SOP for sand Photograph: (sambad.in)
ଭୁବନେଶ୍ବର: ରାଜ୍ୟରେ ବାଲି ଓ ଖଣି ମାଫିଆ ମାତିଛନ୍ତି। ବାଲି ଓ ଖଣି ମାଫିଆମାନେ ରାଜ୍ୟ ଭିତରୁ ବେଆଇନ୍ ଭାବେ ବାଲି ଓ ଖଣିଜ ସାମଗ୍ରୀ ଚାଲାଣ କରି ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଆଗାମୀ ଦିନରେ ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ହାତକୁ ପଦକ୍ଷେପ ନେଇଛନ୍ତି। ବାଲି ଖାଦାନ ପରିଚାଳନା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର ବା ଏସଓପି ଆସିଛି। ଲଘୁ ଖଣିଜ ନିର୍ଦ୍ଦେଶାଳୟ ପକ୍ଷରୁ ଏସ୍ଓପି ଜାରି ହୋଇଛି।
ଏସ୍ଓପି ଅନୁଯାୟୀ ବାଲି ପରିଚାଳନା ପାଇଁ ପ୍ରତି ଜିଲ୍ଲାରେ କମିଟି ଗଠନ ହେବ। ଏହି କମିଟିରେ ଜିଲ୍ଲାପାଳ ଅଧ୍ୟକ୍ଷତା କରିବେ। କେଉଁ ଖାଦାନରୁ ବାଲି ଉତ୍ତୋଳନ ହେବ, ତାହା ଚୟନ କରିବ ଏହି କମିଟି। ଏଥିରେ ସଦସ୍ୟ ଭାବେ ଉପଜିଲ୍ଲାପାଳ, ଏସ୍ପି, ଜିଲ୍ଲା ବନଖଣ୍ଡ ଅଧିକାରୀ (ଡିଏଫଓ), ଜିଲ୍ଲା ଉନ୍ନୟନ ଅଧିକାରୀ, ରାଜସ୍ବ ବିଭାଗ ଏଡିଏମ୍, ଜିଲ୍ଲା ଖଣି ଅଧିକାରୀ ରହିବେ। ୨ ଜଣ ବିଡିଓ ଏବଂ ୨ ଜଣ ତହସିଲଦାର ମଧ୍ୟ ସଦସ୍ୟ ରହିବେ, ଯେଉଁମାନଙ୍କୁ ଜିଲ୍ଲାପାଳ ମନୋନୀତ କରିବେ। ଏହି କମିଟିର ଆବାହକ ରହିବେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ।
ରାଜ୍ୟ ବାହାରକୁ ବାଲି ଚାଲାଣ
- ନୂଆପଡ଼ା ତହସିଲ ଅଧୀନ ଛତିଶଗଡ଼ ସୀମାନ୍ତରେ ବେଆଇନ ବାଲି ଚୋରାଚାଲାଣ ବଢ଼ିବାରେ ଲାଗିଛି। ବାଲି ମାଫିଆ ମାଲାମାଲ ହେଉଥିବା ବେଳେ ସରକାର କୋଟିକୋଟି ଟଙ୍କାର ରାଜସ୍ବ ହରାଉଛନ୍ତି।
- ରାୟଗଡ଼ା ଜିଲ୍ଲାର ନାଗାବଳୀ ଓ ବଂଶଧାରା ନଦୀରୁ ବେଧଡ଼କ ଓ ବେଆଇନ ଭାବେ ପଡୋଶୀ ଆନ୍ଧ୍ରପ୍ରଦେଶକୁ ବାଲି ଚୋରା ଚାଲାଣ ହେଉଛି। ତହସିଲ ଓ ମାଇନିଂ ବିଭାଗ ପକ୍ଷରୁ ଚଢ଼ଉ କରାଯାଉଛି। କିନ୍ତୁ ଅନେକ ସମୟରେ ମାଫିଆମାନେ ଖସି ଯାଉଛନ୍ତି।
- ମୟୂରଭଞ୍ଜ ଜିଲ୍ଲା ତିରିଂ ତହସିଲ ଅଞ୍ଚଳରୁ ପଡ଼ୋଶୀ ଝାଡ଼ଖଣ୍ଡକୁ ବେଆଇନ୍ ଭାବେ ବାଲି ଚାଲାଣ ହେଉଥିଲା। କିଛି ମାସ ହେଲା ପ୍ରଶାସନ ସକ୍ରିୟ ଥିବାରୁ ଚୋରା ଚାଲାଣରେ ବ୍ରେକ୍ ଲଗିଛି।
- ସେହିପରି ବାଲେଶ୍ବର ଜିଲ୍ଲା ଜଳେଶ୍ବର ଓ ବସ୍ତା ଅଞ୍ଚଳରୁ ସୁବର୍ଣ୍ଣରେଖା ନଦୀର ବିଭିନ୍ନ ସ୍ଥାନରୁ ପଡ଼ୋଶୀ ପଶ୍ଚିମବଙ୍ଗକୁ ମଧ୍ୟ ଅନେକ ସମୟରେ ବେଧଡ଼କ ବାଲି ଚୋରାଚାଲାଣ ହେଉଥିବା ଅଭିଯୋଗ ହେଉଛି।
SOP | Sand
Follow Us