ପୁଣି ସାଇବର କ୍ରାଇମ୍‌: ସରଳତାର ସୁଯୋଗ ନେଇ ଲୁଟିନେଲେ ୬.୫୦ ଲକ୍ଷ

୨୦୨୪ ଅକ୍ଟୋବର ୨୮ ତାରିଖ ଦିନ ଶ୍ରୀ ତ୍ରିପାଠୀ ଆସିଆଇସିଆଇ ବ୍ୟାଙ୍କର ଆକାଉଣ୍ଟ ନମ୍ବର ୪୫୫୯୦୫୦୦୦୧୨୬ରେ ୨ ଲକ୍ଷ ଟଂକା ଜମା କରିଥିଲେ, ଯାହାକି ଅରବିଟ ଏକ୍ସପୋର୍ଟ ଓ ଇମପୋର୍ଟ ନାମରେ ଉଲ୍ଲେଖ ରହିଥିଲା।

ମାଲକାନଗିରି: ଅତି ସରଳ ଓ ନିରୀହ ବୋଲି ମାଲକାନଗିରି ଜିଲ୍ଲାର ଲୋକେ ଠକେଇର ଶିକାର ହୋଇଥାନ୍ତି। ଜିଲ୍ଲାରେ ଅନେକ ସାଇବର କ୍ରାଇମ୍‌ ଘଟୁଥିଲେ ମଧ୍ୟ ଏହା ଲୋକଲୋଚନକୁ ଆସିପାରୁ ନାହିଁ। କିନ୍ତୁ ବହୁ ଲୋକ ଯେତେବେଳେ ଲକ୍ଷାଧିକ ଟଂକା ହରାଇ ସର୍ବସ୍ବାନ୍ତ ହେଉଛନ୍ତି ସେତେବେଳେ ପୁଲିସ ନିକଟରେ ଆସି ଗୁହାରି କରୁଛନ୍ତି।

କିଛି ଦିନ ପୂର୍ବରୁ ସ୍ଥାନୀୟ ଜଣେ ଶିକ୍ଷକଙ୍କ ୮୭.୬୩ ଲକ୍ଷ ଟଂକା ଠକାମୀର ଶିକାର ହୋଇଥିବା ବେଳେ ପୁଣି ମାଲକାନଗିରି ପୁଲିସ ସାଇବର କ୍ରାଇମରେ ସାଢେ ୬ ଲକ୍ଷ ଟଂକା ଠକି ନେଇଥିବା ୩ ଜଣ ଆସାମୀକୁ ଗିରଫ କରିବାରେ ସଫଳତା ହାସଲ କରିପାରିଛି।

ଘଟଣା ଅନୁଯାୟୀ ସ୍ଥାନୀୟ ଦୁର୍ଗାଗୁଡ଼ିସାହିର ଶିକ୍ଷକ ଅଶୋକ କୁମାର ତ୍ରିପାଠୀଙ୍କୁ ୨୦୨୪ ମସିହା ଅକ୍ଟୋବର ୨୪ ତାରିଖ ଦିନ ତିନି ଜଣ ଅପରିଚିତ ବ୍ୟକ୍ତି ନିଜକୁ ମୁମ୍ବାଇ ପୁଲିସ ବୋଲି ପରିଚୟ ଦେଇ ଫୋନ କରିଥିଲେ। ତାଂକୁ କହିଥିଲେ ଯେ ତୁମର ଫୋନ ନମ୍ବର ୮୯୪୫୬୨୪୮୦୦ ନମ୍ବର ୧୭ଟି କେଶରେ ଅନ୍ତର୍ଭୁକ୍ତ। ଏଥିସହ ତୁମର ଆଧାରକାର୍ଡ ଠକେଇ ମାମଲା ସହିତ ଜଡିତ ରହିଛି। ତୁମକୁ ତୁରନ୍ତ ଗିରଫ କରାଯିବ। ଏଥିରୁ ବର୍ତ୍ତିବାକୁ ହେଲେ ତୁମେ ତୁରନ୍ତ କିଛି ଟଂକା ଦେବାକୁ ପଡ଼ିବ।

୨୦୨୪ ଅକ୍ଟୋବର ୨୮ ତାରିଖ ଦିନ ଶ୍ରୀ ତ୍ରିପାଠୀ ଆସିଆଇସିଆଇ ବ୍ୟାଙ୍କର ଆକାଉଣ୍ଟ ନମ୍ବର ୪୫୫୯୦୫୦୦୦୧୨୬ରେ ୨ ଲକ୍ଷ ଟଂକା ଜମା କରିଥିଲେ, ଯାହାକି ଅରବିଟ ଏକ୍ସପୋର୍ଟ ଓ ଇମପୋର୍ଟ ନାମରେ ଉଲ୍ଲେଖ ରହିଥିଲା। ବନ୍ଧନ ବ୍ୟାଙ୍କ ଆକାଉଣ୍ଟ ନମ୍ବର ୨୦୨୦୦୦୬୪୬୩୨୫୪୨ରେ ୪ ଲକ୍ଷ ୫୦ ହଜାର ଟଂକା ଜମା କରିଥିଲେ। ଏହି ଆକାଉଣ୍ଟ ନମ୍ବର ମୁକେଶ କୁମାର ନାମରେ ରହିଥିଲା। ଏହା ପରେ ଏହି ବ୍ୟକ୍ତିମାନେ ତାଂକୁ ଛାଡିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ ଠକାମୀରେ ପଡିଥିବା ଜାଣିବା ପରେ ଗତ ମାର୍ଚ୍ଚ ୮ ତାରିଖ ଦିନ ମାଲାକନଗିରି ଥାନାରେ ଏନେଇ ଏତଲା ଦାୟର କରିଥିଲେ।

publive-image

ଏତଲାକୁ ଭିତ୍ତି କରି ଆଇଆଇସି ରିଗାନ କିଣ୍ଡୋ ଏକ ଟିମ ଗଠନ କରି ରାଜସ୍ଥାନରୁ ଏହି ଘଟଣାରେ ସଂପୃକ୍ତ ଥିବା ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଲ ହୋଇଥିଲେ। ଏମାନେ ହେଲେ ରାଜସ୍ଥାନର ଜୈସଲମେର ଜିଲ୍ଲାର ବହୁକିରାନୀ ଗ୍ରାମର ମୁକେଶ କୁମାର(୨୨), ମନକୀର ସୁରେନ୍ଦ୍ର କୁମାର(୨୦) ଏବଂ ଗୌଡାର ନରେଶ କୁମାର (୨୧)। ଏମାନଙ୍କ ଠାରୁ ପୁଲିସ ଫେକ୍ ପୁଲିସ ପରିଚୟ ପତ୍ର, ଫେକ୍‌ ଏଫଆଇଆର, ଫେକ୍ ଆକାଉଣ୍ଟ ଷ୍ଟେଟମେଣ୍ଟ, ଫେକ୍ ସୁପ୍ରିମକୋର୍ଟ ନୋଟିସ୍‌, ଫେକ୍ ଇଡି ନୋଟିସ ଇତ୍ୟାଦି ଜବତ କରିଛି। ପୁଲିସ ଆଜି ଏହି ୩ ଜଣ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

Crime | Malkangiri | Rajasthan

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe