ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକର ଉପାନ୍ତ ଅଞ୍ଚଳରେ ଶିକ୍ଷା ବିଭାଗ ପକ୍ଷରୁ ଗାଁ ପିଲା ଗାଁରେ ପାଠ ପଢିବା ପାଇଁ ନୂତନ ବିଦ୍ୟାଳୟ ସ୍ଥାପନ କରିଛନ୍ତି। ବିଦ୍ୟାଳୟ ସ୍ଥାପନର ଦୀର୍ଘ ବର୍ଷ ପରେ ମଧ୍ୟ ପ୍ରଶାସନ ପକ୍ଷରୁ ଭିତ୍ତିଭୂମିର ବିକାଶ କରାଯାଉନଥିବା ଯୋଗୁଁ ଅତି ଦୟନୀୟ ଅବସ୍ଥାରେ ପିଲା ମାନେ ପାଠ ପଡ଼ୁ ଥିବା ଅଭିଯୋଗ ହୋଇଛି। ଏକ ଦୟନୀୟ ବିଦ୍ୟାଳୟ ଝରିଗାଁ ବ୍ଲକ ଚକଳାପଦର ପଞ୍ଚାୟତ ଅନ୍ତର୍ଗତ ଡାହିମାଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି।
ଡାହିମାଲ ଗ୍ରାମରେ ୧୯୮୦ ମସିହାରେ ଶିକ୍ଷା ବିଭାଗ ପକ୍ଷରୁ ଏକ ନୂତନ ବିଦ୍ୟାଳୟ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଉକ୍ତ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୩୮ ଜଣ ଛାତ୍ରଛାତ୍ରୀ ପାଠ ପଡୁଛନ୍ତି। ବିଦ୍ୟାଳୟ ଆରମ୍ଭ ହେବାର କିଛି ବର୍ଷ ପରେ ଗୋଟିଏ ଶ୍ରେଣୀ ଗୃହ ନିର୍ମାଣ ହୋଇଥିଲା। ପରେ ଗ୍ରାମବାସୀଙ୍କ ଦାବି ପରେ କିଛି ବର୍ଷ ପରେ ଅତିରିକ୍ତ ଶ୍ରେଣୀ ଗୃହ ଆରମ୍ଭ ହୋଇଥିଲା। ସେହି ଶ୍ରେଣୀ ଗୃହ ଆଜିକୁ ପ୍ରାୟ ୧୨ ବର୍ଷ ହେବ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡି ରହିଛି।
ପ୍ରଶାସନ ପକ୍ଷରୁ ସେହି ଅସମ୍ପୂର୍ଣ୍ଣ ଅତିରିକ୍ତ ଶ୍ରେଣୀ ଗୃହକୁ ସମ୍ପୂର୍ଣ୍ଣ କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଫଳରେ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡି ରହିଛି। ସେହିପରି ଦୁଇ ବର୍ଷ ତଳେ ପୁଣି ଥରେ ନୂତନ ଅତିରିକ୍ତ ଶ୍ରେଣୀ ଗୃହ ଆରମ୍ଭ ହୋଇଥିଲା। ସେହି ଶ୍ରେଣୀ ଗୃହ ସମ୍ପୂର୍ଣ୍ଣ ହୋଇଥିବା ବେଳେ ବିଦ୍ୟାଳୟକୁ ହସ୍ତାନ୍ତର ହୋଇନାହିଁ। ଫଳରେ ଭିତ୍ତିଭୂମି ଅଭାବ ଯୋଗୁଁ ଗୋଟିଏ ଶ୍ରେଣୀ ଗୃହରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ପାଠ ପଢ଼ୁ ଥିବା ବେଳେ ସେହି ଗୃହରେ ହିଁ ଛାତ୍ରଛାତ୍ରୀମାନଙ୍କ ପାଠ୍ୟ ଉପକରଣ ରଖାଯାଇଛି। ତେଣୁ ଛାତ୍ରଛାତ୍ରୀମାନଙ୍କ ପାଠ ପଢ଼ାରେ ସମସ୍ୟା ଦେଖାଦେଇଛି।
ସେହିପରି ବିଦ୍ୟାଳୟରେ ମାତ୍ର ଦୁଇ ଜଣ ଶିକ୍ଷକ ନିଯୁକ୍ତି ହୋଇଥିବା ବେଳେ ପାଠ ପଡ଼ାଇବା ବେଳେ ସମସ୍ୟା ହେଉଛି। ପ୍ରଶାସନ ପକ୍ଷରୁ ବିଦ୍ୟାଳୟ ଚାରିପଟ ପାଚେରୀ ନିର୍ମାଣ ହୋଇ ନାହିଁ। ଅବାଧରେ ଲୋକ ଓ ଗାଇ ଗୋରୁ ପ୍ରବେଶ କରୁଛନ୍ତି। ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ଅସୁରକ୍ଷିତ ମନେ କରୁଛନ୍ତି। ପ୍ରଶାସନ ତୁରନ୍ତ ବିଦ୍ୟାଳୟର ସମସ୍ୟା ଗୁଡିକୁ ସ୍ୱତନ୍ତ୍ର ଦୃଷ୍ଟି ଦେଇ ସମାଧାନ କରିବା ପାଇଁ ସ୍ଥାନୀୟ ଗ୍ରାମବାସୀ ଏବଂ ଅଭିବାହାକମାନେ ଦାବି କରିଛନ୍ତି।
Follow Us