ନୂଆ ଏନ୍‌ଏସି ଗଠନ ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖି‌ଲେ ରାଜ୍ୟ ସରକାର

ରାଜ୍ୟରେ ନୂଆ ମ୍ୟୁନିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ହେବାର ଆଶା ପୁଣି ଥରେ ଉଦ୍‌ଜୀବିତ ହୋଇଛି। ମୋହନ ମାଝୀଙ୍କ ସରକାର ରାଜ୍ୟର ମ୍ୟୁନିପାଲିଟି ଓ ଏନ୍‌ଏସି ସଂଖ୍ୟା ବୃଦ୍ଧି କରିବାକୁ ପଦକ୍ଷେପ ନେଇଛନ୍ତି।

Lok seba bhaban

ଭୁବନେଶ୍ବର: ରାଜ୍ୟରେ ନୂଆ ମ୍ୟୁନିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ଗଠନ ହେବାର ଆଶା ପୁଣି ଥରେ ଉଦ୍‌ଜୀବିତ ହୋଇଛି। ମୋହନ ମାଝୀଙ୍କ ସରକାର ରାଜ୍ୟର ପୌରପାଳିକା ଓ ଏନ୍‌ଏସି ସଂଖ୍ୟା ବୃଦ୍ଧି କରିବାକୁ ପଦକ୍ଷେପ ନେଇଛନ୍ତି। ଏନେଇ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ନଭେମ୍ବର ୪ତାରିଖରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ୬ଟି ଏନଏସିକୁ ମ୍ୟୁନିସପାଲଟିକୁ ଉନ୍ନୀତ କରିବା ସମେତ ୫୭ଟି ନୂଆ ଏନଏଏସି ଗଠନ ନିମନ୍ତେ ପୂର୍ବ ସରକାର ନୀତିଗତ ଅନୁମୋଦନ କରିଥିବାରୁ ଏସବୁର ବିସ୍ତୃତ ତଥ୍ୟ ନିର୍ଦ୍ଧାରିତ ଫର୍ମାଟରେ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। 

ବିଭାଗର ଅତିରିକ୍ତ ସଚିବ ରବୀନ୍ଦ୍ର କୁମାର ସାହୁ ଜିଲ୍ଲାପାଳମାନଙ୍କୁ ଲେଖିଥିବା ଚିଠିରେ ଗଞ୍ଜାମ ଜିଲ୍ଲାର ଆସିକା, ଛତ୍ରପୁର ଓ ଭଞ୍ଜନଗର ଏନଏସି ସମେତ ବୌଦ୍ଧ ଜିଲ୍ଲାର ବୌଦ୍ଧଗଡ଼ ଏନଏଏସି, ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଏନଏସି ଏବଂ ବଲାଙ୍ଗୀର ଜିଲ୍ଲାର କଂଟାବାଞ୍ଜି ଏନଏସିକୁ ମ୍ୟୁନିସପାଲଟିକୁ ଉନ୍ନୀତ କରିବା ନିମନ୍ତେ ତୁରନ୍ତ ବିସ୍ତୃତ ତଥ୍ୟ ବିଭାଗକୁ ପଠାଇବାକୁ କହିଛନ୍ତି।  

ଅନ୍ୟ ଏକ ଚିଠିରେ ଦେବଗଡ଼, ଗଜପତି, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାକୁ ବାଦ୍ ଦେଇ ଅନ୍ୟ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଶ୍ରୀ ସାହୁ ନୂଆ ୫୭ଟି ଏନଏସି ଗଠନ ନିମନ୍ତେ ନିଆଯାଇଥିବା ନୀତିଗତ ନିଷ୍ପତ୍ତି ଆଧାରରେ ଆବଶ୍ୟକ ତଥ୍ୟ ନିର୍ଦ୍ଧାରିତ ଫର୍ମାଟରେ ପଠାଇବାକୁ କହିଛନ୍ତି। 

ସୂଚନାଯୋଗ୍ୟ, ତତକାଳୀନ ବିଜେଡି ସରକାର ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଯେଉଁ ୨୩ଟି ଜିଲ୍ଲାରେ ୫୭ଟି ନୂଆ ଏନଏଏସି ଗଠନ ପାଇଁ ନୀତିଗତ ନିଷ୍ପତ୍ତି ନେଇଥିଲେ। ସେଥିରେ ସର୍ବାଧିକ ୫ଟି ସୋନପୁର ଜିଲ୍ଲାରେ, ୪ଟି ଲେଖାଏଁ ଯାଜପୁର,କଟକ,ବୌଦ୍ଧ, ବାଲେଶ୍ୱର ଓ ବଲାଙ୍ଗୀର ଜିଲ୍ଲାରେ ରହିଛି। ବିଜେଡି ସରକାର ନିଜର ନିର୍ବାଚନୀ ଫାଇଦା ପାଇଁ ବରଗଡ଼ ଜିଲ୍ଲା ପଦମପୁରକୁ ନୂଆ ଜିଲ୍ଲା ମାନ୍ୟତା ଦେବାକୁ ଘୋଷଣା କରିଥିଲେ। କିନ୍ତୁ ସେହି ପ୍ରତିଶ୍ରୁତି ପୂରଣ କରିପାରି ନଥିଲେ। ତେବେ ମୋହନ ସରକାର ନୂଆ ମ୍ୟୁନିସିପାଲିଟି ଓ ଏନ୍‌ଏସି ଗଠନ ଦିଗରେ କିଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି, ଦେଖିବାକୁ ରହିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe