ଆୟ ପ୍ରମାଣପତ୍ର ପାଇଁ ଲାଞ୍ଚ: ରାଜସ୍ବ ନିରୀକ୍ଷକ, ସହ ନିରୀକ୍ଷକଙ୍କୁ କାରାଦଣ୍ଡ

ଏକ ଲାଞ୍ଚ ମାମଲାର ବିଚାର କରି ସୁନ୍ଦରଗଡ଼ ସ୍ବତନ୍ତ୍ର ଦୁର୍ନୀତି ନିବାରଣ ଅଦାଲତ (ଭିଜିଲାନ୍ସ କୋର୍ଟ) ଗୁରୁଣ୍ଡିଆ ବ୍ଲକ ସୋଲ ରାଜସ୍ବ ମଣ୍ଡଳର ପୂର୍ବତନ ରାଜସ୍ବ ନିରୀକ୍ଷକ ବସନ୍ତ କୁମାର ମିଶ୍ର ଓ ତତ୍କାଳୀନ ସହକାରୀ ରାଜସ୍ବ ନିରୀକ୍ଷକ ଶିଶିର କୁମାର ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

New Project (27)

ସୁନ୍ଦରଗଡ଼: ଏକ ଲାଞ୍ଚ ମାମଲାର ବିଚାର କରି ସୁନ୍ଦରଗଡ଼ ସ୍ବତନ୍ତ୍ର ଦୁର୍ନୀତି ନିବାରଣ ଅଦାଲତ (ଭିଜିଲାନ୍ସ କୋର୍ଟ) ଗୁରୁଣ୍ଡିଆ ବ୍ଲକ ସୋଲ ରାଜସ୍ବ ମଣ୍ଡଳର ପୂର୍ବତନ ରାଜସ୍ବ ନିରୀକ୍ଷକ ବସନ୍ତ କୁମାର ମିଶ୍ର ଓ ତତ୍କାଳୀନ ସହକାରୀ ରାଜସ୍ବ ନିରୀକ୍ଷକ ଶିଶିର କୁମାର ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେ ଦୁଇ କର୍ମଚାରୀଙ୍କୁ ୪ ବର୍ଷ ଲେଖାଏଁ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଲେଖାଏ ଜରିମାନା ଆଦାୟ ପାଇଁ ଆଦେଶ ଦେଇଛନ୍ତି। ଜରିମାନା ଅନାଦାୟେ କାରାଦଣ୍ଡ ଆହୁରି ୪ ମାସ ବୃଦ୍ଧି ହେବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।  

ଲାଞ୍ଚୁଆ ଅଧିକାରୀ ଶ୍ରୀ ମିଶ୍ର ଅବସର ନେଇଥିବାବେଳେ ଶ୍ରୀ ବେହେରା ଏବେ ରାଜଗାଙ୍ଗପୁର ତହସିଲରେ ଅତିରିକ୍ତ ରାଜସ୍ବ ନିରୀକ୍ଷକ ଅଛନ୍ତି।

ମାମଲାର ବିବରଣୀ ଅନୁସାରେ, ଗୁରୁଣ୍ଡିଆ ତହସିଲ ଅନ୍ତର୍ଗତ ସୋଲ ମଣ୍ଡଳର ପୂର୍ବତନ ରାଜସ୍ବ ନିରୀକ୍ଷକ ବସନ୍ତ କୁମାର ମିଶ୍ର ଓ ତତ୍କାଳୀନ ସହ ରାଜସ୍ବ ନିରୀକ୍ଷକ ଶିଶିର କୁମାର ବେହେରା ଅଭିଯୋଗକାରୀ ପୂର୍ଣ୍ଣଚନ୍ଦ୍ର ବିଲୁଙ୍ଗଙ୍କ ଠାରୁ ୧ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଅଭିଯୋଗକାରୀ ଶ୍ରୀ ବିଲୁଙ୍ଗ ନିଜର ଆୟ ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ। ତାହା ପ୍ରଦାନ କରିବା ପାଇଁ ତାଙ୍କ ଠାରୁ ଲାଞ୍ଚ ଦାବି କରିଥିଲେ ଉଭୟ ସରକାରୀ ବାବୁ।

ଏ ନେଇ ଶ୍ରୀ ବିଲୁଙ୍ଗ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଏହା ପରେ ଯୋଜନା ମୁତାବକ ୧୪.୩ .୨୦୧୪ରେ ଲାଞ୍ଚ ଦେଲା ବେଳେ ନିକଟରେ ଛକିଥିବା ଭିଜିଲାନ୍ସ ଉଭୟ ରାଜସ୍ବ ନୀରିକ୍ଷକ ଓ ସହକାରୀ ରାଜସ୍ବ ନୀରିକ୍ଷକଙ୍କୁ ମାଡ଼ି ବସିଥିଲା। ମାମଲାର ବିଚାର ଚାଲିଥିବାବେଳେ ୨୨ ତାରିଖ ଶୁକ୍ରବାର ଏହାର ଶୁଣାଣି କରି ଅଦାଲତ ଦଣ୍ଡାଦେଶ କରିଛନ୍ତି। ରାୟ ପ୍ରକାଶ ପରେ ଉଭୟଙ୍କୁ ଜିଲ୍ଲା କାରାଗାରକୁ ପଠାଇ ଦିଆଯାଇଛି। ଉକ୍ତ ମାମଲାର ତଦନ୍ତ ପୂର୍ବତନ ସୁନ୍ଦରଗଡ଼ ୟୁନିଟ ଭିଜିଲାନ୍ସ  ଡିଏସପି ପରମେଶ୍ବର କିଶାନ କରିଥିବା ବେଳେ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପି ପି ଶ୍ୟାମ ସୁନ୍ଦର ମିଶ୍ର ମାମଲା ପରିଚାଳନା କରିଥିଲେ। ମାମଲାରେ ସନ୍ଦୀପ ପଣ୍ଡା, ସହାୟକ ପି.ପି. ସହଯୋଗ କରିଥିଲେ।

court | sundargarh 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe