ଡାବୁଗାଁ/ ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଚକଲାପଦର ପଞ୍ଚାୟତ ଅନ୍ତର୍ଗତ ବରକିଭଟା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଖାଦ୍ୟରେ ବିଷକ୍ରିୟା ଯୋଗୁ ବରକିଭଟା ଗ୍ରାମର ଏକ ଅସ୍ଥାୟୀ କ୍ୟାମ୍ପରେ ରହି କାର୍ଯ୍ୟ କରୁଥିବା ବିହାରର ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଦୁଇ ଶ୍ରମିକ ସମ୍ପର୍କୀୟ ଦାଦା-ପୁତୁରା ବୋଲି ଜଣାପଡ଼ିଛି। ମୃତକମାନେ ହେଲେ ରାକେଶ ସାଦା (୧୮) ଓ ଶ୍ରୀୟା ସାଦା (୨୦)।
ସୂଚନା ଅନୁଯାଇ ବିହାର ସାରସା ଜିଲ୍ଲା ଅନ୍ତର୍ଗତ ତେଲବଦାଭର୍ଣ ଗ୍ରାମର ପ୍ରାୟ ୧୪ ଜଣ ଶ୍ରମିକ ଝରିଗାଁ ବ୍ଲକର ୬ ଗୋଟି ପାନୀୟ ଜଳ ପ୍ରକଳ୍ପ ଓଭର ହେଡ ପାଣି ଟାଙ୍କି ନିର୍ମାଣ କରିବାକୁ ଗତ ୫୦ ଦିନ ହେଲା ଆସି ବରାକିଭଟା ଏକ ଅସ୍ଥାୟୀ କ୍ୟାମ୍ପ ରେ ରହି କାର୍ଯ୍ୟ କରୁଥିଲେ। ଗତକାଲି ରାତ୍ର ଭୋଜନ ସମସ୍ତେ କରିବା ପରେ ଶୋଇ ପଡ଼ିଥିଲେ। ତେବେ ରାତ୍ର ୧୧ଟାରେ ହଠାତ୍ ରାକେଶ ସାଦା ଓ ଶ୍ରୀୟା ସାଦାଙ୍କୁ ଅଳ୍ପ ସମୟ ବ୍ୟବଧାନରେ ବାନ୍ତି ସହ ପେଟ ବ୍ୟଥା ହୋଇଥିଲା। ଦୁହେଁ ଦାଦା ପୁତୁରା ଗୁରୁତର ଅସୁସ୍ଥ ହୋଇଯିବା ପରେ ସେମାନଙ୍କୁ ପ୍ରଥମେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।
ତେବେ ସେଠାରେ ଦୁହିଁଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ପରେ ଦୁଇଟି ଏମ୍ବୁଲାନ୍ସ ଯୋଗେ ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଡାବୁଗାଁ ନିକଟରେ ରାତ୍ର ୩ଟା ୩୦ରେ ରାକେଶ ସାଦା ଅତ୍ୟଧିକ ଗୁରୁତର ପରେ ତାଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ରାକେଶଙ୍କୁ ମୃତ ଘୋଷଣା କରିଥିଲେ।
ସେହିପରି ବଡି ଭୋର ୪ଟା ୩୦ରେ ନବରଙ୍ଗପୁର ଜିଲ୍ଲା ସରକାରୀ ଡାକ୍ତରଖାନାରେ ଶ୍ରୀୟା ସାଦା ପହଞ୍ଚିବା ପରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଝରିଗାଁ ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ କେଉଁ କାରଣରୁ ଦୁଇ ଶ୍ରମିକ ଦାଦା ପୁତୁରା ଙ୍କ ମୃତ୍ୟୁ ଘଟିଛି ତାହା ଅସ୍ପଷ୍ଟ ରହିଛି।
Nabarangpur | dead
Follow Us