ବିଜେଡି ସାଂସଦ କହିଲେ- ଦେଶବାସୀଙ୍କୁ କଷ୍ଟ ଦେଇଥିବାରୁ କ୍ଷମା ମାଗୁଛି

ବୟାନ ଗଣମାଧ୍ୟମରେ ପ୍ରକାଶିତ ହେବା ଏବଂ ନିଜ ଦଳର ନେତାଙ୍କ ସମେତ ରାଜ୍ୟ ସରକାରଙ୍କ ମନ୍ତ୍ରୀ ସମାଲୋଚନା କରିବା ପରେ ସୁଲତା ଦେଓ କ୍ଷମା ପ୍ରାର୍ଥନା କରିଛନ୍ତି। ସେ କହିଛନ୍ତି ଦେଶବାସୀଙ୍କୁ କ୍ଷମା ମାଗୁଛି।

Sulata Deo

Sulata Deo Photograph: (sambad.in)

ଭୁବନେଶ୍ବର: ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲା ପହଲଗାମରେ ଗତ ୨୨ ତାରିଖ ଦିନ ଆତଙ୍କବାଦୀ ଆକ୍ରମଣ ନେଇ ବୟାନବାଜି କରିଥିବା ବିଜୁ ଜନତା ଦଳ (ବିଜେଡି)ର ରାଜ୍ୟସଭା ସାଂସଦ ସୁଲତା ଦେଓ କ୍ଷମା ମାଗିଛନ୍ତି। ତାଙ୍କର ବୟାନ ଗଣମାଧ୍ୟମରେ ପ୍ରକାଶିତ ହେବା ଏବଂ ନିଜ ଦଳର ନେତାଙ୍କ ସମେତ ରାଜ୍ୟ ସରକାରଙ୍କ ମନ୍ତ୍ରୀ ସମାଲୋଚନା କରିବା ପରେ ସୁଲତା ଦେଓ କ୍ଷମା ପ୍ରାର୍ଥନା କରିଛନ୍ତି। ସେ କହିଛନ୍ତି, ଯଦି ମୋ ବୟାନ ଦେଶବାସୀଙ୍କୁ ଉପହାସିତ କରିଛି ଏଥି ପାଇଁ ମୁଁ ଦୁଃଖ ପ୍ରକାଶ କରୁଛି। କ୍ଷମା ପ୍ରାର୍ଥନା କରୁଛି। 

ସୂଚନାଯୋଗ୍ୟ, ସୁଲତା ଦେଓ କହିଥିଲେ ଯେ, ପହଲଗା‌ମରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟଣାରେ ଯେତିକି ସମୟରେ ଲୋକେ ମରିଛନ୍ତି ସେତିକି ସମୟରେ କାହାର ଧର୍ମ ପଚାରି ହେବନାହିଁ। କୌଣସି ଆତଙ୍କବାଦୀ କେବେ ଧର୍ମ ଓ ଜାତି ସହ ବନ୍ଧା ନଥାନ୍ତି। ଗୋଟିଏ ପଟେ ହିନ୍ଦୁ କି ନୁହେଁ ପଚାରି ଆତଙ୍କବାଦୀ ଗୁଳି ମାରିଚାଲିଥିଲେ ବୋଲି ମୃତକଙ୍କ ପରିବାର କହୁଥିବା ବେଳେ ସାଂସଦ ସୁଲତାଙ୍କ ବିବାଦୀୟ ମନ୍ତବ୍ୟ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।  

ଗତ ମଙ୍ଗଳବାର ଦିନ ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲା ପହଲଗାମରେ ପର୍ଯ୍ୟଟକମାନେ ପ୍ରାକୃତିକ ପରିବେଶ ସହିତ ସମୟ ବିତାଉଥିବା ବେଳେ ଆତଙ୍କବାଦୀମାନେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୨ ଜଣ ଓଡ଼ିଆଙ୍କ ସମେତ ମୋଟ ୨୬ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ଘଟିଥିଲା। ମୃତକମାନଙ୍କ ମଧ୍ୟରେ ୨ ଜଣ ବିଦେଶୀ ନାଗରିକ ଥିଲେ। ସେହିପରି ମୃତ ୨୬ ଜଣଙ୍କ ମଧ୍ୟରୁ ଜଣେ ଅଣ ହିନ୍ଦୁ ଥିବା ବେଳେ ଅନ୍ୟମାନେ ହିନ୍ଦୁ ସଂପ୍ରଦାୟର ବୋଲି ମଧ୍ୟ କୁହାଯାଉଛି। 

ସୁଲତାଙ୍କ ମନ୍ତବ୍ୟ ନେଇ ବିଜେଡିର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ଶ୍ରୀ ମିଶ୍ର କହିଛନ୍ତି, ଯେଉଁମାନେ ଉପହାସ କରୁଛନ୍ତି ସେମାନେ ନିଜେ ଉପହାସ ଯୋଗ୍ୟ। ତାଙ୍କୁ ଲୋକମାନେ ଉପହାସ କରିବା କଥା। ଦୁଃଖର କଥା ଜଣଙ୍କର ଦୁଃଖ ବେଳେ ଆଦୌ ଉପହାସ କରିବା ଉଚିତ ନୁହେଁ। ଆମ ସଂସ୍କୃତି ଆମକୁ ଏହା ଶିକ୍ଷା ଦେଇନି। ଏହିଭଳି କଥା ଆଦୌ ଶୋଭନୀୟ ନୁହେଁ ବୋଲି କହିବା ସହ ସାଂସଦଙ୍କ ବୟାନକୁ ସେ ନିନ୍ଦା କରିଛନ୍ତି। 

ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ବିଜେଡି ରାଜ୍ୟସଭା ସାଂସଦ ଏହି ବୟାନକୁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନିନ୍ଦା କରିଛନ୍ତି। ମନ୍ତ୍ରୀ କହିଛନ୍ତି, ଏଭଳି ଦୁଃସମୟରେ ଉପହାସ କରିବା ନିନ୍ଦନୀୟ। ଏଭଳି ଲୋକ ରାଜନୀତି କରିବାକୁ ଯୋଗ୍ୟ ନୁହଁନ୍ତି। 

BJD | politics | Sulata Deo

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe