ରଥଯାତ୍ରା: ଶ୍ରଦ୍ଧାଳୁଙ୍କ ସୁବିଧା ନିମନ୍ତେ ପୁରୀ ବସ୍‌ ଚଳାଚଳ ପାଇଁ ମିଳିବ ସ୍ବତନ୍ତ୍ର ପରମିଟ୍

ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଶ୍ରୀକ୍ଷେତ୍ର ପୁରୀକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବ। ଶ୍ରଦ୍ଧାଳୁଙ୍କ ସୁଗମ ପରବହନକୁ ଆଖି ଆଗରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି।

Rath yatra bus fare

Rath yatra bus fare Photograph: (sambad.in )

କଟକ: ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଶ୍ରୀକ୍ଷେତ୍ର ପୁରୀକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବ। ଶ୍ରଦ୍ଧାଳୁଙ୍କ ସୁଗମ ପରବହନକୁ ଆଖି ଆଗରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ପ୍ରାଧିକରଣର ମୁଖ୍ୟାଳୟରେ ରାଜ୍ୟ ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ, ପୁଲିସ କର୍ତ୍ତୃପକ୍ଷ ଏବଂ ବସ୍ ମାଲିକ ସଙ୍ଘ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏତେ ସଂଖ୍ୟକ ଶ୍ରଦ୍ଧାଳୁ କିଭଳି ପୁରୀରେ ସୁବିଧାରେ ପହଞ୍ଚିବେ ଓ ଫେରିବେ ସେ ବିଷୟରେ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇ ସର୍ବସମ୍ମତିକ୍ରମେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗୁଡ଼ିକ ଗ୍ରହଣ କରାଯାଇଛି। 

ପ୍ରତିବର୍ଷ ଭଳି ଚଳିତ ଥର ମଧ୍ୟ ରଥଯାତ୍ରା ନିମନ୍ତେ ଅନ୍ୟରୁଟ୍ ଗାଡ଼ିଗୁଡ଼ିକୁ ପୁରୀ ନିମନ୍ତେ ସ୍ୱତନ୍ତ୍ର ପରମିଟ୍ ପ୍ରଦାନ କରାଯିବ। ଆଗ୍ରହୀ ବସ୍ ମାଲିକମାନେ ଏଥିନିମନ୍ତେ କିଭଳି ସୁବିଧାରେ ଆବେଦନ କରିବେ ଓ ଅନୁମତି ପାଇବେ ସେ ଦିଗରେ ଆଲୋଚନା କରାଯାଇଥିଲା। ବିଶେଷକରି, କଟକ-ଭୁବନେଶ୍ୱରରୁ ଅଧିକ ସଂଖ୍ୟକ ବସ୍ ପୁରୀ ଚଳାଚଳ କରିବା ଉପରେ ଗୁରୁତ୍ୱ ଦିଆଯିବ।

ନିର୍ଦ୍ଧାରିତ ବସ୍ ଭଡ଼ାଠାରୁ କୌଣସି ବସ୍ ଯାତ୍ରୀଙ୍କଠାରୁ ଅଧିକ ଭଡ଼ା ଦାବି କରିବାର ଅଭିଯୋଗ ଯେଭଳି ନ ଆସେ ସେ ଦିଗରେ ବସ ମାଲିକ ସଙ୍ଘ ଧ୍ୟାନ ଦେବାକୁ କହିଛନ୍ତି ପରିବହନ ଆୟୁକ୍ତ। ପୁରୀ ଯାଉଥିବା ଓ ପୁରୀରେ ଚଳାଚଳ କରୁଥିବା ସମସ୍ତ ବସ୍ ଓ ଅଟୋରେ ଭଡ଼ା ସଂପର୍କିତ ତଥ୍ୟ ପ୍ରଦର୍ଶିତ କରିବାକୁ ନିଷ୍ପତ୍ତି ଗ୍ରହଣ ହୋଇଛି। ଯେଭଳି କେହି ମନଇଚ୍ଛା ଭଡ଼ା ଆଦାୟ କରି ଯାତ୍ରୀଙ୍କୁ ହଇରାଣ ନ କରନ୍ତି ସେ ଦିଗରେ ପୁରୀ ପୁଲିସ ଓ ପୁରୀ ଆରଟିଓ ବିଶେଷ ଧ୍ୟାନ ଦେବାକୁ ନିଷ୍ପତ୍ତି ହୋଇଛି। ବସ୍ ରହଣି ସ୍ଥାନରେ ଅସ୍ଥାୟୀ ବିଶ୍ରାମାଗାର ସହ ପ୍ରଶାସନ ତରଫରୁ ମୌଳିକ ସୁବିଧା ଉପଲବ୍ଧ କରିବାକୁ ପଦକ୍ଷେପ ଗ୍ରହଣ କରାଯିବ।

ସେହିଭଳି ବସ୍ ଷ୍ଟପରେ ଯେଭଳି ଯାତ୍ରୀମାନଙ୍କ ସୁରକ୍ଷାକୁ ମଧ୍ୟ ପୁଲିସ ପକ୍ଷରୁ ଗୁରୁତ୍ୱ ଦିଆଯିବ। ଅସାମାଜିକମାନଙ୍କ ଉପରେ କଡ଼ା ନଜର ରଖାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସ୍ୱତନ୍ତ୍ର ଟିମ୍ ଗଠନ କରି ଯାତ୍ରୀଙ୍କ ସୁବିଧାକୁ ପୁରୀ, ଭୁବନେଶ୍ୱର, କଟକ ସମେତ ଅନ୍ୟାନ୍ୟ ସହରର ବସଷ୍ଟାଣ୍ଡରେ ମନିଟର କରାଯିବ। ଏହା ସହ ପୁରୀର ତାଳବଣିଆରେ ସିସିଟିଭି ମଧ୍ୟ ଲାଗିବ।

ବସମାନଙ୍କରେ ଫାଷ୍ଟଏଡ୍ କିଟ୍ ଓ ପର୍ଯ୍ୟାପ୍ତ ପରିମାଣର ଓଆରଏସ ମହଜୁଦ୍ ରହିବ ଓ ତାହା ଏସଟିଏ ପକ୍ଷରୁ ଯୋଗାଇ ଦିଆଯିବ। ଯାତ୍ରୀ ଓ ଯାତ୍ରୀବାହୀ ଗାଡ଼ିମାନଙ୍କ ସୁବିଧା ନିମନ୍ତେ ରଥଯାତ୍ରା ସମୟରେ ପୁରୀରେ ଆରଟିଓଙ୍କ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯିବ। ଏହାସହ ଗାଡ଼ି ମରାମତି ନିମନ୍ତେ ବିଭିନ୍ନ କମ୍ପାନୀଙ୍କ ସହଯୋଗ, କ୍ରେନ୍ ଓ ଆମ୍ବୁଲାନ୍ସ ସୁବିଧା ମଧ୍ୟ କରାଯିବ। ଶୃଙ୍ଖଳିତ ଟ୍ରାଫିକ ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯିବ।

ଜାତୀୟ ରାଜପଥରେ ଗହଳି ଆଶଙ୍କା ଥିବା ସ୍ଥାନ ଗୁଡ଼ିକରେ ସ୍ଵତନ୍ତ୍ର ଟିମ୍ ଦାୟିତ୍ୱରେ ରହିବେ। କୋଣାର୍କ- ପୁରୀ ରୁଟ୍ ପାଇଁ ସ୍ବତନ୍ତ୍ର ଟ୍ରାଫିକ କଟକଣା ଲାଗୁ ହେବ। ସମସ୍ତ ବିଭାଗ, ଗାଡ଼ି ମାଲିକ ଓ କର୍ମଚାରୀଙ୍କ ସହଯୋଗରେ ଜନସାଧାରଣଙ୍କୁ ଉତ୍ତମ ସେବା ପ୍ରଦାନ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ପରିବହନ ଆୟୁକ୍ତ। ତାଳବଣିଆରୁ ଜିଲ୍ଲା ହାଇସ୍କୁଲ ନିଃଶୁଳ୍କ ନେବା ଆଣିବା ପାଇଁ ପ୍ରଶାସନ ୧୦୦ ଅଟୋ ବ୍ୟବସ୍ଥା କରିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ଏହି ବୈଠକରେ ପୁରୀ ଏସପି, କଟକ ଡିସିପି, ଟ୍ରାଫିକ ଡିସିପି, ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀ, ବସ୍ ମାଲିକ ସଙ୍ଘ ପ୍ରତିନିଧି ଏବଂ ପରିବହନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

 puri | rath yatra | Cuttack

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe