ରାଜ୍ୟ ବରିଷ୍ଠ ମହିଳା ହକି: ସୁନ୍ଦରଗଡ଼ ବିଜେତା, ଓଡ଼ିଶା ସେକ୍ରେଟାରିଏଟ୍‌ ଉପବିଜେତା

ରାଜ୍ୟ ବରିଷ୍ଠ ମହିଳା ହକି ପ୍ରତିଯୋଗିତାରେ ସୁନ୍ଦରଗଡ଼ ଜିଲ୍ଲା ହକି ସଂଘ ବିଜେତା ହୋଇଛି। ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ୍‌ରେ ଦଳ ୫-୪ ଗୋଲ୍‌ରେ ଓଡ଼ିଶା ସେ‌କ୍ରେଟାରିଏଟ୍‌କୁ ପରାସ୍ତକରି ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି।

RKL

ରାଉରକେଲା: ରାଜ୍ୟ ବରିଷ୍ଠ ମହିଳା ହକି ପ୍ରତିଯୋଗିତାରେ ସୁନ୍ଦରଗଡ଼ ଜିଲ୍ଲା ହକି ସଂଘ ବିଜେତା ହୋଇଛି। ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ୍‌ରେ ଦଳ ୫-୪ ଗୋଲ୍‌ରେ ଓଡ଼ିଶା ସେ‌କ୍ରେଟାରିଏଟ୍‌କୁ ପରାସ୍ତକରି ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି। ମଙ୍ଗଳବାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ମ୍ୟାଚ୍‌ ଶେଷ ମିନିଟ୍‌ ପର୍ଯ୍ୟନ୍ତ ଉଭୟ ଦଳର ଖେଳାଳି ଉତ୍କର୍ଷ ପ୍ରଦର୍ଶନ କରିଥିଲେ।

ମ୍ୟାଚ୍‌ର ପ୍ରଥମ ଦୁଇ କ୍ବାର୍ଟର୍‌ରେ ସୁନ୍ଦରଗଡ଼ ଖେଳାଳିଙ୍କ ପ୍ରଭାବ ଦେଖିବାକୁ ମିଳିଥିଲା। ମ୍ୟାଚ୍‌ର ୮ମ ମିନିଟ୍‌ରେ ସୁନ୍ଦରଗଡ଼ ଦଳର ଅଧିନାୟିକା ତଥା ଭାରତୀୟ ଦଳର ତାରକା ଫରୱାର୍ଡ୍‌ ଜୀବନ କିଶୋରୀ ଟପ୍ପୋ ପ୍ରଥମ ଗୋଲ୍‌ ଦେଇ ଦଳକୁ ୧-୦ ଗୋଲ୍‌ରେ ଆଗୁଆ କରିଥିଲେ। ଏହାପରେ ଅଲିଭା ଜାତେ (୧୭) ଓ ଜୀବନ କିଶୋରୀ (୨୨) ଆଉ ଏକ ଗୋଲ୍‌ ଦେଇ ସ୍କୋର୍‌କୁ ୩-୦କୁ ବୃଦ୍ଧି କରିଥିଲେ।

ଦ୍ବିତୀୟ କ୍ବାର୍ଟର୍‌ର ଶେଷ ୫ ମିନିଟ୍‌ରେ ଓଡ଼ିଶା ସେକ୍ରେଟାରିଏଟ୍‌ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ଦଳର ଅସ୍ମିତା ବାର୍ଲା(୨୫) ପ୍ରଥମ ଗୋଲ୍‌ ଦେବାର ୩ ମିନିଟ୍‌ପରେ ସୁନ୍ଦରଗଡ଼ର ନୀତୁ ଲାକ୍ରା (୨୮) ଗୋଟିଏ ଦେଇ ବ୍ୟବଧାନକୁ ୪-୧ ଗୋଲ୍‌କୁ ବଢାଇଥିଲେ। ତେବେ ୩୦ ତମ ମିନିଟ୍‌ରେ ଓଡ଼ିଶା ସେକ୍ରେଟାରିଏଟ୍‌ର ଅଧିନାୟିକା ଦୀପ୍ତି ଲାକ୍ରା (୩୦)ଙ୍କ ଗୋଲ୍‌ ବଳରେ ସ୍କୋର୍‌ ୪-୨ ଗୋଲ୍‌କୁ ହ୍ରାସ ପାଇଥିଲା।

ତେବେ ୪୦ତମ ମିନିଟ୍‌ରେ ସୁନ୍ଦରଗଡ଼ର ଆତେନ ଟପ୍ପୋ ଗୋଲ୍‌ ଯୋଗୁଁ ସ୍କୋର୍‌ ୫-୨ ଗୋଲ୍‌ରେ ପହଞ୍ଚିଥିଲା। କିନ୍ତୁ ଅନ୍ତିମ କ୍ବାର୍ଟର୍‌ରେ ଓଡ଼ିଶା ସେକ୍ରେଟାରିଏଟ୍‌ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ୨ଟି ଗୋଲ୍‌ ଦେଇଥିଲେ ମଧ୍ୟ ବିଜୟୀ ହୋଇପାରିନଥିଲା। ପ୍ରେମିତା ବାରା(୫୩) ଓ ଖୁସବୁ କୁଜୁର (୫୬) ଶେଷ ଦୁଇଟି ଗୋଲ୍‌ ଦେଇଥିଲେ। ପ୍ରୀତିମୟୀ ଖୁଣ୍ଟିଆ ଓ ସାଇନାଜ ଖାତୁନ ମ୍ୟାଚ୍‌ ପରିଚାଳନା କରିଥିବାବେଳେ ସୁଜାତା ଏକ୍କା, ସୁହାନୀ ରାଉତ ସହଯୋଗ କରିଥିଲେ। ସୁନ୍ଦରଗଡ଼ ଜିଲ୍ଲା ହକି ସଂଘର ଅଲିଭା ଜାତେ ଫାଇନାଲ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି, ଓଡ଼ିଶା ସେକ୍ରେଟାରିଏଟ୍‌ର ଦୀପ୍ତି ଲାକ୍ରା ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି, ଶ୍ରେଷ୍ଠ ଗୋଲ୍‌କିପର ସୁନେଲି ଓରାମ (ସୁନ୍ଦରଗଡ଼), ଶ୍ରେଷ୍ଠ ଡିଫେଣ୍ଡର୍‌ ମୁକ୍ତା ଯୋଯୋ, ଶ୍ରେଷ୍ଠ ମିଡ୍‌ଫିଲ୍‌ଡର ସୁନି ମୁଣ୍ଡାରୀ, ଶ୍ରେଷ୍ଠ ଫରୱାର୍ଡ୍‌ ଜୀବନ କିଶୋରୀ ଟପ୍ପୋ ଓ ସୁନ୍ଦରଗଡ଼ ଦଳର ଲୁସିଲା ଏକ୍କା ଶ୍ରେଷ୍ଠ କୋଚ୍‌ ପଚରସ୍କାର ପାଇଛନ୍ତି। ପୁରସ୍କାର ବିତରଣୀ ଉତ୍ସବରେ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌) ସୁପରିଟେଣ୍ଡେଣ୍ଟ୍‌ ଡା. ସୁଧାରାଣୀ ପ୍ରଧାନ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ।

Rourkela 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe