ଭୁବନେଶ୍ବର (ଶିବଶଙ୍କର ଓଝା): ଓଲିଉଡରେ ଅନେକ ସମୟରେ ପୁରୁଣା ଟାଇଟଲକୁ ନେଇ ନୂଆ ଓଡ଼ିଆ ସିନେମା ତିଆରି ହୋଇଛି। ଏବେ ସେହି ଧାରାରେ ସାମିଲ ହୋଇଛି ଆଉ ଦୁଇଟି ନୂଆ ଓଡ଼ିଆ ଛବି। ଉପରୋକ୍ତ ଦୁଇ ଛବି ସଂପର୍କରେ କିଛି ସୂଚନା...
ଅତୀତରେ ମା, ଜଗା ହାତରେ ପଘା, ଗପ ହେଲେ ବି ସତ, ସୁନା ସଂସାର, ଜନ୍ମଦାତା, କିଏ କାହାର, ଜୀବନସାଥୀ, ସମୟ ବଡ଼ ବଳବାନ, ଓ ଅରୁନ୍ଧତୀ ଆଦି ଟାଇଟଲରେ କିଛି ବର୍ଷର ବ୍ୟବଧାନରେ ଦୁଇ ଥର ଓଡ଼ିଆ ସିନେମା ମୁକ୍ତିଲାଭ କରିଛି। ଏବେ ଏଭଳି ଦୁଇଟି ପୂର୍ବରୁ ନିର୍ମିତ ଶୀର୍ଷକରେ ଦୁଇଟି ଓଡ଼ିଆ ଛବି ପାଇପଲାଇନରେ ରହିଛି।
‘ପବିତ୍ର ବନ୍ଧନ’: ‘ପବିତ୍ର ବନ୍ଧନ’ ଶୀର୍ଷକ ୧୯୯୯ରେ ନିର୍ଦ୍ଦେଶକ ରବି କିନ୍ନାଗୀ ଏକ ଓଡ଼ିଆ ଛବି ନିର୍ମାଣ କରିଥିଲେ। ଦୀପୁ ଲେଙ୍କା, ରବି କିନ୍ନାଗୀ ଓ ପ୍ରଦୀପ ଭୋଳ ଏହାର ପ୍ରଯୋଜନା କରିଥିଲେ। ଏଥିରେ ମିହିର ଦାସ, ରଚନା, ସ୍ମିତା ମହାନ୍ତି, ପ୍ରଦ୍ୟୁମ୍ନ ଲେଙ୍କା, ବାଙ୍କୁ ଓ ନମ୍ରତା ଦାସ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଅମରେନ୍ଦ୍ର ମହାନ୍ତି ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ସୁନ୍ଦର ପାରିବାରିକ କାହାଣୀକୁ ନେଇ ନିର୍ମିତ ଏହି ଓଡ଼ିଆ ଛବି ଦର୍ଶକଙ୍କ ଦ୍ବାରା ଆଦୃତ ବି ହୋଇଥିଲା।
ଏବେ ସେହି ‘ପବିତ୍ର ବନ୍ଧନ’ ଶୀର୍ଷକରେ ଏକ ନୂଆ ଓଡ଼ିଆ ସିନେମା ନିର୍ମିତ ହୋଇଛି, ଯାହାର ନିର୍ଦ୍ଦେଶକ ହେଲେ ବରିଷ୍ଠ ନିର୍ଦ୍ଦେଶକ ହିମାଂଶୁ ପରିଜା(ଚଣ୍ଡୀ)। ସିଦ୍ଧାର୍ଥ ମୁଭିଜ୍ ବ୍ୟାନରରେ ନିର୍ମାଣାଧୀନ ଏହି ଓଡ଼ିଆ ଛବିର ପ୍ରଯୋଜନା କରିଛନ୍ତି ସୀତାରାମ ଅଗ୍ରୱାଲ୍। ଏହାର ସଂଳାପକାର ହେଲେ ଡକ୍ଟର ନିର୍ମଳ ନାୟକ। ଏଥିରେ ଦୀପକ, ରୀୟା, କୁକିଜ୍ ସ୍ବାଇଁ, ପୃଥ୍ବୀରାଜ, ପ୍ରଜ୍ଞା, ପ୍ରଦ୍ୟୁମ୍ନ ଲେଙ୍କା, ନମ୍ରତା ଦାସ ଓ ନମିତା ଦାସ ପ୍ରମୁଖ ଅଭିନୟ କରିଛନ୍ତି। ବୈଦ୍ୟନାଥ ଦାଶ ଏହାର ସଙ୍ଗୀତକାର।
ଏହି ସିନେମାର କାହାଣୀ ରବି କିନ୍ନାଗୀଙ୍କ ‘ପବିତ୍ର ବନ୍ଧନ’ ସହ ସମାନ। ଏଣୁ ‘ପବିତ୍ର ବନ୍ଧନ’ ଟାଇଟଲ୍ ରଖାଯାଇଛି। ହେଲେ ସମୟର ଆବଶ୍ୟକତାକୁ ଆଖି ଆଗରେ ରଖି ଏହାକୁ ଆଧୁନିକ ରୂପ ଦିଆଯାଇଛି ବୋଲି ନିର୍ଦ୍ଦେଶକ ହିମାଂଶୁ ପରିଜା(ଚଣ୍ଡୀ) କହିଛନ୍ତି।
୪୯ ବର୍ଷ ପରେ ପୁଣି ଥରେ ‘ରକ୍ତ ଗୋଲାପ’
ପ୍ରାୟ ୪୯ ବର୍ଷ ପରେ ପୁଣି ଥରେ ‘ରକ୍ତ ଗୋଲାପ’ ଟାଇଟଲରେ ଏକ ନୂଆ ଓଡ଼ିଆ ଛବି ପରଦାକୁ ଆସୁଛି। ୧୯୭୭ ମସିହାରେ ସମାନ ଶୀର୍ଷକରେ ଏକ ଓଡ଼ିଆ ଛବି ମୁକ୍ତିଲାଭ କରିଥିଲା। ଏଥିରେ ସୁରେଶ ମିଶ୍ର, ଶ୍ରୀରାମ ପଣ୍ଡା, ବନଜା ମହାନ୍ତି, ରାଧା ପଣ୍ଡା ଓ ରମେଶ ପାଣିଗ୍ରାହୀ ପ୍ରମୁଖ ଅଭିନୟ କରିଥିଲେ। ଭିମେଶ୍ବର ରାଓ ଏହାର ନିର୍ଦ୍ଦେଶକ। ବିଭୂତି ମିଶ୍ର ଓ ଶଶାଙ୍କ ଶେଖର ମିଶ୍ର ଥିଲେ ଏହାର ପ୍ରଯୋଜକ। ଧନଞ୍ଜୟ ଶତପଥୀ ଏଥିରେ ସ୍ବର ସଂଯୋଜନା କରିଥିଲେ।
ଆହୁରି ପଢ଼ନ୍ତୁ: Online Delivery Workers Strike: ଜିରୋ ନାଇଟ୍ ସେଲିବ୍ରେସନ ଆଗରୁ ଧର୍ମଘଟର ଚେକ୍ ! ଜାଣନ୍ତୁ କଣ ରହିଛି ଡେଲିଭରି ବୟଙ୍କ ଦାବି...
ଏବେ ଯେଉଁ ନୂଆ ‘ରକ୍ତ ଗୋଲାପ’ ନିର୍ମିତ ହୋଇଛି, ସେଥିରେ ଏଲିନା, ଅଭିଷେକ ଗିରି, ଚୌଧୁରୀ ଜୟପ୍ରକାଶ ଦାସ, ସମରେଶ ରାଉତରାୟ, ଉଦିତ ଗୁରୁ ଓ ହର ରଥ ପ୍ରମୁଖ ଅଭିନୟ କରିଛନ୍ତି। ଏଥରେ ପ୍ରଥମ ଥର ପାଇଁ ଏଲିନାଙ୍କ ବିପକ୍ଷରେ ଅଭିଷେକ ଗିରିଙ୍କୁ ଦେଖିବାକୁ ମିଳିବ। ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ‘ଡାଲଚିନି’, ମିଶିରି’ ଓ ‘ଫାଲଗୁନ ଚଇତ୍ର’ ଫେମ୍ ଶିଶିର କୁମାର ସାହୁ -ପିନାକୀ ସିଂହ ରାଜପୁତ ଯୋଡ଼ି। ଅଶ୍ରୁଜିତ ମହାପାତ୍ର ଓ ଶୋଭନ ଦାସ ଏହାର ପ୍ରଯୋଜକ। ଅମିତ କୁମାର ଦାଶ ଓ ଅନିଲ ବାରିକ ଏହାର ଚିତ୍ରନାଟ୍ୟ ଏବଂ ସଂଳାପ ଲେଖିଛନ୍ତି। ଆଶିଷ ପ୍ରଧାନ ଏହାର ସଙ୍ଗୀତକାର।
୧୯୭୭ ମସିହାରେ ମୁକ୍ତିପ୍ରାପ୍ତ ‘ରକ୍ତ ଗୋଲାପ’କୁ ଆଶାନୁରୂପ ବ୍ୟାବସାୟିକ ସଫଳତା ମିଳିନଥିଲା। ଏବେ ଦେଖିବା କଥା ନୂଆ ‘ରକ୍ତ ଗୋଲାପ’ କ୍ଷେତ୍ରରେ କ’ଣ ଘଟୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2026/01/02/pabitra-bandhana-new-2026-01-02-10-26-24.jpg)