ଭୁବନେଶ୍ବର: କେନ୍ଦ୍ର କ୍ୟାବିନେଟ୍ରେ ଭୁବନେଶ୍ବର ବାଇପାସକୁ ମଞ୍ଜୁରୀ ମିଳିଛି। କେନ୍ଦ୍ରର ଏହି ପ୍ରକଳ୍ପକୁ ମଂଜୁରୀ ପାଇଁ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରାଜ୍ୟ କ୍ୟାବିନେଟ୍ରେ ବାଣିଜ୍ୟ ପରିବହନ, ଇସ୍ପାତ ଏବଂ ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି।
କେନ୍ଦ୍ର ସରକାରଙ୍କ ଦ୍ବାରା ମଞ୍ଜୁରୀ ମିଳିଥିବା ଏହି ବାଇପାସ୍ ରାସ୍ତା ୬ ଥକିଆ ହେବ, ଯେଉଁଥିରେ ୮,୩୦୭ କୋଟି ଟଙ୍କା ଖର୍ଚ୍ଚ ହେବ। କଟକ, ଭୁବନେଶ୍ବର ଓ ଖୋର୍ଦ୍ଧ ଅଞ୍ଚଳ ମାଲଗାଡ଼ି ଚଳାଚଳକୁ ଏହି ବାଇପାସ୍ ରାସ୍ତା ଟ୍ରାଫିକ୍ ପରିଚାଳନାକୁ ସୁବିଧା କରିପାରିବ। ଏତଦ୍ ବ୍ୟତୀତ ରାଜ୍ୟ ତଥା ଏହି ଅଞ୍ଚଳର ସାମାଜିକ-ଆର୍ଥିକ ଅଭିବୃଦ୍ଧିରେ ଏହି ରାସ୍ତା ବଡ଼ ସହଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି।
ସୂଚନାଯୋଗ୍ୟ, କେନ୍ଦ୍ର କ୍ୟାବିନେଟ୍ ଭୁବନେଶ୍ବର କ୍ୟାପିଟାଲ ରିଜନ ରିଙ୍ଗ ରୋଡ ବା ଭୁବନେଶ୍ବର ବାଇପାସକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ପ୍ରାୟ ୮୩୦୮ କୋଟି ଟଙ୍କାର ଏହି ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି। ପ୍ରାୟ ୧୧୧ କିଲୋମିଟର ଲମ୍ବା ଏହି ରିଙ୍ଗ ରୋଡ୍ ହାଇବ୍ରିଡ୍ ଆନ୍ୟୁଇଟି ମୋଡରେ ନିର୍ମାଣ ହେବ। ଏହି ସଡ଼କ ପ୍ରକଳ୍ପଟି ୬ ଲେନ ବିଶିଷ୍ଟ ହେବ ଓ ଏହା ଦ୍ବାରା କଟକ, ଭୁବନେଶ୍ବର ମୁଖ୍ୟ ରାସ୍ତାରେ ଦେଖାଯାଉଥିବା ଗହଳି ହ୍ରାସ ପାଇବ।
ଏହି ପ୍ରକଳ୍ପଟି ୩ଟି ପ୍ରମୁଖ ଜାତୀୟ ରାଜପଥ (ଏନଏଚ ୫୫,୫୭ ଓ ୬୫୫) ଓ ଗୋଟିଏ ରାଜ୍ୟ ରାଜପଥ ୬୫କୁ ସଂଯୋଗ କରିବ। ଏହା ମଧ୍ୟ ତିନିଟି ଜିଲ୍ଲା କଟକ, ଭୁବନେଶ୍ବର ଓ ଢେଙ୍କାନାଳକୁ ସଂଯୋଗ କରିବ। ଏହି ପ୍ରକଳ୍ପଟି ରାଜ୍ୟର ୪ଟି ପ୍ରମୁଖ ସହର ଭୁବନେଶ୍ବର, କଟକ, ଖୋର୍ଦ୍ଧା ଓ ଢେଙ୍କାନାଳକୁ ସଂଯୋଗ କରିବ। ଏହା ଦ୍ବାରା ପରିବହନ ବ୍ୟବସ୍ଥାରେ ଉନ୍ନତି ଆସିବା ସହ ଆର୍ଥିକ ଅଭିବୃଦ୍ଧି ତ୍ବରାନ୍ବିତ ହେବ।
  
 Follow Us