ରାଉରକେଲା: କେନ୍ଦ୍ର ଇସ୍ପାତ ଓ ଭାରୀ ଉଦ୍ୟୋଗ ମନ୍ତ୍ରୀ ଏଚ ଡି କୁମାରସ୍ୱାମୀଙ୍କ ଦୁଇଦିନିଆ ରାଉରକେଲା ଗସ୍ତ ଶେଷ ହୋଇଛି। ତେବେ ରାଉରକେଲା ଛାଡ଼ିବା ପୂର୍ବରୁ ସାମ୍ବାଦିକଙ୍କୁ ଗସ୍ତ ବିଷୟରେ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ। ଆରଏସପି ସମ୍ପ୍ରସାରଣ ନେଇ ମନ୍ତ୍ରୀ କହିଲେ, ଆରଏସପି ସମ୍ପ୍ରସାରଣ ପାଇଁ ଆମେ ବଦ୍ଧପରିକର। ଏନେଇ ବିଗତ ଦିନରେ ଏକାଧିକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯିବ। କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ୯. ୪ ମିଲିଆନ ଟନକୁ ବୃଦ୍ଧି କରାଯିବ। ୨୦୨୬ ସୁଦ୍ଧା ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହେବ। ଏଥିପାଏଁ ଉଚ୍ଛେଦ ହେବାକୁ ଥିବା ୩ ଶହ ପରିବାରକୁ ଥଇଥାନ କରାଯିବ। ୨/୩ ବର୍ଷ ଭିତରେ ସମସ୍ତ ସମ୍ପ୍ରସାରଣ ପ୍ରକଳ୍ପ ଶେଷ ହେବ। ପୂର୍ଣ୍ଣ କାର୍ଯ୍ୟକ୍ଷମ ରାଉରକେଲା ବିମାନବନ୍ଦର ନେଇ କହିଲେ, ଖୁବ ଶୀଘ୍ର ବିମାନବନ୍ଦର ଉନ୍ନତିକରଣ ସହ ସମସ୍ତ ପଦକ୍ଷେପ ନିଆଯିବ।
ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ, ରଘୁନାଥପାଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ସେଲ ଅଧକ୍ଷ ଅମରେନ୍ଦୁ ପ୍ରକାଶ, ଆରଏସପି ଭାରପ୍ରାପ୍ତ ନିର୍ଦ୍ଦେଶକ ଆଲୋକ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ।
ଦୁଇଦିନିଆ ରାଉରକେଲା ଗସ୍ତରେ କେନ୍ଦ୍ର ଇସ୍ପାତ ଓ ଭାରୀ ଉଦ୍ୟୋଗ ମନ୍ତ୍ରୀ
ଦୁଇଦିନିଆ ରାଉରକେଲା ଗସ୍ତରେ ଗତକାଲି ପହଞ୍ଚିଥିଲେ କେନ୍ଦ୍ର ଇସ୍ପାତ ଓ ଭାରୀ ଉଦ୍ୟୋଗ ମନ୍ତ୍ରୀ ଏଚ୍.ଡି. କୁମାରସ୍ବାମୀ। ପ୍ରଥମ ଦିନରେ କେନ୍ଦ୍ରମନ୍ତ୍ରୀ ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି) ପରିଦର୍ଶନ କରିବା ସହ ବରିଷ୍ଠ ଅଧିକାରୀ, ଶ୍ରମିକ ସଂଗଠନର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ମନ୍ତ୍ରୀଙ୍କ ସହ ପତ୍ନୀ ଅନିଥା କୁମାରସ୍ବାମୀ, ‘ସେଲ୍’ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମ୍ଡି) ଅମରେନ୍ଦୁ ପ୍ରକାଶ ମଧ୍ୟ ରାଉରକେଲାରେ ପହଞ୍ଚିଥିଲେ।
ଗତକାଲି ପୂର୍ବାହ୍ନ ୧୦ଟା ୧୫ରେ କେନ୍ଦ୍ରମନ୍ତ୍ରୀ ଶ୍ରୀ କୁମାରସ୍ବାମୀ ରାଉରକେଲା ବିମାନବନ୍ଦରରେ ପହଞ୍ଚିବା ପରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତି, ଆର୍ଏସ୍ପିର ଭାରପ୍ରାପ୍ତ ନିର୍ଦ୍ଦେଶକ ଆଲୋକ ବର୍ମା, ସିଆଇଏସ୍ଏଫ୍ ଡିଆଇଜି ରତନ କୁମାର, ରାଉରକେଲା ଏସ୍ପି ନିତେଶ ୱାଧୱାନୀ ପ୍ରମୁଖ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଆରଏସ୍ପି ପରିଦର୍ଶନ କରିବାବେଳେ କାରଖାନାର ଜ୍ଞାନାର୍ଜନ ଓ ବିକାଶ ବିଭାଗର ମଡେଲ ରୁମ୍ରେ ପହଞ୍ଚି ସମଗ୍ର କାରଖାନାର କାର୍ଯ୍ୟଧାରା ବିଷୟରେ ଅବଗତ ହୋଇଥିଲେ। ଏହା ପରେ ଷ୍ଟିଲ୍ ମେଲ୍ଟିଂ ସପ୍-୨ର ଅତ୍ୟାଧୁନିକ କାଷ୍ଟର୍-୪କୁ ଉଦ୍ଘାଟନ କରିଥିଲେ। ଏହାସହ କାଷ୍ଟର-୪ରେ ଅପରେସନ୍ ଓ ସ୍ଲାବ୍ କାଷ୍ଟିଂ ଅନୁଧ୍ୟାନ କରିବା ସହ ପ୍ରକଳ୍ପର ସଫଳ କାର୍ଯ୍ୟକାରିତା ପାଇଁ କର୍ତ୍ତୃପକ୍ଷଙ୍କୁ ଅଭିନନ୍ଦନ ଜଣାଇଥିଲେ।
ଉଦ୍ବୋଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଗତିଶୀଳ ନେତୃତ୍ୱରେ ଭାରତ ସରକାର ରାଉରକେଲା ଇସ୍ପାତ କାରଖାନାର ଅଭିବୃଦ୍ଧି ଓ ବିକାଶ ପାଇଁ ସମସ୍ତ ସହାୟତା ଯୋଗାଇବାକୁ ପ୍ରତିବଦ୍ଧ ବୋଲି କହିଥିଲେ। ଏଥିସହ ମନ୍ତ୍ରୀ ପେଲେଟ୍ ପ୍ଲାଣ୍ଟ୍, କୋକ୍ ଓଭେନ୍ ବ୍ୟାଟେରି-୭ର ପ୍ରକଳ୍ପ ଅଞ୍ଚଳ, ହଟ୍ ଷ୍ଟ୍ରିପ୍ ମିଲ୍-୨ ଆଦି ପରିଦର୍ଶନ କରିଥିଲେ। ସନ୍ଧ୍ୟା ୫ଟାରେ ଆର୍ଏସ୍ପିର ବରିଷ୍ଠ ଅଧିକାରୀଙ୍କ ସହ ବୈଠକରେ ଯୋଗ ଦେଇଥିଲେ। ଏହାପରେ ରାଉରକେଲା ବଣିକ ସଂଘ ସମେତ ବିଭିନ୍ନ ଶ୍ରମିକ ସଂଗଠନର ପ୍ରତିନିଧିଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। କେନ୍ଦ୍ରମନ୍ତ୍ରୀ ଗତକାଲି ରାଉରକେଲାରେ ରାତ୍ରିଯାପନ କରିଥିଲେ। ବୁଧବାର ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା ପରେ ୩୦ ହଜାର କୋଟି ଟଙ୍କାର ଆର୍ଏସ୍ପି ସଂପ୍ରସାରଣ ପ୍ରକଳ୍ପର ତ୍ବରାନ୍ବିତ ହେବା ନେଇ ଆଶା ସୃଷ୍ଟି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/19/rsp-2025-11-19-12-08-21.png)