୨ଭାଇଙ୍କୁ ଭୁଜାଲିରେ ଆକ୍ରମଣ କରି ଲୁଟିନେଲେ ଟଙ୍କା ଓ ମୋବାଇଲ

ବାଛୁରୀପଡ଼ା ଗ୍ରାମର ପ୍ରଦୀପ ସାହୁ ଓ ତାଙ୍କ ଭାଇ ଦିଲ୍ଲୀପ ସାହୁ ବାଲେଶ୍ବର ଜିଲ୍ଲା ରୁପ୍ସାରେ ଥିବା ନିଜ ଦୋକାନ ବନ୍ଦ କରି ଘରକୁ ଫେରୁଥିବାବେଳେ ଲୁଟ୍‌ର ଶିକାର ହୋଇଛନ୍ତି।

loot1

ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଇଲାକାରେ ଚୋରି ଓ ଲୁଟ୍‌ ଘଟଣା ଥମିବାର ନାମ ଧରୁନିl ବିଗତ କିଛିଦିନ ଧରି ବୈଶିଙ୍ଗା ଉପକଣ୍ଠ ଦାହିବାଡ଼ି ସାପ୍ତାହିକ ହାଟରୁ ଲଗାତାର ବାଇକ ଚୋରି ହୋଉଥିବାବେଳେ ମାତ୍ର କିଛି ଦିନର ବ୍ୟବଧାନ ପରେ ବୈଶିଙ୍ଗା-ମାଣତ୍ରୀ ରାସ୍ତାରେ ପୁଣି ମାତିଲେ ଲୁଟେରାl ଗୁରୁବାର ରାତି ୧୦ଟା ୩୦ରେ ଉକ୍ତ ରାସ୍ତାର ବାଛୁରୀପଡା ଛକ ନିକଟରେ ଦୁଇଭାଇଙ୍କୁ ଅଟକାଇ ଭୁଜାଲିରେ ଆକ୍ରମଣ କରିବା ସହିତ ଲୁଟିନେଲେ ଟଙ୍କା ଓ ମୋବାଇଲl

ସୂଚନା ଅନୁଯାଇ ଗତକାଲି ବାଛୁରୀପଡ଼ା ଗ୍ରାମର ପ୍ରଦୀପ ସାହୁ ଓ ତାଙ୍କ ଭାଇ ଦିଲ୍ଲୀପ ସାହୁ ବାଲେଶ୍ବର ଜିଲ୍ଲା ରୁପ୍ସାରେ ଥିବା ନିଜ ଦୋକାନ ବନ୍ଦ କରି ଘରକୁ ଫେରୁଥିବାବେଳେ ରାତି ପ୍ରାୟ ୧୦ଟା ୩୦ରେ ବଙ୍ଗାଳଡାହି ଛକ ନିକଟରେ ପଛ ପଟରୁ ହଟାତ ୨ଟି ବାଇକରେ କିଛି ଦୁର୍ବୃତ୍ତ ଆସି ତାଙ୍କୁ ଆକ୍ରମଣ କରିଥିଲେl ପରେ ଦୁଇ ଭାଇଙ୍କୁ ଭୟଭୀତ କରାଇ ତାଙ୍କ ନିକଟରେ ଥିବା ନଗଦ ୧ଲକ୍ଷ ୧୦ହଜାର ଟଙ୍କା ସମେତ ମୋବାଇଲ, ଦୋକାନ ଚାବି, ବାଇକ ଚାବି ଓ ଜରୁରୀ କାଗଜ ପତ୍ର ନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେl 

ତେବେ ଦୁଇ ଭାଇ ସ୍ଥାନୀୟ ଲୋକଙ୍କ ସହାୟତାରେ ବୈଶିଙ୍ଗା ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ମଧ୍ୟ ରାତ୍ରିରେ ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ ଦେଇଥିଲେl ପରେ ପୁଲିସ ପେଟ୍ରୋଲିଙ୍ଗ ଟିମ୍‌ ଉକ୍ତ ରାସ୍ତାରେ ଯାଇ ତନାଘନା କରିଥିଲେ ବି ଲୁଟେରାଙ୍କର କିଛି ସନ୍ଧାନ ମିଳିନଥିଲାl ପୁଲିସ ଏନେଇ ୩୯୮/୨୫ନଂରେ ଏକ ମାମଲା ରୁଜୁ କରି ଲୁଟେରାଙ୍କୁ ଧରିବାର ପ୍ରୟାସ ଜାରି ରଖିଛିl

ସୂଚନାଯୋଗ୍ୟ, ବିଗତ ୧ମାସ ପୁର୍ବରୁ ଏହି ରାସ୍ତାରେ ଯାଉଥିବା ଯାତ୍ରୀ ସମାନ ଧରଣର ୬ଥର ଲୁଟର ଶିକାର ହୋଇଥିଲା। କିଛିଦିନର ବ୍ୟବଧାନ ପରେ ପୁଣି ଲୁଟେରା ସକ୍ରିୟ ହେବା ଯୋଗୁଁ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛିl ଅନ୍ୟପଟେ ଦାହିବାଡି ସପ୍ତାହିକ ହାଟରୁ ବାଇକ ଚୋରି ନିତିଦିନିଆ ଘଟଣାl ଏହି ହାଟରୁ ଗତ ଶନିବାର ୩ଟି ବାଇକ ଚୋରି ହୋଇଥିବାବେଳେ ବୁଧବାର ୧ଟେ ବାଇକ ଚୋରି ହୋଇଯାଇଛିl

Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe