ଭୁବନେଶ୍ଵର: ସଂକ୍ରମଣ ରୋଗ ନିରୀକ୍ଷଣ ୟୁନିଟରୁ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଦିଗପହଣ୍ଡି ବ୍ଲକର ଉସ୍ତପଲ୍ଲୀ ଗ୍ରାମରେ ଦେଖାଯାଇଥିବା ଡାଇରିଆ ରୋଗର ସୂଚନା ମିଳିବା ମାତ୍ରେ ଜିଲ୍ଲା ସ୍ତରୀୟ ଟିମ୍ ଓ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ୟୁନିଟ ଗ୍ରାମରେ ତୁରନ୍ତ ପହଞ୍ଚି ଆକ୍ରାନ୍ତ ଲୋକଙ୍କ ଚିକିତ୍ସା କରିବା ସହ ଘରକୁ ଘର ଓ. ଆର. ଏସ. ପ୍ୟାକେଟ, ଔଷଧ, ହାଲୋଜେନ୍ ବଟିକା ବଣ୍ଟନ ଆଦି କରିଥିଲେ। ଆବଶ୍ୟକ ସ୍ଥଳେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇ ଥିଲା। ପାନୀୟ ଜଳ ଓ ଝାଡ଼ା ଆଦିର ନମୁନା ସଂଗ୍ରହ କରି ପରୀକ୍ଷା ନିମନ୍ତେ ପଠାଯାଇଥିଲା।
ଆଜି ପୂର୍ବାହ୍ନରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ସ୍ଥିତିର ସମୀକ୍ଷା କରି ଦିଗପହଣ୍ଡି ଅଞ୍ଚଳରେ ସଘନ ସଚେତନତା ଓ ବିଶୋଧନ କାର୍ଯ୍ୟକ୍ରମ କୁ ବ୍ୟାପକ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ଚିକିତ୍ସା ଓ ପ୍ରତିରୋଧ କାର୍ଯ୍ୟକ୍ରମର ଉତ୍ତମ ପରିଚାଳନା ନିମନ୍ତେ ରାଜ୍ୟ ସ୍ତରରୁ ବିଶେଷଞ ଟିମ୍ ପଠେଇବା ପାଇଁ ନିଷ୍ପତ୍ତି ହୋଇଥିଲା।
ତଦନୁଯାୟୀ ରାଜ୍ୟ ରାପିଡ ଆକ୍ସନ ଟିମ୍ ର ଡାକ୍ତର ସୁରଜିତ ଗରାବଡୁ, ଜାତୀୟ ଭାଇରାଲ୍ ହେପାଟିଟିସ ନିୟନ୍ତ୍ରଣ କାର୍ଯ୍ୟକ୍ରମର ପରାମର୍ଶଦାତା ଡାକ୍ତର କଲ୍ଲୋଳ ଦାସଙ୍କୁ ଉସ୍ତପଲ୍ଲୀ ଗ୍ରାମ ପଠାଯାଇଥିଲା। ଇତି ମଧ୍ୟରେ ଟିମ୍ ସେଠାରେ ପହଞ୍ଚି କାର୍ଯ୍ୟ ଆରମ୍ଭ କରିଛନ୍ତି। ଏମାନେ ଜିଲ୍ଲା ଓ ସ୍ଥାନୀୟ ଟିମ୍ ସହ ମିଳିତ ଭାବେ କାର୍ଯ୍ୟ କରିବା ସହ ଜଳବାହିତ ରୋଗର ପ୍ରତିରୋଧ ଓ ପ୍ରତିଷେଧକ କାର୍ଯକ୍ରମ ଗୁଡ଼ିକର କ୍ଷେତ୍ର ସ୍ତରୀୟ କାର୍ଯ୍ୟାୟନକୁ ନିରୀକ୍ଷଣ କରି ସେଗୁଡିକୁ ଅଧିକ ଫଳଦାୟୀ କରିବା ନିମନ୍ତେ ଆବଶ୍ୟକୀୟ ପରାମର୍ଶ ଦେବେ।
ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି ଯେ ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖାଯାଇଛି। ଡାକ୍ତର, ପାରାମେଡିକାଲ ଷ୍ଟାଫ୍, ଆବଶ୍ୟକୀୟ ଔଷଧ, ଇଞ୍ଜେକସନ ସାଲାଇନ୍ ଆଦି ଡାକ୍ତରଖାନା, ସ୍ବାସ୍ଥ୍ୟ ଉପକେନ୍ଦ୍ର ଏବଂ ସ୍ବାସ୍ଥ୍ୟ କର୍ମୀଙ୍କ ନିକଟରେ ରଖାଯାଇଛି।
ଭୟଭୀତ ନ ହୋଇ ସ୍ବାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚଳିବା ପାଇଁ ଜନ ସାଧାରଣଙ୍କୁ ଅନୁରୋଧ କରାଯାଇଛି। ପାଣିକୁ ଫୁଟେଇ ଥଣ୍ଡା ହେଲା ପରେ ପିଇବା, ଗରମ ସୁଷମ ଖାଦ୍ୟ ଖାଇବା, ବାହାର ଖାଦ୍ୟ ନ ଖାଈବା, ଫାଷ୍ଟ ଫୁଡ୍ ଆଦିକୁ ସମୂର୍ଣ୍ଣ ଭାବେ ବର୍ଜନ କରିବା, ଖାଇବା ପୂର୍ବରୁ ଏବଂ ପରେ ଭଲ ଭାବେ ସାବୁନରେ ଧୋଇବା, ସ୍ବାସ୍ଥ୍ୟ ସୁରକ୍ଷା ଓ ପରିଚ୍ଛନ୍ନତା ନିୟମକୁ ଦୈନଦିନ ଜୀବନରେ ଗ୍ରହଣ କରିବା ନିମନ୍ତେ ମଧ୍ୟ ଜନ ସାଧାରଣଙ୍କୁ ଅନୁରୋଧ କରାଯାଇଛି।
Health | ganjam
Follow Us