ଆନ୍ଧ୍ରରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା କଇଁଛ; ଜଙ୍କିଆରେ ଧରିଲା ବନ ବିଭାଗ

କଇଁଛ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ପଶ୍ଚିମବଙ୍ଗ ଓ ବାଂଲାଦେଶ ସୀମା ବନଗାଁ ଥାନା ଅନ୍ତର୍ଗତ ମ୍ୟୁନିସପାଲିଟି ଅଞ୍ଚଳକୁ ଚାଲାଣ ହେଉଥିଲା। ସମୁଦାୟ ୧୨୦ଟି ଟ୍ରେରେ ମାତ୍ର ୧୦୦ କିଲୋ ମାଛ ଲୋକ ଦେଖାଣିଆ ଭାବେ ନେଉଥିବାବେଳେ ସମୁଦାୟ କଇଁଛ ୧୪୪୮ଟି ରହିଥିଲା।

ଅଦ୍ୟତନ ହୋଇଛି

ଜଂକିଆ: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ପଶ୍ଚିମବଙ୍ଗକୁ ଅଭିନବ ଉପାୟରେ କଇଁଛ ଚୋରାଚାଲାଣ ବିଫଳ ହୋଇଛି। ଲକ୍ଷ୍ୟସ୍ଥଳରେ କଇଁଛ ପହଞ୍ଚିବା ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ଜଂକିଆରେ ଧରାପଡ଼ିଛି। ଆୟକର ବିଭାଗ ଓ ବନ ବିଭାଗର ଚଢ଼ାଉ ବେଳେ ମାଛ ଓ କଇଁଛ ଜବତ ହୋଇଛି। ଚାଲାଣକାରୀମାନେ ବୁଦ୍ଧି ଲଗାଇ ଗାଡ଼ିର ତଳେ କଇଁଛ ରଖି ଉପରେ ମାଛ ରଖିଥିଲେ। 

ଦୈନଦିନ ୧୬ନଂ ଜାତୀୟ ରାଜପଥ ଦେଇ ଚୋରା ନିଶାଦ୍ରବ୍ୟ ଠାରୁ ଆରମ୍ଭ କରି କଣ୍ଟେନର ଭିତରେ ଗୋ ଚାଲାଣ, ଗୋ ମାଂସ ଯାଉଛି। ସେହିପରି ବିଭିନ୍ନ ସୌଖିନି ଚୋରା ଦ୍ରବ୍ୟ ସହିତ ରାଜ୍ୟ ରାଜ୍ୟ ବାହାରକୁ କଇଁଛ ଚାଲାଣ ଚାଲିଛି। କିନ୍ତୁ ସବୁ ଜାଣି ବିଭିନ୍ନ ବିଭାଗ ନୀରବ ଦ୍ରଷ୍ଟା ସାଜିବା ଯୋଗୁ ଦିନକୁ ଦିନ ଚୋରା ବେପାରୀଙ୍କ ମନୋବଳ ବୃଦ୍ଧି ପାଉଛି।

publive-image

ଆଜି  ଦିନ ସାଢେ଼ ଗୋଟାଏ ବେଳେ  ଆୟକର  ବିଭାଗ ଗୁଇନ୍ଦା ସଂସ୍ଥା ଏକ ଟ୍ରକ୍‌ରେ ବିପୁଳ ପରିମାଣର କଇଁଛ ଚୋରା ଚାଲାଣ ହେଉଥିବା ଖବର ବନ ବିଭାଗକୁ ସୂଚନା ଦେବା ପରେ ଉଭୟ ମିଳିତ ଭାବେ ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ଗୋଡ଼ିପଡା ଟୋଲଗେଟ ନିକଟରେ ଏକ ଟାଟା ୭୦୯ ଟ୍ରକ୍‌ (ଡବ୍ଲୁବି ୨୫ ଡି ୪୦୧୫)କୁ ଅଟକାଇଥିଲେ। ଏଥିରେ ସେମାନେ ଦେଖିବାକୁ ପାଇଥିଲେ କି ଉକ୍ତ ଟ୍ରକ୍‌ରେ ଉପରେ କିଛି ମାଛ ଥିବାବେଳେ ଅନ୍ୟ ଟ୍ରେ ଗୁଡ଼ିକରେ କଇଁଛ ଚାଲାଣ ହେଉଛି। ସଙ୍ଗେ ସଙ୍ଗେ ଉକ୍ତ ଗାଡିକୁ ସେଠାରୁ ଆଣି ବନ ବିଭାଗର ଭୂଷଣ୍ଡପୁର ବିଟ ମଧ୍ୟରେ ଅନୁସନ୍ଧାନ କରିଥିଲେ।

ସୂଚନାରୁ ଜଣାପଡିଥିଲା କି ଏହି କଇଁଛ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ପଶ୍ଚିମବଙ୍ଗ ଓ ବାଂଲାଦେଶ ସୀମା ବନଗାଁ ଥାନା ଅନ୍ତର୍ଗତ ମ୍ୟୁନିସପାଲିଟି ଅଞ୍ଚଳକୁ ଚାଲାଣ ହେଉଥିଲା। ସମୁଦାୟ ୧୨୦ଟି ଟ୍ରେରେ ମାତ୍ର ୧୦୦ କିଲୋ ମାଛ ଲୋକ ଦେଖାଣିଆ ଭାବେ ନେଉଥିବାବେଳେ ସମୁଦାୟ କଇଁଛ ୧୪୪୮ଟି ରହିଥିଲା। ସେଥିରୁ ୧୩୪୬ ଜୀବିତ ଥିବାବେଳେ ୧୦୨ଟି କଇଁଛଙ୍କ ମୃତ୍ୟୁ  ହୋଇଥିଲା।

ଜବତ କଇଁଛର ବଜାର ମୂଲ୍ୟ ଆନୁମାନିକ ୬ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡିଛି। ଗାଡି ଚାଳକ ମହାଦେବ ଦେ (୪୦)କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଏହି ଚଢ଼ାଉରେ ଖୋର୍ଦ୍ଧା ଏସିଏଫ୍ ସୁଶାନ୍ତ ବନ୍ଧ, ଏସିଏଫ୍‌ ତଥା ଟାଙ୍ଗି ଭାରପ୍ରାପ୍ତ ରେଞ୍ଜର ଦେବାଶିଷ ଭୋଇ ଓ ଆୟକର ବିଭାଗ ଗୁଇନ୍ଦା ସଂସ୍ଥା  ଅଣଓଡ଼ିଆ  ଅଧିକାରୀ, ଅନ୍ୟ ବନ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe