ବେତନଟୀ/ବଡ଼ସାହି/ବୈଶିଙ୍ଗା: ମୟୂରଭଞ୍ଜଜିଲ୍ଲା ଅଧୀନ ୧୮ନଂ ଜାତୀୟ ରାଜପଥ ତୁଳସୀଚଉରା ଢାବା ନିକଟରେ ବାଲିମାଫିଆଙ୍କ ସଂଘବଦ୍ଧ ଆକ୍ରମଣରେ ବେତନଟୀ ତହସିଲଦାର ଓ ଚାଳକ ଆହତ ହୋଇଥିବା ଘଟଣାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବେତନଟୀ ପୁଲିସ l ପୂର୍ବରୁ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଗିରଫ ମାଝାଲ ହୁସେନର ମୋବାଇଲ ଜବତ ପୂର୍ବକ ସେଥିରେ ଥିବା ହ୍ଵାଟ୍ସଆପ ଗ୍ରୁପକୁ ନିରୀକ୍ଷଣ କରି ଖୋଦ ଏସଡିପିଓ ମିନତି ବିଶ୍ୱାଳଙ୍କ ତତ୍ତ୍ୱବଧାନରେ ଗତରାତିରେ ଚଢ଼ାଉ କରି ମାମଲାରେ ଜଡିତ ଥିବା ଅନ୍ୟ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବେତନଟୀ ପୁଲିସ l
ମୋଟ ୯ଜଣଙ୍କୁ ଗିରଫ କରାଗଲାଣି
ଅଭିଯୁକ୍ତମାନେ ହେଲେ ବଡ଼ସାହି ଥାନା ଅଧୀନ କୁଳିଅଣା ଗ୍ରାମର ଦୁର୍ଗାଚରଣ କୁଅଁର (୨୪), ନିଶ୍ଚିତପୁର ଗ୍ରାମର ଦେବାଂଶୁ ଜେନା(୩୪) , କୁଳିଅଣା ଗ୍ରାମର ରାଜୀବ ଲୋଚନ ସେନାପତି(୩୦), କୁଳିଅଣା ଗ୍ରାମର ସୁମନ୍ତ ନାୟକ (୪୦), ଖୁଣ୍ଟା ଥାନା ଅଧୀନ ବଡଫେଣୀ ଗ୍ରାମର ବିଷ୍ମୟ ରଞ୍ଜନ ମହାନ୍ତ (୪୦) ଏବଂ ବୈଶିଙ୍ଗା ଥାନା ଅଧୀନ ଜାମନଣ୍ଡା ଗ୍ରାମର ପ୍ରଦ୍ୟୁମ୍ନ ବେହେରା(୨୧) l ଏହି ଘଟଣାରେ ମୋଟ ୯ଜଣଙ୍କୁ ଗିରଫ କରାଗଲାଣି l
ବେତନଟୀରେ ବାଲିଗାଡ଼ି ଜବତ କରିବାରୁ ବେତନଟୀ ତହସିଲଦାର, ଗାଡ଼ି ଚାଳକ ଏବଂ ଅନ୍ୟ ୩ ଜଣ କର୍ମଚାରୀଙ୍କୁ ବାଲି ମାଫିଆଙ୍କ ଆକ୍ରମଣ ପରେ ଆକ୍ସନ ମୋଡ୍କୁ ଆସିଥିଲା ପ୍ରଶାସନ ଓ ପୁଲିସ। ବିଭିନ୍ନ ସ୍ଥାନରେ ଚଢ଼ଉ କରି ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଥିଲା। ଏକ ବାଲି ଉତ୍ତୋଳନ ମେସିନ୍କୁ ଜବତ ସହ ଚୋରାବାଲି ନିଲାମ କରାଯାଇଥିଲା।
ଆହୁରି ପଢ଼ନ୍ତୁ: Odisha Assembly: ରାଜାଙ୍କୁ ଦେଖି ଅଟକିଗଲେ ରାଷ୍ଟ୍ରପତି: ସ୍ମୃତି ବଖାଣିଲେ ରାଜା ସ୍ବାଇଁ… କହିଲେ- ଆମର ଭାଇଭଉଣୀ ଭଳିଆ ସମ୍ପର୍କ ଥିଲା..
ମଙ୍ଗଳବାର ବେତନଟୀ ତହସିଲଦାର ଚନ୍ଦ୍ରଜିତ ବେହେରା ଓଡି-୧୧ଏଇ-୩୨୩୪ ନମ୍ବର ବିଶିଷ୍ଟ ବେଆଇନ ବାଲି ବୋଝେଇ ଟ୍ରାକ୍ଟର୍କୁ ଜବତ କରିଥିଲେ। ଏଥିରେ ପ୍ରତିଶୋଧପରାୟଣ ହୋଇ ୧୫ରୁ ୨୦ ଜଣ ସଂଘବଦ୍ଧ ଭାବେ ଆକ୍ରମଣ କରିବାରୁ ତହସିଲଦାର ଶ୍ରୀ ବେହେରା, ଗାଡ଼ି ଚାଳକ ନିହାର ରଞ୍ଜନ ବିଶ୍ୱାଳ ଗୁରୁତର ଆହତ ହୋଇଥିବା ବେଳେ ରାଜସ୍ବ ସୁପର୍ଭାଇଜର ହେମକାନ୍ତ ମହାନ୍ତ, ଯୁଗପୁରା ରାଜସ୍ବ ନିରୀକ୍ଷକ ସଞ୍ଜୀବ ମହାନ୍ତ ଓ ସତ୍ୟବ୍ରତ ନାୟକ ଆହତ ହୋଇଥିଲେ।
ଏନେଇ ତହସିଲଦାରଙ୍କ ଏତଲା ଅନୁଯାୟୀ କେସ୍ ନମ୍ବର ୪୧୭/୨୫ରେ ଏକ ମାମଲା ରୁଜୁ ହୋଇଥିଲା। ଏହାପରେ ଆକ୍ସନ ମୋଡ୍କୁ ଆସିଥିଲା ପ୍ରଶାସନ। ରାତିରେ ବେତନଟୀ ଏସ୍ଡିପିଓ ମିନତି ବିଶ୍ୱାଳଙ୍କ ନେତୃତ୍ୱରେ ବେତନଟୀ, ବଡ଼ସାହି ଓ ବୈଶିଙ୍ଗା ପୁଲିସର ଏକାଧିକ ଟିମ୍ ଚଢ଼ଉ କରି ମୁଖ୍ୟଅଭିଯୁକ୍ତ ବଡ଼ସାହି ଥାନା ବର୍ତ୍ତନା ଗ୍ରାମର ପ୍ରଶାନ୍ତ ଗାଆଣ ଏବଂ ତାଙ୍କ ସହଯୋଗୀ ସୁଶାନ୍ତ ଗାଆଣଙ୍କୁ ବେତନଟୀ ପାଖ ଜଙ୍ଗଲରୁ ଗିରଫ କରିଥିଲା। ସେହିପରି, ବାରିପଦା ଅଞ୍ଚଳରେ ଚଢ଼ଉ କରି ଜିଲ୍ଲାର ବାଲିମାଫିଆଙ୍କ ମୁଖିଆ କୁହାଯାଉଥିବା ‘କିଙ୍ଗ୍ ଅଫ୍ ମୟୂରଭଞ୍ଜ’ ନାମକ ଏକ ହ୍ବାଟ୍ସ-ଆପ୍ ଗ୍ରୁପ୍ ଚଳାଉଥିବା ଶୂନଗଡ଼ିଆ ଅଞ୍ଚଳର ମାଝାଲ ହୁସେନକୁ ଗିରଫ କରାଯାଇଥିଲା। ବେତନଟୀ ପୁଲିସ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା।
ଆହୁରି ପଢ଼ନ୍ତୁ: Farmers: ନବରଂଗପୁରରେ ବର୍ଷକରେ ବଢ଼ିଲେ ୮୧୦୯ଚାଷୀ, ୫୨୧୭ ଭାଗଚାଷୀ ଚିହ୍ନଟ
ଏଣେ ମୟୂରଭଞ୍ଜ ଅତିରିକ୍ତ ଏସ୍ପି ଗୌତମ କିଷାନ ବେତନଟୀ ଥାନାରେ ପହଞ୍ଚି ତଦନ୍ତକୁ ତ୍ୱରାନ୍ୱିତ କରିଥିଲେ। ସେହିପରି, ଉପଜିଲ୍ଲାପାଳ ଦୟାସିନ୍ଧୁ ପରିଡ଼ାଙ୍କ ନେତୃତ୍ୱରେ ବେତନଟୀ ବିଡିଓ, ବେତନଟୀ, ବଡ଼ସାହି ଓ ବାରିପଦା ତହସିଲଦାର ଓ ଅତିରିକ୍ତ ତହସିଲଦାର ଏବଂ ଜିଲ୍ଲା ଖଣି ଅଧିକାରୀମାନଙ୍କୁ ନେଇ ଗଠିତ ସବ୍ଡିଭିଜନାଲ୍ ଏନ୍ଫୋର୍ସମେଣ୍ଟ ଟିମ୍ ଦିନତମାମ ବଡ଼ସାହି ଓ ବେତନଟୀ ବ୍ଲକ୍ ଅଧୀନ ବର୍ତ୍ତନା, ହରିପୁର, ମାଧପୁର ଓ କାଠପାଳ ଆଦି ବୁଢ଼ାବଳଙ୍ଗ ନଦୀଘାଟରେ ଚଢ଼ଉ କରିଥିଲା। ମାଧପୁର ଓ କାଠପାଳ ଘାଟରେ ଜମା କରାଯାଇଥିବା ବେଆଇନ ବାଲିକୁ ଦେଢ଼ଲକ୍ଷ ଟଙ୍କାରେ ନିଲାମ ହୋଇଛି। ସେହିପରି କାଠପାଳ ଘାଟରେ ବାଲି ଉତ୍ତୋଳନ ପାଇଁ ରଖାଯାଇଥିବା ଏକ ମେସିନ୍କୁ ଜବତ କରାଯାଇଛି। ଜବତ ହୋଇଥିବା ଏକ ମୋବାଇଲ୍ ଫୋନ୍ ଆଧାରରେ ‘କିଙ୍ଗ୍ ଅଫ୍ ମୟୂରଭଞ୍ଜ’ ହ୍ବାଟ୍ସ୍ଆପ୍ ଗ୍ରୁପ୍କୁ ନେଇ ତଦନ୍ତ ଚାଲିଛି। ସେହିପରି ଆକ୍ରମଣରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/28/untitled-2025-11-28-10-20-52.png)