ଭୁବନେଶ୍ବର: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ଜାଉ ଖାଇ ଦୁଇଜଣଙ୍କ ମୃତ୍ୟୁ ଘଟଣାରେ ଓଡିଶା ମାନବାଧିକାର କମିସନ (ଓଏଚ୍ଆରସି) ଅବଗତ ହୋଇଛନ୍ତି। ଆମ୍ବ ଟାକୁଆ ଜାଉ ଖାଇ ଦୁଇ ଜଣଙ୍କ ମୃତ୍ୟୁ ଘଟଣାରେ ପ୍ରଦୀପ୍ତ ନାୟକ, ହରପ୍ରିୟା ପଟେଲ, ରଂଜିତ କୁମାର ପାତ୍ର ଓ ସୁନୀଲ କୁମାର ରଥ ଓଏଚ୍ଆରସିରେ ଅଭିଯୋଗ ଆଣିଛନ୍ତି। ଏହି ୪ଟି ଅଭିଯୋଗ କ୍ରମେ ଓଏଚ୍ଆରସି ମାମଲା ରୁଜୁ କରି ରାଜ୍ୟ ସରକାରଙ୍କୁ ତଲବ କରିଛନ୍ତି।
ଓଏଚ୍ଆରସି ରାଜ୍ୟ ସରକାରଙ୍କ ଖାଦ୍ୟ ଓ ଯୋଗାଣ ବିଭାଗ ସଚିବ, ସ୍ବାସ୍ଥ୍ୟ ବିଭାଗ ସଚିବ ଏବଂ କନ୍ଧମାଳ ଜିଲ୍ଲାପାଳଙ୍କୁ ନୋଟିସ୍ ଜାରି କରିଛନ୍ତି। ଡିସେମ୍ବର୨୦ ସୁଦ୍ଧା ରିପୋର୍ଟ ଦେବାକୁ ମାନବାଧିକାର କମିସନର ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ କନ୍ଧମାଳ ଜିଲ୍ଲାର ଆଦିବାସୀ ଲୋକ ଅନାହର ନରହିବା ସହ ଯେପରି ଆମ୍ବ ଟାକୁଆ ନ ଖାଆନ୍ତୁ ସେନେଇ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆର୍ଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ଅନ୍ୟ ଜଣ ଅସୁସ୍ଥ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ଏବେ ବି କଟକ ଏସ୍ସିବିରେ ଚିକିତ୍ସାଧୀନ ଅଛନ୍ତି।
ଆମ୍ବ ଟାକୁଆ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁ ପରେ ଯେଉଁ ଖାଦ୍ୟ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା, ତାର ରିପୋର୍ଟ ଏବେ ସାମ୍ନାକୁ ଆସିଛି। ଲାବୋରେଟୋରୀ ଟେଷ୍ଟ ରିପୋର୍ଟରୁ ଜଣାପଡ଼ିଛି ଯେ, ଖାଦ୍ୟ ବିଷାକ୍ତ ହେବାର କାରଣ ମାରାତ୍ମକ H2S ଅର୍ଥାତ ହାଇଡ୍ରୋଜେନ୍ ସଲଫାଇଡ୍।
ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଗୋଟିଏ ପରିବାରର ଗତ ୩୦ତାରିଖ ଦିନ ଆମ୍ବଟାକୁଆରେ ପ୍ରସ୍ତୁତ ଖାଦ୍ୟ ଖାଇଥିଲେ। ଆମ୍ବଟାକୁଆ ଜାଉ ଖାଇବାର କିଛି ସମୟ ପରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୬ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ତାନାନ୍ତରିତ କରାଯିବା ସମୟରେ କୁମ୍ଭାରା ମାଝୀଙ୍କ ଝିଅ ରୁନି ମାଝୀ (୩୦) ଓ ଅନିଲ ପାଟମାଝୀଙ୍କ ଝିଅ ରମିତା ପାଟମାଝୀ(୨୮)ଙ୍କ ବାଟରେ ମୃତ୍ୟୁ ହୋଇଥିଲା।
ଗୁରୁତରମାନେ ହେଲେ ପ୍ରଭାତୀ ମାଝୀ(୩୨), ସୁସନା ମାଝୀ( ୩୫), ଦିଶ ମାଝୀଙ୍କ ପତ୍ନୀ ଜିତା ମାଝୀ (୩୦), କୁପିସା ପାଟମାଝୀଙ୍କ ସ୍ତ୍ରୀ ଦ୍ରେଙ୍ଗାଲୁ ପାଟମାଝୀ (୫୫), କୁମ୍ଭାରା ମାଝୀଙ୍କ ପତ୍ନୀ ଜୀବନ୍ତି ପାଟମାଝୀ (୩୦) ଓ ସୁବୋଧ ମାଝୀଙ୍କ ପତ୍ନୀ ଟୁନି ମାଝୀ(୪୫)। ମୃତକ ଓ ୬ ଗୁରୁତର ସମସ୍ତେ ମହିଳା। ଏଥିରୁ ୨ ଜଣ ଗୁରୁତର ଥିବାରୁ ଏସ୍ସିବିରେ ଚିକିତ୍ସାଧୀନ ଅଛନ୍ତି।
Follow Us