ହୋଇପାରିଲାନି ପକ୍କା ରାସ୍ତା: ୨୦୧୮ରେ ଆମ୍ବ ଟାକୁଆ ଖାଇ ମରିଥିଲେ ୩ ଜଣ

ଝରିଗାଁ ବ୍ଲକ ଗୁରୁସିଙ୍ଗା ପଞ୍ଚାୟତ ଅନ୍ତର୍ଗତ ମଇନାପଦର ଗ୍ରାମରେ ଅଗଷ୍ଟ ମାସ ୨୦୧୮ ମସିହାରେ ଆମ୍ବ ଟାକୁଅରୁ ପ୍ରସ୍ତୁତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ ଜଣ ପ୍ରାଣ ହରାଇଥିଲେ। ଆଉ ଜଣେ ଗୁରୁତର ହୋଇ ଯାଇଥିଲେ।

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଗୁରୁସିଙ୍ଗା ପଞ୍ଚାୟତ ଅନ୍ତର୍ଗତ ମଇନାପଦର ଗ୍ରାମରେ ଅଗଷ୍ଟ ମାସ ୨୦୧୮ ମସିହାରେ ଆମ୍ବ ଟାକୁଅରୁ ପ୍ରସ୍ତୁତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ ଜଣ ପ୍ରାଣ ହରାଇଥିଲେ। ଆଉ ଜଣେ ଗୁରୁତର ହୋଇ ଯାଇଥିଲେ। ଏହି ଗ୍ରାମକୁ ଯିବା ପାଇଁ ପ୍ରଶାସନ ପକ୍ଷରୁ ଭଲ ରାସ୍ତାଟିଏ ନିର୍ମାଣ ହୋଇ ନଥିବା ଯୋଗୁଁ  ଆମ୍ବୁଲାନ୍ସ ଯାଇପାରିନଥିଲା। ଶେଷରେ ସମସ୍ତ ଗୁରୁତରମାନଙ୍କୁ ସଚନୀୟ ରାସ୍ତାରେ ଏକ ଟ୍ରାକ୍ଟର ଯୋଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ଏହି ଖବର ପ୍ରସାର ହେବା ପରେ ରାଜ୍ୟରେ ଚହଳ ପକାଇଥିଲା। ସେହି ସମୟରେ ରାଜ ନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ପର୍ଯ୍ୟନ୍ତ ମେନପଦର ଗ୍ରାମ ଯାଇ ପରିସ୍ଥିତି ଅନୁଧ୍ୟାନ କରିବା ସହ ଗ୍ରାମର ବିକାଶ ନେଇ ପ୍ରତିଶ୍ରୁତି ଦେଇ ଫେରିଥିଲେ। ତେବେ ଘଟଣା ଘଟିବାର ୬ ବର୍ଷ ପରେ ମଧ୍ୟ ଏହି ଗ୍ରାମକୁ ଯିବା ପାଇଁ ପ୍ରଶାସନ ପକ୍ଷରୁ ପକ୍କା ରାସ୍ତାଟିଏ ନିର୍ମାଣ ହୋଇନାହିଁ, ଯାହାକି ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆଜିକୁ ଦୀର୍ଘ ୪୫ ବର୍ଷ ତଳେ ମଇନାପଦର ଗ୍ରାମ ସ୍ଥାପନ ହୋଇଥିଲା। ବର୍ତ୍ତମାନ ଏହି ଗ୍ରାମରେ ୮ଟି ସାହି ଥିବା ବେଳେ ପ୍ରାୟ ୨ ଶହ ପରିବାର ରହୁଛନ୍ତି। ବିଭିନ୍ନ କିସମର ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି। ଏହି ଗ୍ରାମକୁ ଯିବା ପାଇଁ ହେଲେ ବାଞ୍ଜିଆମ୍ବା ଗ୍ରାମ ଦେଇ କିମ୍ବା ଅନ୍ୟ ଏକ ରାସ୍ତା ହୁଣ୍ଡାରଡ଼ଡ଼ଗି ଗ୍ରାମ ଦେଇ ଯିବା ପାଇଁ ପଡେ। ଉଭୟ ରାସ୍ତା ସଚନୀୟ ଅବସ୍ଥାରେ ରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମାଟି ରାସ୍ତା ଯୋଗୁଁ ବର୍ଷା ଦିନ ଗୁଡ଼ିକରେ ଉଭୟ ରାସ୍ତାରେ ଚାଲିଯିବା କଷ୍ଟ ହଉଥିବା ଗ୍ରାମବାସୀ କହିଛନ୍ତି।

publive-image

ସେହିପରି ବର୍ଷା ଦିନ ଗୁଡିକରେ ମଇନାପଦର ଗ୍ରାମକୁ ଆମ୍ବୁଲାନ୍ସ ଯାଇ ପାରୁନଥିବା ବେଳେ ରୋଗୀ ଏବଂ ଗର୍ଭବତୀ ମହିଳା ମାନଙ୍କୁ ଡାକ୍ତରଖାନା  ନେବା ସମୟରେ ଶଗଡ଼ କିମ୍ବା ଟ୍ରାକ୍ଟର ଭରସା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମରେ ୮ଟି ସାହି ଥିବା ବେଳେ ୮ଟି ନଳକୂପ ଖନନ ହୋଇଛି। ସବୁ ନଳକୂପ ଠିକ ଥିବା ବେଳେ ଗୋଟିଏ ଶୌର ଚାଳିତ ପାନୀୟ ଜଳ ଯୋଗାଣ ହେଉଛି। ଅନ୍ୟ ଏକ ଶୌର ଚାଳିତ ପାନୀୟ ଜଳ ଯୋଗାଣ ପାଇଁ ପ୍ରଶାସନ ପକ୍ଷରୁ ଦୁଇ ବର୍ଷ ତଳେ ଗଭୀର ନଳକୂପ ଖନନ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ସଲାର କାମ ହୋଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରଶାସନ ମଇନାପଦର ଗ୍ରାମରେ ବିଭିନ୍ନ ସମସ୍ୟା ଥିବା ବେଳେ ପ୍ରଶାସନ ପକ୍ଷରୁ ତୁରନ୍ତ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବୀ ହୋଇଛି।

ଏଠାରେ ପ୍ରକାଶ ଯେ ଅଗଷ୍ଟ ମାସ ୨୦୧୮ ମସିହାରେ ମଇନାପଦର ଗ୍ରାମର  ଅର୍ଜୁନ ସାନ୍ତାଙ୍କ ସ୍ତ୍ରୀ ସୁଧମଣି ସାନ୍ତା(୩୫), ଭାଇବୋହୁ ପ୍ରମିଳା ସାନ୍ତା(୨୫), ଭଉଣୀ ନମିତା ସାନ୍ତା(୧୫) ଏବଂ ପୁଅ ପ୍ରକାଶ ସାନ୍ତା ଆମ୍ବ ଟାକୁଆର କୋଇଲି ବାହାର କରି ସେଥିରେ ପିଠା କରି ଖାଇଥିଲେ। ପିଠା ଖାଇବା ପରେ ସମସ୍ତେ ମକା ଜମିକୁ କାମ କରିବା ପାଇଁ ଯାଇଥିଲେ।ସେଠାରେ ସମସ୍ତେ ବାନ୍ତି କରିବା ସହ ଅସୁସ୍ଥ ହୋଇପଡିଥିଲେ। ପରିବାର ଲୋକ ମେଡ଼ିକାଲ ନେବା ପରିବର୍ତ୍ତେ ଦିଶାରୀକୁ ଡାକି ଚିକିତ୍ସା କରିଥିଲେ। ଘରେ ନମିତାଙ୍କ ମୃତ୍ୟୁ ହୋଇ ଥିବା ବେଳେ ଅନ୍ୟମାନଙ୍କୁ ଟ୍ରାକ୍ଟର ଯୋଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଣାଯାଇଥିଲା।

ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯିବା ବାଟରେ ସୁଧମଣିଙ୍କ ମୃତ୍ୟୁ ହୋଇଥିଲା।ପ୍ରମିଳା ଏବଂ ପ୍ରକାଶଙ୍କୁ ନବରଙ୍ଗପୁର ଠାରୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା।ତେବେ ସନ୍ଧ୍ୟାରେ ପ୍ରମିଳାଙ୍କ ମୃତ୍ୟୁ ହୋଇଥିଲା। ସୁଧମଣିଙ୍କ ପୁଅ ପ୍ରକାଶ ଗୁରୁତର ଅବସ୍ଥାରେ କୋରାପୁଟ ମେଡିକାଲ କଲେଜରେ ଦୀର୍ଘ ଦିନ ଧରି ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ଘରକୁ ଫେରିଥିଲେ। ଏହି ଘଟଣା ଘଟିବା ପରେ ଗ୍ରାମରେ ଆଉ କେହି ଆମ୍ବ ତାକୁଆରେ ପ୍ରସ୍ତୁତ ଖାଦ୍ୟ ଖାଉନଥିବା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe