ବୁର୍ଲାରେ ଡାକ୍ତରୀ ପାଠ ପଢୁଥିଲେ; ଜଳପ୍ରପାତରେ ବୁଡ଼ିଗଲେ ୨ଛାତ୍ରଛାତ୍ରୀ

ଦେବଝରଣରେ ପୁଣି ଅଘଟଣ ଘଟିଛି। ହର୍ଷୋଲ୍ଲାସିତ ହୋଇ ଝରଣା ପାଣିରେ ‌ଗାଧୋଇବା ବେଳେ ଦୁଇ ଜଣ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି। ସାଙ୍ଗସାଥୀମାନଙ୍କ ସହିତ ଗାଧୋଇବା ବେଳେ ଡାକ୍ତରୀ ଛାତ୍ର ଓ ଛାତ୍ରୀଙ୍କର ମୃତ୍ୟୁ ଘଟିଛି।

New Project (18)

ଯୁଯୁମୁରା: ଦେବଝରଣରେ ପୁଣି ଅଘଟଣ ଘଟିଛି। ହର୍ଷୋଲ୍ଲାସିତ ହୋଇ ଝରଣା ପାଣିରେ ‌ଗାଧୋଇବା ବେଳେ ଦୁଇ ଜଣ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଆଜି ଅପରାହ୍‌ଣ ସମୟରେ ସାଙ୍ଗସାଥୀମାନଙ୍କ ସହିତ ଗାଧୋଇବା ବେଳେ ଡାକ୍ତରୀ ଛାତ୍ର ଓ ଛାତ୍ରୀଙ୍କର ମୃତ୍ୟୁ ଘଟିଛି। ମୃତ ଦୁଇ ଛାତ୍ରଛାତ୍ରୀ ବୁର୍ଲା ଭୀମସାରର ସନ୍ଦୀପ ପୁରୀ (୨୪) ଓ ମୋନିକା ମୀନା (୨୪)। ସନ୍ଦୀପ ମୂଳତଃ ନୂଆଦିଲ୍ଲୀର ନଜଫଗଡ଼ ଅଞ୍ଚଳର ଓ ମୋନିକା ରାଜସ୍ଥାନର ମାଉଣ୍ଟଆବୁର ‌ବୋଲି ଜଣାପଡ଼ିଛି।  

ସୂଚନା ଅନୁସାରେ ଆଜି ପୂର୍ବାହ୍‌ଣରେ ବୁର୍ଲାସ୍ଥିତ ଭୀମସାରର ୬ ଜଣ ଛାତ୍ରଛାତ୍ରୀ ଯୁଯୁମୁରା ଥାନା ଅଧୀନ ଦେବଝରଣ ଜଳପ୍ରପାତକୁ ବୁଲିବାକୁ ଆସିଥିଲେ। ପ୍ରାକୃତିକ ପରିବେଶ ମଧ୍ୟରେ କୁଳୁକୁଳୁ ଝରଣାରେ ଗାଧୋଇବେ ବୋଲି ବହୁତ ଖୁସି ଥିଲେ। ବର୍ଷାଦିନ ଯୋଗୁଁ ଏବେ ଝରଣାରେ ଜଳଧାରା ଅଧିକ ଥିବା ଏମାନେ ଜାଣିପାରି ନଥିଲେ। କୌଣସି କାରଣରୁ ସନ୍ଦୀପ ଓ ମୋନିକା ବୁଡ଼ିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। 

ସମ୍ବଲପୁର ଜିଲ୍ଲାର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳ ହେଉଛି ଯୁଯୁମୁରା ବ୍ଲକ୍‌ କୟାକୁଦ ପଞ୍ଚାୟତ ଅନ୍ତର୍ଗତ ଦେବଝରଣ ଜଳପ୍ରପାତ। ରାଜ୍ୟ ସରକାର ଏହାକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେଇଛନ୍ତି। ବଣଭୋଜି ପାଇଁ ଏଠାରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକଙ୍କ ଭିଡ଼ ହୋଇଥାଏ। ଏହି ପ୍ରାକୃତିକ ଜଳପ୍ରପାତ ଏବେ ବିପଦରେ। ୫୫ ନମ୍ବର ଜାତୀୟ ରାଜପଥରୁ ୫ କିଲୋମିଟର ଯିବା ପରେ ଏହି ମନୋରମ ଜଳପ୍ରପାତ ଦୃଶ୍ୟମାନ ହୁଏ। ସବୁଜ ବନାନୀଘେରା ପାହାଡ଼ କୋଳରେ କୁଳୁକୁଳୁ ନାଦ କରି ବହି ଯାଉଥିବା ଏହି ଝରଣା ପର୍ଯ୍ୟଟକଙ୍କ ପାଇଁ ଏକ ପ୍ରମୁଖ ଆକର୍ଷଣର କେନ୍ଦ୍ରବିନ୍ଦୁ। ବର୍ଷା ଓ ଶୀତ ଦିନରେ ଏଠାକାର ସବୁଜ ପରିବେଶ ଲୋକମାନଙ୍କୁ ବାନ୍ଧି ରଖିଥାଏ।

ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଏକ ମାମଲା ରୁଜୁ କରିଛି। ଘଟଣାସ୍ଥଳରେ ବୁର୍ଲା ମେଡିକାଲ୍‌ ଅଧୀକ୍ଷକ ଓ ଡିନ୍‌ ପହଞ୍ଚି ତଦାରଖ କରିଛନ୍ତି। 

ସୂଚନଯୋଗ୍ୟ, ଦେବଝରଣରେ ପର୍ଯ୍ୟଟକ ବୁଡ଼ିଯିବା ଏବଂ ପରେ ମୃତ୍ୟୁ ହେବା ଘଟଣା ନୂଆ ନୁହେଁ। ପୂର୍ବରୁ ମଧ୍ୟ ଏଠାରେ ଅନେକ ଥର ଏହି ଭଳି ଅଘଟଣ ଘଟିଛି। 

Sambalpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe