ପୂଜା କଲେ।
ସମାରୋହରେ ମୁଖ୍ୟଅତିଥି ଭାବେ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ ଓ ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ଜଲେନ୍ ନାଏକ ଯୋଗଦେଇଥିଲେ। ଏଥିରେ ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇଥିଲେ। ବ୍ରତଧାରୀ ମହିଳାମାନେ ଶୁକ୍ରବାର ଭୋର ସକାଳୁ ଛଟ୍ ମୈୟାକୁ ପୂଜାର୍ଚ୍ଚନା ପରେ ଉଦୟଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ ନିର୍ଜଲା ବ୍ରତକୁ ସମ୍ପୂର୍ଣ କରିବେ। ଛଟ୍ ପୂଜା ଆୟୋଜନରେ କମିଟି ସଭାପତି ବିଜୟ କୁମାର ରାମ,ସମ୍ପାଦକ ରାଜେଶ ପ୍ରଜାପତି, ଉପସଭାପତି ଅବଧେଶ ମିଶ୍ର, ଲାଲବାବୁ ସାହୁ, ବିନୋଦ ଦାସ, କିଶୋର ରଜକ,ମଦନ ରଜକ, ଛୋଟୁ ଯାଦବ, ମୟୁର ଗୁପ୍ତାଙ୍କ ସମେତ ଅନ୍ୟ ସଦସ୍ୟମାନେ ପରିଚାଳନା କରୁଛନ୍ତି।
Follow Us