ରାଜ୍ୟ ସୂଚନା କମିସନ୍‌ଙ୍କ ଆଦେଶକୁ ହାଇକୋର୍ଟରେ ଚାଲେଞ୍ଜ

ଆବେଦନକାରୀଙ୍କ ଅନୁପସ୍ଥିତିରେ ରାଜ୍ୟ ମୁଖ୍ୟ ସୂଚନା କମିସନର୍‌ ମାମଲାକୁ ଖାରଜ କରିବା ଆଇନ ସମ୍ମତ ନୁହେଁ ବୋଲି ଦର୍ଶାଇ ଦାୟର ଆବେଦନକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି।

Orissa High Court

Orissa High Court Photograph: (sambad.in )

କଟକ: ଆବେଦନକାରୀଙ୍କ ଅନୁପସ୍ଥିତିରେ ରାଜ୍ୟ ମୁଖ୍ୟ ସୂଚନା କମିସନର୍‌ ମାମଲାକୁ ଖାରଜ କରିବା ଆଇନ ସମ୍ମତ ନୁହେଁ ବୋଲି ଦର୍ଶାଇ ଦାୟର ଆବେଦନକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ସୂଚନା କମିସନ୍‌ଙ୍କ ନିକଟରେ ଉପସ୍ଥିତ ରହି ମାମଲାରେ ପକ୍ଷ ରଖିବାକୁ ଆବେଦନକାରୀଙ୍କୁ ସୁଯୋଗ ପ୍ରଦାନ ସପକ୍ଷରେ ହାଇକୋର୍ଟ ରାୟ ଦେଇଛନ୍ତି।

ସୂଚନା କମିସନ୍‌ ମାମଲା ଖାରଜ କରି ଦେଇଥିବା ନିର୍ଦ୍ଦେଶ ପ୍ରତ୍ୟାହାର ପାଇଁ ଆବେଦନକାରୀ ଦରଖାସ୍ତ ଦାଖଲ କରିବେ। ଏପରି ଦରଖାସ୍ତକୁ ସୂଚନା କମିସନ୍‌ ବିଚାର କରିବେ। ଯଦି ଆବେଦନକାରୀ ଯଥେଷ୍ଟ କାରଣ ଦର୍ଶାଇଥିବେ ତେବେ ମାମଲାର ସାନି ଶୁଣାଣି ବେଳେ ପକ୍ଷ ରଖିବାକୁ ଆବେଦନକାରୀଙ୍କୁ ସୂଚନା କମିସନ୍‌ ସୁଯୋଗ ଦେବେ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ସୂଚନା କମିସନ୍‌ଙ୍କ ୨୦୧୬, ମେ’ ୧୬ର ନିର୍ଦ୍ଦେଶକୁ ଚାଲେଞ୍ଜ କରି ଦାୟର ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଜଷ୍ଟିସ୍‌ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। 

ମାମଲାର ବିବରଣୀରୁ ପ୍ରକାଶ ଯେ, କେନ୍ଦ୍ରପଡ଼ା ଜିଲ୍ଲାର ସୂଚନା ଅଧିକାର କର୍ମୀ ଶ୍ରୀ ଆଚାର୍ଯ୍ୟ ୨୦୨୧ରେ ସୂଚନା ଅଧିକାର ଆଇନ ବଳରେ ଜଗତସିଂହପୁର ଏସ୍‌ପିଙ୍କ କାର୍ଯ୍ୟାଳୟକୁ ଜଣେ ପୁଲିସ୍ ଅଧିକାରୀଙ୍କ ଚାକିରି ସମ୍ବନ୍ଧୀୟ ତଥ୍ୟ ମାଗିଥିଲେ। ଏହି ତଥ୍ୟ ପିଆଇଓ ନ ଦେବାରୁ ଆବେଦନକାରୀ ପ୍ରଥମ ଅପିଲ୍‌ ଓ ପରେ ରାଜ୍ୟ ସୂଚନା କମିସନ୍‌ଙ୍କ ନିକଟରେ ୨୦୨୧ରେ ଦ୍ବିତୀୟ ଅପିଲ୍‌ ଦାୟର କରିଥିଲେ। ୪ ବର୍ଷ ପରେ ଗତ ମେ’ ୧୬ରେ ମୂଖ୍ୟ ସୂଚନା କମିସନର୍‌ଙ୍କ ନିକଟରେ ମାମଲାର ଶୁଣାଣି ସମୟରେ ଶ୍ରୀ ଆଚାର୍ଯ୍ୟ ଠିକ୍ ସମୟରେ ପହଞ୍ଚି ପାରି ନଥିଲେ।

ସାମାନ୍ୟ କିଛି ମିନିଟ୍‌ ବିଳମ୍ବରେ ଆବେଦନକାରୀ ପହଞ୍ଚି ଜାଣିବାକୁ ପାଇଥିଲେ ଯେ ତାଙ୍କ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପଡ଼ି ସାରିଛି। ଶୁଣାଣି ପାଇଁ ଆଉ ଏକ ତାରିଖ ଧାର୍ଯ୍ୟ କରି ତାଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦିଆଯାଉ ବୋଲି ଆବେଦନକାରୀ ନିବେଦନ କରିଥିଲେ। କିନ୍ତୁ ସେହିଦିନ ଆବେଦନକାରୀଙ୍କ ଶୁଣାଣି ବେଳେ ଅନୁପସ୍ଥିତି କାରଣରୁ ମାମଲାକୁ ଖାରଜ କରାଯାଇଥିଲା। ଏହି ପ୍ରସଙ୍ଗରେ ଆବେଦନକାରୀଙ୍କ ତରଫରୁ ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ଏହାପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

 Cuttack | Orissa High Court

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe