ମାଲକାନଗିରି: ମାଲକାନଗିରି ଜିଲ୍ଲାରେ କଂଗ୍ରେସ ତରଫରୁ ଆଜି ଜିଲ୍ଲା ବନ୍ଦ ଡକରା ଦିଆଯାଇଥିଲା। ଜିଲ୍ଲା କଂଗ୍ରେସ ସଭାପତି ଜି.ଶ୍ରୀନିବାସଙ୍କ ନେତୃତ୍ବରେ ଶତାଧିକ କର୍ମୀ ଜିଲ୍ଲା ସଦର ମହକୁମାର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରି ଯାନବାହାନ ଚଳାଚଳକୁ ସଂପୂର୍ଣ୍ଣ ବନ୍ଦ କରିଥିଲେ। ବାଲେଶ୍ବର ଛାତ୍ରୀଙ୍କ ମୃତ୍ୟୁକୁ ନେଇ କଂଗ୍ରେସ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲା। ଶତାଧିକ କର୍ମୀ ସହର ପରିକ୍ରମା କରିବା ସହ ରାଜ୍ୟ ସରକାରଙ୍କର ମନ୍ତ୍ରୀଙ୍କ ଉପରେ ସ୍ଲୋଗାନ ଦେଇଥିଲେ। ତୁରନ୍ତ ମୁଖ୍ୟମନ୍ତ୍ରୀ ଏବଂ ଶିକ୍ଷାମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି ଜୋର ଧରିଥିଲା।
ଆଜି ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ସହରରେ ସମସ୍ତ ଦୋକାନ ବଜାର ସମେତ ସରକାରୀ ଓ ବେସରକାରୀ ଦପ୍ତର ବନ୍ଦ ରହିଥିଲା। ଏପରିକି ସ୍କୁଲ କଲେଜ ମଧ୍ୟ ବନ୍ଦ ହୋଇଯାଇଥିଲା। କେବଳ ମାଲକାନଗିରି ସଦର ମହକୁମା ହିଁ ନୁହେଁ ବରଂ ଜିଲ୍ଲା ସସମ୍ତ ସାତୋଟି ବ୍ଲକ ସମେତ ଗାଁଗୁଡିକରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ଜିଲ୍ଲାରେ କଂଗ୍ରେସର ଏହି ବନ୍ଦ ଏକ ପ୍ରକାର ସଫଳ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ।
ବନ୍ଦ ଯୋଗୁଁ ବିଶେଷକରି ଦୁର ସ୍ଥାନକୁ ଯାଉଥିବା ଯାତ୍ରୀ ହନ୍ତସନ୍ତ ହୋଇଥିଲେ। ସକାଳୁ ଜଳଖିଆ ଏବଂ ମଧ୍ୟାହ୍ନରେ ଭୋଜନ ନମିଳିବାରୁ ଲୋକେ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଥିଲା। ବ୍ୟାଙ୍କଗୁଡିକ ମଧ୍ୟ ବନ୍ଦ ହେବା ଫଳରେ କୋଟି କୋଟି ଟଂକାର ନେଣଦେଣ ମଧ୍ୟ ବନ୍ଦ ହୋଇଯାଇଥିଲା।
ଆଜିର ଏହି ବନ୍ଦ ପାଳନ ବେଳେ କଂଗ୍ରେସର ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ,ପୂର୍ବତନ ସଭାପତି ଗୋବିନ୍ଦ ପାତ୍ର,କେଶ ରାଓ,ପର୍ଶୁରାମ ଭକ୍ତ,ପଦ୍ମ ପାଙ୍ଗି, କୃଷ୍ଣ ଚନ୍ଦ୍ର ଅନୁଗୁ,ସରୋଜ ପାତ୍ର,ଇର୍ମା ପଡିଆମି,ପୁଷ୍ପାରାଣୀ କାବାସୀ,ଭୀମା ବାର୍ସେ,ଜଗଦିଶ ପାଳ,ପ୍ରାଣକୃଷ୍ଣ ମଣ୍ଡଳ,ରହିମ ଖାନ ପ୍ରମୁଖ ଉପସ୍ଥିତ ଥିଲେ।
Malkangiri | congress
Follow Us