୧୦ ବର୍ଷରୁ ଊର୍ଦ୍ଧ୍ବ ହେଲା ମିନି ଷ୍ଟାଡିୟମ କାର୍ଯ୍ୟ ଅଧାପନ୍ତରିଆ ପଡ଼ିଛି

ବାମନଘାଟି ଉପଖଣ୍ଡ ବିଜାତଳା ବ୍ଳକ୍ ଅନ୍ତର୍ଗତ ଖନ୍ତ ଛକ ନିକଟରେ ନିର୍ମିତ ମିନି ଷ୍ଟାଡିୟମ ସମ୍ପୂର୍ଣ୍ଣ ହେବା ପାଇଁ ଆହୁରି ଅଧିକ ଅର୍ଥର ଆବଶ୍ୟକତା ଥିବାରୁ ଆଉ କାମ ଆଗେଇ ପାରିନଥିଲା। ଫଳରେ ଏବେ ଏହା ଅଧାପନ୍ତରିଆ ହୋଇ ପଡ଼ିରହିଛି।

Bamanghati stadium

Bamanghati stadium Photograph: (sambad.in)

ରାଇରଙ୍ଗପୁର/ବିଜାତଳା (ତୁଷାର କାନ୍ତ ମହାନ୍ତ): ୧୦ ବର୍ଷ ବିତିଗଲାଣି ମୟୂରଭଂଜ ଜିଲ୍ଲା ବାମନଘାଟି ଉପଖଣ୍ଡ ବିଜାତଳା ବ୍ଳକ୍ ଅନ୍ତର୍ଗତ ଖନ୍ତ ଛକ ନିକଟରେ ନିର୍ମିତ ମିନି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ହୋଇ ପଡ଼ିରହିଛି। ଫାଟକ ଓ ପାଚେରୀ କାମ ଶେଷ କରି ଚୁପଚାପ ବସିଛନ୍ତି ବିଭାଗୀୟ ଅଧିକାରୀ। ଆଶା ଥିଲା, ଷ୍ଟାଡ଼ିୟମ କାମ ଶେଷ ହେବା ପରେ ସ୍ଥାନୀୟ ଯୁବକଯୁବତୀ ବିଭିନ୍ନ ପ୍ରକାର ଖେଳଖେଳି ଖେଳିବାକୁ ସହଜ ହେବ। ଏଥିସହିତ କ୍ରୀଡ଼ା କ୍ଷେତ୍ରରେ ଅଗ୍ରସର ହେବାକୁ ଏହା ସୁଯୋଗ ସୃଷ୍ଟି କରିବ। କିନ୍ତୁ ୧୦ ବର୍ଷରୁ ଊର୍ଦ୍ଧ୍ବ ଧରି କାମ ଅଧାପନ୍ତରିଆ ପଡ଼ି ରହିଥିବାରୁ ସ୍ଥାନୀୟ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ନୈରାଶ୍ୟ ଭାବ ଦେଖାଦେଇଛି।

ସୂଚନା ଅନୁସାରେ, ସାରସକଣା ବିଧାୟକ ଭାଦବ ହାଁସଦା ବିଧାୟକ ଥିବା ସମୟରେ ମିନି ଷ୍ଟାଡିୟମ ନିର୍ମାଣ ପାଇଁ କ୍ରୀଡ଼ା ବିଭାଗ ପକ୍ଷରୁ ଖନ୍ତସ୍ଥିତ ଖେଳ ପଡିଆକୁ ଚିହ୍ନଟ କରାଯାଇଥିଲା। ଏଥିପାଇଁ ୨୦୧୫-୧୬ ଆର୍ଥିକ ବର୍ଷରେ ୧୦ ଲକ୍ଷ ଓ ପରେ ୨୦୧୬-୧୭ ଆର୍ଥିକ ବର୍ଷରେ ପୁଣି ୧୦ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଥିଲା। ଏହି ଅନୁଦାନ ରାଶିରେ ପଡ଼ିଆ ସମତୁଲ କରାଯାଇ ଏକ ଘର ଓ ଏହା ଉପରେ ଦର୍ଶକ ଗ୍ୟାଲେରି ନିର୍ମାଣ କରାଯିବା ସହ ଷ୍ଟାଡିୟମର ଏକ ଫାଟକ ନିର୍ମାଣ କରା‌ଯିବାର ଯୋଜନା ରହିଥିଲା। 

