Looter arrested in Rairangpur Photograph: (sambad.in)
ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଗୁଳିକାଣ୍ଡ ଘଟଣା ଓ ଝାଡ଼ଖଣ୍ଡ ପେଟ୍ରୋଲ ପମ୍ପ୍ ଲୁଟ୍ ଘଟଣାରେ ପୁଲିସ ଆଉ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଦୁଇଦିନ ପୂର୍ବରୁ ମୁଖ୍ୟ ଆସାମୀ ଜଲ୍ଳା ଫିରୋଜ୍କୁ ଝାଡ଼ଖଣ୍ଡ ପୁଲିସ ଗିରଫ କରିଥିଲା। ରବିବାର ଦିନ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏନେଇ ଉଭୟ ଝାଡ଼ଖଣ୍ଡ ଓ ଗୋରୁମହିଷାଣି ପୁଲିସ ଆସାମୀମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଥିଲେ।
ଗୋରୁମହିଷାଣୀ ପୁଲିସ ରବିବାର ଦିନ ତିରିଂ ଥାନା ଅଞ୍ଚଳରୁ ଦୁଇଜଣ ଅଭିଯୁକ୍ତ ବିଂଝୁଆ ଗ୍ରାମର ଏସ.କେ ସଦ୍ଦାମ (ଛୋଟୁ) ଓ ଏସ.କେ ଅଫଜଲଙ୍କୁ ଗିରଫ କରିଛି। ଉଭାୟଙ୍କୁ ସୋମବାର ଦିନ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି। ଲୁଟ ଓ ଗୁଳିକାଣ୍ଡ ଘଟଣାରେ ବ୍ୟବହାର ହୋଇଥିବା ଦୁଇଟି ବାଇକ୍କୁ ପୁଲିସ୍ ଜବତ କରିଛି। ଏସଡିପିଓ ଗୋକୁଳାନନ୍ଦ ସାହୁ ଓ ଥାନା ଅଧିକାରୀ ଜଗନ୍ନାଥ ମୁଣ୍ଡା ଘଟଣାର ତଦନ୍ତ ଜାରି ରଖିଛନ୍ତି।
ସୂଚନା ଅନୁସାରେ, ଝାଡ଼ଖଣ୍ଡ ରାଜ୍ୟ ପୂର୍ବ ସିଂହଭୂମର ପୋଟକା ଥାନା ଅର୍ନ୍ତଗତ ହାତା ପେଟ୍ରୋଲ ପମ୍ପ୍ରେ ଗତ ୬ ତାରିଖ ସକାଳ ୯ ଟାରେ ୩ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ କର୍ମଚାରୀଙ୍କଠାରୁ ୩୦ ହଜାର ଟଙ୍କା ଲୁଟ କରିଥିଲେ। ଏହା ପରେ ଦୁର୍ବୃତ୍ତମାନେ ଏକ ବାଇକ୍ରେ ଦ୍ରୁତଗତିରେ ଆସି ଗୋରୁମହିଷାଣି ବଜାର ମଧ୍ୟରେ ଥିବା ସରକାରୀ ବିଦେଶୀ ମଦ ଦୋକାନୀ ସବ୍ୟସାଚି ମହାନ୍ତିଙ୍କୁ ଗୁଳିମାଡ଼ କରି ପ୍ରାୟ ୧ ଲକ୍ଷ ୨୫ ହଜାର ଲୁଟ କରି ଫେରାର ହୋଇଯାଇଥିଲେ। ଦୁର୍ବୃତ୍ତମାନେ ଛାଡି ଯାଇଥିବା ବାଇକ୍କୁ ପୁଲିସ ଜବତ କରିଥିଲା।
ପେଟ୍ରୋଲ ପମ୍ପ୍ ଲୁଟ୍ ଘଟଣା ସିସି କ୍ୟାମେରା ରେକର୍ଡ ହେବା ପରେ ପୁଲିସ ତନାଘନା ଆରମ୍ଭ କରିଥିଲା। ପରବର୍ତ୍ତୀ ସମୟରେ ଓଡ଼ିଶା, ଜାମସେଦପୁର ଓ ଷଢ଼େଇକଳା ପୁଲିସର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖୁଥିଲା। ଶୁକ୍ରବାର ଘାଟଶିଲା ଏସପିଙ୍କ ନେତୃତ୍ବରେ ପୁଲିସ ଖବର ପାଇ ଚାକୁଳିଆ ରେଳ ଷ୍ଟେସନ ପରିସରରେ ଚଢ଼ଉ କରି ପୋଟକା ପେଟ୍ରୋଲ ପମ୍ପ୍ ଲୁଟ୍ ଓ ଗୋରୁମହିଷାଣି ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ କାପାଲି ବାସିନ୍ଦା ଜଲ୍ଲା ଫିରୋଜକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ତେବେ ଘଟଣାରେ ସଂପୃକ୍ତ ଅନ୍ୟ ଆସାମୀମାନେ ମଧ୍ୟ ଖୁବ୍ ଶୀଘ୍ର ଧାରାଡ଼ିବେ ବୋଲି ପୁଲିସ କହିଛି।
Mayurbhanj | Crime | Police
Follow Us