Murder in Kuchinda Photograph: (sambad.in)
କୁଚିଣ୍ଡା: ପାରିପାରିକ କଳହ ଉଗ୍ରରୂପ ନେଇଛି। ଭାଇ-ଭଉଣୀଙ୍କ କଳି ରକ୍ତପାତ ସୃଷ୍ଟି କରିଛି। ଭାଇର ସୁରକ୍ଷା ପାଇଁ ଯେଉଁ ଭଉଣୀ ପ୍ରତିବର୍ଷ ରାଖୀ ବାନ୍ଧୁଥିଲା, ତାଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି। ବଡ଼ଭଉଣୀ-ସାନଭାଇ ହେଉଛନ୍ତି ଅଭିଯୁକ୍ତ। ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଅଧୀନ ଗୋବିନ୍ଦପୁର ଥାନା ଅନ୍ତର୍ଗତ ମଝିପଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।
ମଝିପଡ଼ା ଗାଁରେ କିଛି ଦିନ ଆଗରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ପାଇଁ ଆଜି ପରିବାରରେ ଅନ୍ତେଷ୍ଟି କ୍ରିୟା ଚାଲିଥିଲା। ଏହି କାର୍ଯ୍ୟରେ ଯୋଗଦେବା ପାଇଁ ବନ୍ଧୁବାନ୍ଧବ ଆସି ପହଞ୍ଚୁ ଥିଲେ। ଭୋଜିଭାତ ରୋଷେଇ ଜାରି ଥିଲା। ତେବେ ଏହି ସମୟରେ ପାରିବାରିକ କଳହ ଆରମ୍ଭ ହୋଇଥିଲା, ଯାହାକି ଉଗ୍ରରୂପ ନେଇଥିଲା।
ମଝିଆ ଭଉଣୀ ଲିନା ସାହୁ ଘର ଭିତରେ ବସିଥିବା ବେଳେ ତାଙ୍କର ବଡ଼ଭଉଣୀ ଓ ସାନଭାଇ ଛୁରୀରେ ଅଚାନକ ଆକ୍ରମଣ କରିଥିଲେ। ଚୁରାମାଡ଼ରେ ଲିନା ରକ୍ତାକ୍ତ ହୋଇଯାଇଥିଲେ। ତାଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ବାମରାସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।
ଖବର ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ପୁଲିସ ଏହି ହତ୍ୟାକାଣ୍ଡ ନେଇ ଏକ ମାମଲା ରୁଜୁ କରିଛି। ଅଭିଯୁକ୍ତମାନଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ରିପୋର୍ଟ ଲେଖାଯିବା ବେଳକୁ ହତ୍ୟାର କାରଣ ଜଣାପଡ଼ି ନାହିଁ।
Crime | Sambalpur | Police
Follow Us