ତେବେ ଏହି ଷ୍ଟାଡିୟମ ସମ୍ପୂର୍ଣ୍ଣ ହେବା ପାଇଁ ଆହୁରି ଅଧିକ ଅର୍ଥର ଆବଶ୍ୟକତା ଥିବାରୁ ଆଉ କାମ ଆଗେଇ ପାରିନଥିଲା। ଫଳରେ ଏବେ ଏହା ଅଧାପନ୍ତରିଆ ହୋଇ ପଡ଼ିରହିଛି। ସ୍ଥାନୀୟ ଜନପ୍ରତିନିଧି,ବିଭାଗୀୟ ଅଧିକାରୀଙ୍କୁ ଇଚ୍ଛା ଶକ୍ତିର ଅଭାବ ଯୋଗୁ ଏହି ଷ୍ଟାଡିୟମ ପାଇଁ ଅଧିକ ଅନୁଦାନ ଆସି ପାରୁ ନଥିବା ସାଧାରଣରେ ଅଭିଯୋଗ ହେଉଛି। ଯେଉଁଥି ପାଇଁ ୧୦ ବର୍ଷ ହେଲା ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରୁନି କି ଏହା କାର୍ଯ୍ୟକ୍ଷମ ହୋଇ ପାରୁନି। ଫଳରେ କ୍ରୀଡ଼ାବିତ୍‌ ଓ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଥରେ ବିଜେଡି ବିଧାୟକ ଏବଂ ଦୁଇଦୁଇ ଥର ବିଜେପି ବିଧାୟକ ଉକ୍ତ ନିର୍ବାଚନ ମଣ୍ଡଳୀରେ ନିର୍ବାଚିତ ହୋଇଥିଲେ ମଧ୍ୟ ଅଧାପନ୍ତରିଆ ଥିବା ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରୁନି। ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

ଅନ୍ୟପଟେ ସ୍ଥାନୀୟ ଅଞ୍ଚଳର କ୍ରୀଡ଼ାବିତ୍‌ମାନେ ଏନେଇ କ୍ଷୋଭ ପ୍ରକାଶ କରି କହିଛନ୍ତି, ୧୦ ବର୍ଷ ଧରି ମିନିଷ୍ଟାଡିୟମ କାମ ସରୁନି। କ୍ରୀଡାବିତ୍ ମାନେ କହିବା ଅନୁଯାୟୀ ମିନି ଷ୍ଟାଡିୟମ ନିର୍ମାଣ ହେବା ପୁର୍ବରୁ ଉକ୍ତ ପଡ଼ିଆରେ ବିଭିନ୍ନ ପ୍ରକାର ଖେଳ ଖେଳୁଥିଲେ କିନ୍ତୁ ନିର୍ମାଣ ଅଧପନ୍ତରିଆ ଥିବାରୁ ପଡିଆର ଅଵସ୍ଥା ଅତି ଶଚନିୟ ଥିବାରୁ ଖେଳିବାରୁ ବଞ୍ଚିତ ହେଉଛନ୍ତି। ଜନପ୍ରତିନିଧି ଆନ୍ତରିକତାର ସହିତ ଉଦ୍ୟମ କରିବା ଉଚିତ ଷ୍ଟାଡିୟମ କାର୍ଯ୍ୟକାରୀ ହେଲେ ଏହି ଅଞ୍ଚଳରୁ ବହୁ ଖେଳାଳି ସୃଷ୍ଟି ହୋଇ ଦେଶବିଦେଶରେ ନାମ ରଖିଥାନ୍ତେ। 

 Mayurbhanj | Sports

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe