ନୀଳଗିରି: ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁଁ ଅନେକ ସ୍ଥାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କେବଳ ମନୁଷ୍ୟ କି ପଶୁପକ୍ଷୀ ନୁହଁନ୍ତି, ବରଂ ପ୍ରସିଦ୍ଧ ବାବା ପଞ୍ଚଲିଙ୍ଗେଶ୍ବର ଶୈବପୀଠ ମଧ୍ୟ ପ୍ରଭାବିତ ହୋଇଛି।
ଲଗାଣ ବର୍ଷାର ପ୍ରଭାବରେ ଦେବଗିରି ପାହାଡରୁ ଝରି ଆସୁଥିବା ଝରଣାର ସ୍ରୋତ ପ୍ରଖର ହୋଇଛି, ଯାହା ଫଳରେ ପଥର ଖୋଲରେ ଥିବା ବାବାଙ୍କର ପାଞ୍ଚୋଟି ଲିଙ୍ଗ ଉପରେ ପ୍ରାୟ ୪-୫ ଫୁଟ ଉଚ୍ଚର ପାଣି ପ୍ରବାହିତ ହୋଇଛି।
ପର୍ଯ୍ଯଟକଙ୍କ ସୁରକ୍ଷାକୁ ଆଖି ଆଗରେ ରଖାଯାଇ ଆଜି ପୀଠରେ ସ୍ପର୍ଶ ଦର୍ଶନ ବନ୍ଦ କରାଯାଇଥିଲା। ବାବାଙ୍କ ପାଞ୍ଚୋଟି ଲିଙ୍ଗ ଉପରେ ୫ ଫୁଟରୁ ଉର୍ଦ୍ଧ୍ବ ପାଣି ଚାଲିଥିବା ବେଳେ ବାବାଙ୍କ ଲିଙ୍ଗ ସ୍ପର୍ଶକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ପାଣି କମିଲେ ପର୍ଯ୍ଯଟକଙ୍କୁ ପୁଣି ଥରେ ସ୍ପର୍ଶ ଦର୍ଶନ କରାଯିବ ବୋଲି ପଞ୍ଚଲିଙ୍ଗେଶ୍ବର ଟ୍ରଷ୍ଟି ତଥା ନୀଳଗିରି ଉପଜିଲ୍ଲାପାଳ ମଧୁସ୍ମିତା ସାମନ୍ତରାୟ କହିଛନ୍ତି।
ସୂଚନାଯୋଗ୍ୟ, ପଞ୍ଚଲିଙ୍ଗେଶ୍ୱର ବାଲେଶ୍ୱର ଜିଲାର ନୀଳଗିରି ନିକଟରେ ଅବସ୍ଥିତ। ଏଠାରେ ପାହାଡ଼ୀ ଝରଣା ଭିତରେ ପାଞ୍ଚୋଟି ଶିବଲିଙ୍ଗ ପୂଜାପାଉଛନ୍ତି ଯାହାଙ୍କ ନାମ ଅନୁସାରେ ଏହି ଜାଗାର ନାମ ପଞ୍ଚଲିଙ୍ଗେଶ୍ୱର ହୋଇଛି। ପଞ୍ଚଲିଙ୍ଗେଶ୍ୱର ଶିବ ମନ୍ଦିର ଏଠାକାର ଏକ ଜଣାଶୁଣା ପର୍ଯ୍ୟଟନ ସ୍ଥଳ। ଏହା ନୀଳଗିରିଠାରୁ ୮ କିମି, ବାଲେଶ୍ୱରଠାରୁ ୩୦ କିମି ଓ ବାରିପଦାଠାରୁ ୮୫ କିମି ଦୂରତାରେ ରହିଛି। ଏହି ଦୁଇ ସହରଠାରୁ ବସଯୋଗେ ଗମନାଗମନର ସୁବିଧା ଅଛି।
Balasore
Follow Us