Thunder storm in dabugaon Photograph: (sambad.in)
ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ବୋରିଗାଁ ପଞ୍ଚାୟତ ଅନ୍ତର୍ଗତ ପରସବେଡ଼ା ଗ୍ରାମରେ ଆଜି ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଶେଷ କରି ଏହି ଗ୍ରାମରେ ଥିବା ଭାରତମାଳା କ୍ୟାମ୍ପ ନିଶ୍ଚିହ୍ନ ହୋଇଯାଇଛି। ଗ୍ରାମରେ ଚାଲିଥିବା ଏକ ବାହାଘର ଭୋଜି ନଷ୍ଟ ହୋଇଯାଇଥିବା ବେଳେ ବିଦ୍ୟାଳୟ ପାର୍ଶ୍ଵରେ ଥିବା ବଡ଼ବଡ଼ ଗଛ ଭାଙ୍ଗି ପଡ଼ିଛି।
ଆଜି ଅପରାହ୍ନ ୫ଟାରେ ପରସୁବେଡ଼ା ଗ୍ରାମରେ ହଠାତ୍ ଏକ କାଳବୈଶାଖୀ ଆସିଥିଲା। ପବନର ଘଣ୍ଟା ପିଛା ବେଗ ଅଧିକ ଥିଲା। ଏଥି ସହିତ ପ୍ରବଳ ବର୍ଷା ହୋଇଥିଲା। ଡାବୁଗାଁ ବ୍ଲକ ବୋରିଗାଁ ପଞ୍ଚାୟତ ଅନ୍ତର୍ଗତ ପରସବେଡ଼ାରେ ଥିବା ରାୟପୁରରୁ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ପର୍ଯ୍ୟନ୍ତ ଜାରି ରହିଥିବା ଭାରତମାଳା ପ୍ରକଳ୍ପର ଏକ ଶିବିର ବ୍ୟାପକ ପ୍ରଭାବିତ ହୋଇଥିଲା। ଡାବୁଗାଁ ବ୍ଲକର କିଛି ଗ୍ରାମ ସହ ଝରିଗାଁ ଓ ଉମରକୋଟ ବ୍ଲକର କିଛି ଗ୍ରାମ ପର୍ଯ୍ୟନ୍ତ ଭାରତମାଳା ପ୍ରକଳ୍ପର ରାସ୍ତା ନିର୍ମାଣ କରୁଛନ୍ତି। ପରସବେଡ଼ାର ଏହି କ୍ୟାମ୍ପ ୩ ଏକର ପରିମିତ ଜାଗାରେ ଥିବା ବେଳେ ଏଠାରେ ଅଫିସ କାର୍ଯ୍ୟାଳୟ ସହ ଶ୍ରମିକମାନଙ୍କ ରହିବା ପାଇଁ ଅସ୍ଥାୟୀ ଗୃହ, ଷ୍ଟୋର ଗୃହ, ଲେବରଟରି ଗୃହ ଓ ଟିଣ ରେ ଅନ୍ୟାନ୍ୟ ଅସ୍ଥାୟୀ ଗୃହ ନିର୍ମାଣ ହୋଇଛି।
ଆଜି ଅଚାନକ ଅପରାହ୍ନ ୫ଟାରେ କାଳବୈଶାଖୀ ଆସି ଏହି କ୍ୟାମ୍ପର ମୁଖ୍ୟ ଅଫିସ କାର୍ଯ୍ୟାଳୟ ଛାଡି ସମସ୍ତ ଅସ୍ଥାୟୀ ଗୃହକୁ ପବନରେ ଉଡାଇ ନେଇ ମାଟିରେ ମିଶାଇ ଦେଇଥିଲା। ଅପରାହ୍ନ ୫ଟାରୁ ୬ଟା ପର୍ଯ୍ୟନ୍ତ କାଳବୈଶାଖୀର ତାଣ୍ଡବରେ କ୍ୟାମ୍ପରେ କାର୍ଯ୍ୟ କରୁଥିବା କର୍ମଚାରୀ ଓ ଶ୍ରମିକମାନେ ଅସ୍ତବ୍ୟସ୍ତ ହେବା ସହ ଜୀବନ ରକ୍ଷା ପାଇଁ ଦୌଡ଼ିଥିଲେ। ଏକ ଘଣ୍ଟା କାଳବୈଶାଖୀର ଏହି ତାଣ୍ଡବରେ କ୍ୟାମ୍ପର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ଆନୁମାନିକ ୨୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା କ୍ଷତି ହୋଇଥିବା ଜଣାପଡ଼ିଛି।
ଏହି କାଳବୈଶାଖିର ପ୍ରଭାବ ପରସବେଡ଼ା ଗ୍ରାମରେ ମଧ୍ୟ ଦେଖିବାକୁ ମିଳିଛି। ଗ୍ରାମର ବିଗଲ ଭତରାଙ୍କ ପୁଅ ଚନ୍ଦ୍ର ଭତରାଙ୍କ ଚାଲିଥିବା ଏକ ବିବାହ ଭୋଜି କାଳବୈଶାଖୀ ପ୍ରଭାବରେ ସମ୍ପୂର୍ଣ ନଷ୍ଟ ହୋଇ ଯାଇଛି। ରୋଷେଇ ଖାଦ୍ୟ ବର୍ଷା ପାଣିରେ ନଷ୍ଟ ହୋଇଥିବା ବେଳେ ପବନରେ ଟେଣ୍ଟ ଉଡାଇ ନେଇଛି। ସେହିପରି ଗ୍ରାମର ସ୍କୁଲ ପାର୍ଶ୍ଵ ଓ ପରିସରରେ ଥିବା ବଡ଼ବଡ ଗଛ ଭାଙ୍ଗି ପଡ଼ିଛି। ପବନର ବେଗ ଏତେ ତିବ୍ର ଥିଲା ଯେ ତାକୁ ଗ୍ରାମବାସୀ ତାଙ୍କ ଜୀବନ କାଳ ମଧ୍ୟରେ କେବେ ଦେଖି ନ ଥିବା କହିଛନ୍ତି। ସମ୍ପୂର୍ଣ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ହୋଇ ଯାଇଥିବା ବେଳେ ସନ୍ଧ୍ୟା ହୋଇଯାଇଥିବା ଗ୍ରାମରେ ହୋଇଥିବା କ୍ଷୟକ୍ଷତି ଜଣା ପଡି ନାହିଁ।
Thunder storm | Nabarangpur
Follow Us