କାଳିଆପାଣି: ଜଙ୍ଗଲରେ ୨ ବୟସ୍କ ଦନ୍ତାହାତୀ ପରସ୍ପର ସହ ଲଢ଼ିବା ଛାଡ଼ି ଭାଇ ଭଳି ବିଭିନ୍ନ ଗ୍ରାମ୍ୟ ଜଙ୍ଗଲରେ ବୁଲୁଥିବାର ବିରଳ ଦୃଶ୍ୟ ଦେଖାଯାଉଛି। କଟକ ବନଖଣ୍ଡ ଟମକା ବନାଞ୍ଚଳ ଡୁବୁରି ଓ ଟମକା ସେକ୍ସନର ବିଭିନ୍ନ ଗ୍ରାମ୍ୟ ଜଙ୍ଗଲରେ ୨ ଦିନ ଧରି ଏମିତି ସାଥୀହୋଇ ବୁଲୁଛନ୍ତି ଢେଙ୍କାନାଳ ବନଖଣ୍ଡ କପିଳାସ ଅଭୟାରଣ୍ୟର ବାହୁବଳୀ ଦନ୍ତା ଓ ଭୁବନ ବନାଞ୍ଚଳରୁ ଆସିଥିବା ଅନ୍ୟ ଏକ ଦନ୍ତାହାତୀ।
ଗତକାଲି ଠାରୁ ଦନ୍ତା ଦ୍ବୟ ସୁକିନ୍ଦା ବନାଞ୍ଚଳର ସଂସାଇଲୋ ଗ୍ରାମ୍ୟ ଜଙ୍ଗଲ ଅତିକ୍ରମ କରି ଡୁବୁରି ବନାଞ୍ଚଳର ଡୁବିଖାଲ, ଶ୍ରୀରାମପୁର, ସାହାପୁର ଓ ଶଗଡ଼ଗୁଳା ଜଙ୍ଗଲରେ ରହିଥିଲେ। ଉଭୟ ଟମକା ସେକ୍ସନର କମଳାବାହାଳି, ବେଣାପାଟିଆ, ତାରି, ଦୁର୍ଗାପୁର, ଫୁଲଝର, ଟମକା ଓ ପାଣୁବାହାଳି ବୁଲିବୁଲି ସଂଧ୍ୟାରୁ ସମରପିଟା ଜଙ୍ଗଲରେ ବୁଲୁଥିବା ଦେଖାଯାଇଛି।
ସୁକିନ୍ଦାଗଡ଼ ଓ ଏହା ପାର୍ଶ୍ବସ୍ଥ ବିଭିନ୍ନ ଜଙ୍ଗଲରେ ଗତ ୨୯ ତାରିଖରୁ ୮ ଦିନ ଧରି ୨ ବଣୁଆ ଦନ୍ତା ସହ ମାଈହାତୀ ଥାଇ ୩ ଟିକିଆ ହାତୀପଲ ବେଧଡ଼କ ବୁଲିଥିଲେ। ଶନିବାର ସକାଳୁ ସାଥୀ ଦନ୍ତାକୁ ଛାଡ଼ି ମାଈହାତୀଟି ଦକ୍ଷିଣଦିଗରେ ଭୁବନ ବନାଞ୍ଚଳକୁ ଫେରି ଜଙ୍ଗଲ ପାର୍ଶ୍ବସ୍ଥ ବିଭିନ୍ନ ଗାଁରେ ଉପଦ୍ରବ କରୁଥିବା ଅଭିଯୋଗ ହୋଇଛି।
ସାଥୀହରା ଦନ୍ତା ଉତ୍ତରଦିଗକୁ ମୁହାଁଇ ବନ ବିଭାଗରେ ବାହୁବଳୀ ନାଁରେ ପରିଚିତ ଗୋଠଛଡ଼ା ଅନ୍ୟ ଦନ୍ତାହାତୀ ସହ ମିଶି ଯାଇଥିଲା। ୨ ଦନ୍ତା ମୁହାଁମୁହିଁ ହୋଇ ଲଢ଼େଇ କରିବା ଆଶଂକା ଥିବାରୁ କଟକ ଡିଏଫ୍ଓ ଅନିଲ କୁମାର ରାୟଙ୍କ ନିର୍ଦ୍ଦେଶରେ ରେଞ୍ଜର କିଶୋର କୁମାର ପାଣିଗ୍ରାହୀ, ବନପାଳ ମାଣିକ ମୁଣ୍ଡା ଓ ଲକ୍ଷ୍ମୀଧର ନାୟକଙ୍କ ନେତୃତ୍ବରେ ୨୦ ଜଣିଆ ସ୍ବତନ୍ତ୍ର ବନବାହନୀ ୨ ଦନ୍ତାଙ୍କୁ ପାଖେପାଖେ ଜଗି ରହିଛନ୍ତି। ଏ ସଂପର୍କରେ ବନ୍ୟପ୍ରାଣୀ ବିଶେଷଜ୍ଞ ଭଦ୍ରକ ଡିଏଫ୍ଓ ସୌଭାଗ୍ୟ କୁମାର ସାହୁଙ୍କୁ ପଚାରିବାରେ ୨ ଅପରିଚିତ ଦନ୍ତାହାତୀ ଜଙ୍ଗଲରେ ପରସ୍ପରକୁ ନୂଆକରି ଭେଟିଥିଲେ ହେଁ ସାଥୀହୋଇ ବୁଲିବାର ଦୃଶ୍ୟ କ୍ବଚିତ ବୋଲି କହିଥିଲେ। ତେବେ ସଂକଟ ସମୟରେ ସାଂପ୍ରତିକ ପରିସ୍ଥିତିକୁ ନେଇ ବନ୍ୟପ୍ରାଣୀ ବି ପରିବର୍ତ୍ତନସାଧ୍ୟ ଆଚରଣ କରିପାରେ ବୋଲି ସେ କହିଥିଲେ।
Jajpur
Follow Us