ଭୁବନେଶ୍ବର: ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳରେ ନାବାଳିକାଙ୍କ ଦେହରେ ନିଆଁ ଲଗାଇବା ମାମଲାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବାସଭବନକୁ ମହିଳା କଂଗ୍ରେସ ଘେରିଛି। ରାଜ୍ୟ ମହିଳା ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ବରେ କର୍ମୀମାନେ ଶ୍ରୀମତୀ ପରିଡ଼ାଙ୍କ ବାସଭବନ ଉପରକୁ ଟମାଟୋ ମାଡ଼ କରିଛନ୍ତି। ଜବାବରେ କଂଗ୍ରେସର କିଛି ମହିଳା କର୍ମୀଙ୍କୁ ପୁଲିସ ଉଠାଇ ନେଇଛି।
ବଳଙ୍ଗା ଅଞ୍ଚଳରେ କିଛି ଦୁର୍ବୁତ୍ତ ଏକ ପନ୍ଦର ବର୍ଷୀୟା ଝିଅକୁ ରାସ୍ତାରେ ନିଆଁ ଲଗାଇଦେବା ଖବର ଶୁଣି ମୁଁ ବ୍ୟଥିତ ଓ ମର୍ମାହତ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋସିଆଲ ମିଡିଆ ‘ଏକ୍ସ’ରେ କହିଥିଲେ। ଝିଅକୁ ଭୁବନେଶ୍ୱର ଏମ୍ସକୁ ତୁରନ୍ତ ସ୍ଥାନାନ୍ତରିତ କରାଯାଇଛି ଓ ତାହାର ଚିକିତ୍ସା ର ସମସ୍ତ ବ୍ୟବସ୍ଥା କରାଯାଉଛି। ଚିକିତ୍ସାର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ। ବୋଲି କହିଥିଲେ। ଏଥି ସହିତ ସେ କହିଥିଲେ ଯେ, ତୁରନ୍ତ ଦୋଷୀକୁ ଗିରଫ କରିବା ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ପ୍ରଶାସନକୁ ନିର୍ଦେଶ ଦିଆଯାଇଛି।
ଦେହରେ ନିଆଁ ଲାଗି ଏମ୍ସରେ ଭର୍ତ୍ତି ହୋଇଥିବା ନାବାଳିକାଙ୍କ ଚିକିତ୍ସାରେ ୧୪ ଜଣିଆ ଡାକ୍ତରୀ ଟିମ୍ ନିୟୋଜିତ ଅଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଛି। ନାବାଳିକା ଜଣକ ପ୍ରାୟ ୭୦ ପ୍ରତିଶତ ପୋଡ଼ିଯାଇଥିବାରୁ ତାଙ୍କୁ ସ୍ବତନ୍ତ୍ର ଚିକିତ୍ସା ଦିଆଯାଉଛି। ବିଶେଷଜ୍ଞ ଡାକ୍ତର ସଂଜୟ ଗିରିଙ୍କ ନେତୃତ୍ବରେ ନାବାଳିକାଙ୍କ ଚିକିତ୍ସା ଜାରି ରହିଛି। ଏହି ଟମ୍ରେ ପ୍ରଫେସର ଅନୁପମ ଦେ, ପ୍ରଫେସର ମନୋଜ ପାଣିଗ୍ରାହୀ, ଡ. ଦେବାଶିଷ ଆଚାର୍ଯ୍ୟ, ଡ. ଆଲୋକ ସାହୁ, ଡ. ରିତେଶ ପଣ୍ଡା, ଡ. ସିନ୍ଧୁ ସୁଧା ସାହୁ, ଡ. ସୁବର୍ଣ୍ଣ ମିତ୍ର, ଡ. ପ୍ରୀତି ମୀନା, ଡ. ତରୁଣ କୁମାର ପାତ୍ର, ଡ. ଶ୍ୟାମସୁନ୍ଦର ବେହେରା, ଡ. ଦେବଶ୍ରୀ ଦାସ, ଡ. ମହାଲିଙ୍ଗମ୍ ଓ ପ୍ରିୟଦର୍ଶିନୀ ସାହୁ ଅଛନ୍ତି।
ସୂଚନାଯୋଗ୍ୟ, ପୁରୀଜିଲ୍ଲା ବଳଙ୍ଗା ଥାନା ବାଇଆବରର ନାବାଳିକା ଜଣକ ଆଜି ପୂର୍ବାହ୍ଣରେ ନିଜ ସାଙ୍ଗ ଘରକୁ କୌଣସି କାମରେ ଯାଉଥିଲା। ଏହି ସମୟରେ ଦୁର୍ବୃତ୍ତମାନେ ନାବାଳିକାକୁ ଅନୁସରଣ କରିଥିଲେ ଏବଂ ଅପହରଣ କରି ଏକ ନିର୍ଜନ ସ୍ଥାନକୁ ନେଇଯାଇଥିଲେ। ସେଠାରେ ନିଆଁ ଲଗାଇ ଦେଇଥିଲେ। ଦେହରେ ନିଆଁ ଲାଗିବା ପରେ ନାବାଳିକା ଏଣେତେଣେ ଦୌଡ଼ିବାରେ ଲାଗିଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରାଯିବା ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି।
Prabhati Parida | AIIMS Bhubaneswar | puri
Follow Us