ବଳଙ୍ଗା ପୀଡ଼ିତାଙ୍କ ବ୍ୟବସ୍ଥାଭିତ୍ତିକ ହତ୍ୟା ହୋଇଛି: କଂଗ୍ରେସ

ପିସିସି ସଭାପତି କହିଛନ୍ତି, ଏଭଳି ଘଟଣାରେ ସଂପୃକ୍ତ ଦୋଷୀକୁ କାହିଁକି ଧରାଯାଇନାହିଁ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ବଳଙ୍ଗା ଘଟଣାକୁ ଦୁଇ ସପ୍ତାହ ବିତିଛି। ଏତେ ଚର୍ଚ୍ଚା ହେଲା। ଅଥଚ ଆଜି ପର୍ଯ୍ୟନ୍ତ ଦୋଷୀକୁ ଆମ ଶାସନ ବ୍ୟବସ୍ଥା ଧରି ପାରିଲା ନାହିଁ।

Bhakta Das

ଭୁବନେଶ୍ବର: ପୁରୀ ଜିଲ୍ଲା ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଶୋକ ପ୍ରକାଶ କରିଛନ୍ତି। ମୃତକାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ଏଥି ସହିତ ପିସିସି ସଭାପତି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। 

ପିସିସି ସଭାପତି ଶ୍ରୀ ଦାସ କହିଛନ୍ତି, ଏଭଳି ଘଟଣାରେ ସଂପୃକ୍ତ ଦୋଷୀକୁ କାହିଁକି ଧରାଯାଇନାହିଁ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ବଳଙ୍ଗା ଘଟଣାକୁ ଦୁଇ ସପ୍ତାହ ବିତିଛି। ଏତେ ଚର୍ଚ୍ଚା ହେଲା। ଅଥଚ ଆଜି ପର୍ଯ୍ୟନ୍ତ ଦୋଷୀକୁ ଆମ ଶାସନ ବ୍ୟବସ୍ଥା ଧରି ପାରିଲା ନାହିଁ। ଗୃହ ବିଭାଗ କିଭଳି ପରିଚାଳିତ ହେଉଛି ସେଥିରୁ ସ୍ପଷ୍ଟ ଜଣାପଡୁଛି। ଗୋଟି ଗୋଟି କରି ଏ ଘଟଣାକୁ କିଭଳି ଚପା ଯିବାକୁ ଚେଷ୍ଟା କରାଯାଉଛି ତାହା ଜଣାପଡୁଛି।

ପିସିସି ସଭାପତି ପୁନର୍ବାର ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଘଟଣାକୁ ମନେ ପକାଇଛନ୍ତି। ପେଟ୍ରୋଲ କିଏ ଆଣିଲା? କିଏ ଉପସ୍ଥିତ ଥିଲେ? ତାହା କଣ ସରକାର ଜାଣି ପାରୁନାହାନ୍ତି କି? ଗୃହ ବିଭାଗ ଓ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟପନ୍ଥାକୁ ନେଇ ସନ୍ଦେହ ହେଉଛିି। 

ବଳଙ୍ଗା ଘଟଣାରେ ମୁଖ୍ୟମନ୍ତ୍ରୀ କେବଳ ଶୋକ ବାର୍ତ୍ତା ନଦେଇ ବଳଙ୍ଗା ଅପରାଧୀମାନଙ୍କୁ ଧରି ପୀଡିତାଙ୍କୁ ନ୍ୟାୟ ଦିଅନ୍ତୁ। କଂଗ୍ରେସ ୭ଦିନ ଭିତରେ ବଳଙ୍ଗା ପୀଡିତାଙ୍କୁ ନ୍ୟାୟ ଦେବାକୁ ଆହ୍ୱାନ ଦେଉଛି। ଯଦି ୭ ଦିନ ଭିତରେ ଧରି ପାରିବେ ନାହିଁ ଆମେ ଧରିନେବୁ ପ୍ରଶାସନ ନିଜେ ଅପରାଧୀ। ୭ ଦିନ ପରେ କଂଗ୍ରେସ ପକ୍ଷରୁ ଡିଜିପି କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ତା ସହ ପୁଲିସକୁ ଦୁର୍ବଳ କରାଯାଉଛି ବୋଲି ଅଭିଯୋଗ ଆଣିଛନ୍ତି।

ଚୋରକୁ ଧରିବା ଜାଗାରେ ରହି ଚୋର ଭଳି ବ୍ୟବହାର କରାଯାଉଛି। ଏହା ଏକ ପ୍ରଶାସନିକ ପତ୍ତନ। ଝିଅର ପ୍ରାଣ ଚାଲିଗଲା ଅଥଚ ବଞ୍ଚି ଥିବା ବେଳେ ନ୍ୟାୟ ପାଇଲାନି। ସରକାର, ପ୍ରଶାସନ ସମସ୍ତଙ୍କୁ ଧିକ୍କାର କରିବା ସହ ଷଡ଼ଯନ୍ତ୍ର କରୁଥିବା କହିଛନ୍ତି।  ପିଡିତାଙ୍କର ଆଜି ଦେହାନ୍ତ ହୋଇଛି କିନ୍ତୁ ବୟାନ ପରେ ବୟାନ ରେକର୍ଡ ହୋଇଥିବା କୁହାଯାଇଛି। ଯଦି ସେ ବୟାନ ଦେଇଛନ୍ତି ତେବେ ସେ ସୁସ୍ଥ ଥିଲେ। ଯଦି ପ୍ରକୃତରେ ବୟାନ ସେ ଦେଇଛନ୍ତି ତାକୁ ସାମ୍ନାକୁ ଅଣାଯାଉ। ଫମ୍ପା ସମାବେଦନାର କିଛି ମୂଲ୍ୟ ନାହିଁ। ବ୍ୟବସ୍ଥାଭିତ୍ତିକ ହତ୍ୟା ବୋଲି କହିଛନ୍ତି ପିସିସି ସଭାପତି।  

ସୂଚନାଯୋଗ୍ୟ, ବଳଙ୍ଗା ଥାନା ବାଇଆବରର ନାବାଳିକା ଜଣକ ଗତମାସ ୧୯ ତାରିଖ ଦିନ ପୂର୍ବାହ୍‌ଣରେ ନିଜ ସାଙ୍ଗ ଘରକୁ କୌଣସି କାମରେ ଯାଉଥିଲା। ଏହି ସମୟରେ ଦୁର୍ବୃତ୍ତମାନେ ନାବାଳିକାକୁ ଅନୁସରଣ କରିଥିଲେ ଏବଂ ଅପହରଣ କରି ଏକ ନିର୍ଜନ ସ୍ଥାନକୁ ନେଇଯାଇଥିଲେ। ସେଠାରେ ନିଆଁ ଲଗାଇ ଦେଇଥିଲେ। ଦେହରେ ନିଆଁ ଲାଗିବା ପରେ ନାବାଳିକା ଏଣେତେଣେ ଦୌଡ଼ିବାରେ ଲାଗିଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରାଯିବା ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା। ନାବାଳିକାର ଶରୀର ୭୫ ପ୍ରତିଶତ ପୋଡ଼ି ଯାଇଥିବାରୁ ତାଙ୍କୁ ଜୁଲାଇ ୨୨ ତାରିଖ ଦିନ ଏମ୍‌ସ ଦିଲ୍ଲୀକୁ ସ୍ଥାନାନ୍ତରିତ କରାଯାଇଥିଲା। ଏଥି ପାଇଁ ଏମ୍ସ ଭୁବନେଶ୍ବରରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ କରିଡ଼ର କରାଯାଇଥିଲା। ଏହି ସମ୍ବେଦନଶୀଳ ଘଟଣା ନେଇ ରାଜ୍ୟ ସରକାର ଖୁବ ତତ୍ପରତା ପ୍ରକାଶ କରିଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଦିଲ୍ଲୀ ଯାଇ ଏମ୍ସରେ ପୀଡ଼ିତାଙ୍କୁ ଭେଟିଥିଲେ ଓ ପରିବାର ଲୋକଙ୍କ ସହିତ କଥା ହୋଇଥିଲେ। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଥିଲେ। ସେ ପରିବାର‌ ଲୋକଙ୍କ ସହିତ କଥା ହୋଇ ରାଜ୍ୟ ସରକାର ସମସ୍ତ ପ୍ରକାରର ସହଯୋଗର ହାତ ବଢ଼ାଇବେ ବୋଲି କହିଥିଲେ। 

puri 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe