Contraband seized Photograph: (Sambad)
ପଡ଼ିଆ: ମାଲକାନଗିରି ଜିଲ୍ଲା ସୀମାବର୍ତ୍ତୀ ପଡ଼ିଆ ପୁଲିସ ହାବୁଡ଼ରେ ପଡ଼ିଛି ଗଞ୍ଜେଇ ମାଫିଆଙ୍କ ଏକ ଅନ୍ତରାଜ୍ଯ ଚାଲାଣକାରୀଙ୍କ ଟିମ୍। ଏହି ଗଞ୍ଜେଇ ଚାଲାଣକାରୀଙ୍କ ନିକଟରୁ ୮୦କିଲୋର ଗଞ୍ଜେଇ, ଏକ କାର ସହ ତିନୋଟି ମୋବାଇଲ ଜବତ ହୋଇଛି। ଏହି କାରବାର ସହିତ ଜଡ଼ିତ ୩ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଏହି ଗିରଫ ଆସାମୀଙ୍କୁ କୋର୍ଟ ଚାଲାଣ କରାଯାଇଛି।
ସୂଚନା ମୁତାବକ ଗତକାଲି ପଡିଆ ପୁଲିସର ଏକ ଟିମ୍ ଓଡ଼ିଶା- ଛତିଶଗଡ଼ ସୀମାବର୍ତ୍ତୀ କମାରଗୁଡ଼ା ପୁଲିସ ଚେକ୍ ପୋଷ୍ଟ ନିକଟରେ ଯାନବାହାନ ଯାଞ୍ଚ କରୁଥିବା ବେଳେ ଏକ କାର୍ (ୟୁପି ୧୪ ବିଏମ୍ ୪୪୫୬) ଦ୍ରୁତଗତିରେ ପଡ଼ିଆରୁ ଛତିଶଗଡ଼ ଅଭିମୁଖେ ଯାଉଥିଲା। ଏହି ସମୟରେ ପୁଲିସ ପକ୍ଷରୁ ପୂର୍ବରୁ ଚେକ୍ ପୋଷ୍ଟରେ ନିୟୋଜିତ ଏକ ଟିମ୍ କାରଟିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ମୋଟ ୮୦କିଲୋ ଗଞ୍ଜେଇ ଜବତ ହୋଇଥିଲା। ଏଥିସହ ଉତ୍ତରପ୍ରଦେଶର ଫିରାଜ ସାଇଫି, ନାଜିମ ମଲ୍ଲିକଙ୍କୁ ଘଟଣାସ୍ଥଳରୁ ଗିରଫ କରାଯଇଥିଲା।
ମାଲାକାନଗିରି ଏସ୍ଡିପିଓ ସଚିନ ପଟେଲ ଓ ପଡ଼ିଆ ଥାନା ଅଧିକାରୀଙ୍କ ରମେଶ୍ଵର ପ୍ରଧାନଙ୍କ ନେତୃତ୍ବରେ ଏହି ଚାଲାଣକାରୀଙ୍କୁ ପଚରାଉଚୁରା କରାଯାଇଥିଲା। ଏହି ଚାଲାଣରେ ସମ୍ପୃକ୍ତ ଥିବା ଗୁରୁଚାନ୍ଦ ମଣ୍ଡଳ ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯଇଥିଲା। ଏଥିସହ ଆଜି ତିନିଜଣ ଆସାମୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।
ଏ ନେଇ ଥାନାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ପରବର୍ତ୍ତୀ ତଦନ୍ତ ଜାରି ରହିଥିବା ପୁଲିସ ପକ୍ଷରୁ କୁହାଯାଇଛି।
Follow Us