ବଜ୍ରପାତ: ବାପା-ମା’ ଆଗରେ ଆଖିବୁଜିଲା ପୁଅ, ଦଶମ ଛାତ୍ର ଉପରେ ଖସିଲା ବଜ୍ର

ରାଜେଶ ଗୌଡ଼ ବଜ୍ରପାତର ସାମ୍ନା କରିଥିଲେ। ବଜ୍ରପାତ ଯୋଗୁଁ ସେ ହଠାତ ତଳେ ପଡ଼ି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Lightning in Odisha

Lightning in Odisha Photograph: (sambad.in)

ବ୍ରହ୍ମପୁର/ବ୍ରହ୍ମଗିରି: ରାଜ୍ୟରେ ବିଗତ ୨ଦିନ ହେଲା କାଳବୈଶାଖୀ ଜାରି ରହିଛି। ଏହାର ପ୍ରଭାବରେ ବର୍ଷା, ଘଡ଼ଘଡ଼ି ହୋଇଛି। ଘରଦ୍ବାରା ଭାଙ୍ଗିଛି। ତଳିଆ ଅଞ୍ଚଳରେ ଜଳଭତର୍ତ୍ତି ହୋଇଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ଆଜି ବଜ୍ରାଘାତରେ ଜଣେ ଦଶମ ଶ୍ରେଣୀ ଛାତ୍ରର ସମେତ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିମାନେ ହେଲେ ରାଜେଶ ଗୌଡ଼ ଓ ମନୋଜ କୁମାର ନାୟକ। 

ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଧୀନ ବମକେଇରୁ ନାରାୟଣପୁର ଫେରୁଥିବା ସମୟରେ ରାଜେଶ ଗୌଡ଼ ବଜ୍ରପାତର ସାମ୍ନା କରିଥିଲେ। ବଜ୍ରପାତ ଯୋଗୁଁ ସେ ହଠାତ ତଳେ ପଡ଼ି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ରାଜେଶ ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ। ରେଜଲ୍ଟ ଆସିବା ପୂର୍ବରୁ ତାଙ୍କର ମୃତ୍ୟୁ ନେଇ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏହି ଘଟଣା ପରିବାର ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି। 

ପୁରୀ ଜିଲ୍ଲା ବ୍ରହ୍ମଗିରିରେ.କାଳବେଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ଲାଗି ରହିଛି। ବ୍ରହ୍ମଗିରି ଥାନା ଗୋବର୍ଦ୍ଧନପୁର ଗାଁର ଦୁଃଶାସନ ନାୟକ ଓ ତାଙ୍କ ପତ୍ନୀ ନିଜ ଗାଁ ପାଖରେ ଥିବା ପୋଟଳ କିଆରୀରୁ ପାଣି ନିଷ୍କାସନ ପାଇଁ ଯାଇ ଥିଲେ ଅଧିକ ବର୍ଷା ଓ ବଜ୍ରପାତ ହେବାରୁ ବଡ଼ ପୁଅ ମନୋଜ ନାୟକ (୨୩) ଏକ କୋଦାଳ ନେଇ କ୍ଷେତକୁ ଯାଇ ଥିଲେ କ୍ଷେତର ଗୋଟିଏ ପଟ ହିଡ଼ରେ ମନୋଜ ପାଣି ନିଷ୍କାସନ କରୁ ଥିବା ବେଳେ ଅନ୍ୟ ପଟହିଡ଼ରେ ବାପା-ମା’ ଛିଡ଼ା ହୋଇ ଥିଲେ। ହଠାତ ବଜ୍ରପାତ ମନୋଜଙ୍କ ଉପରେ ହୋଇ ଥିଲା ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଓ ଗାଁ ଲୋକେ ଏକ ଅଟୋରେ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣି ଥିଲେ ସେଠାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପୁରୀ ସଦର ଚିକିତ୍ସାଳୟକୁ ନିଆ ଯାଇ ଥିଲା ଡାକ୍ତର ସେଠାରେ ମନୋଜଙ୍କୁ ମୃତ ଘୋଷଣା କରିଛନ୍ତି। 

ପାଣିପାଗ ନେଇ ସତର୍କ ସୂଚନା

କାଳବୈଶାଖୀ ପ୍ରଭାବରେ ହୋଇଥିବା ବର୍ଷା କାରଣରୁ ତାତିରେ ବ୍ରେକ୍‌ ଲଗିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ଆହୁରି ଦୁଇ ଦିନ ପ୍ରବଳ ବର୍ଷା ହୋଇପାରେ। ପାଣିପାଗ ବିଭାଗ ବଙ୍ଗୋପସାଗରରୁ ଆସୁଥିବା ଆର୍ଦ୍ର ବାୟୁ, ପଶ୍ଚିମା ଦିଗରୁ ଆସୁଥିବା ଶୁଷ୍କ ବାୟୁର ସମ୍ମିଶ୍ରଣ ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ କୁଆପଥର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି। ଆସନ୍ତା ୨୪ ଘଣ୍ଟା ପାଇଁ ଜଗତ୍‌ସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ, ଦେଓଗଡ଼, ସୁନ୍ଦରଗଡ଼କୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। କୁଆପଥର ସହ ବିଜୁଳି ଘଡଘଡି ବର୍ଷା ହେବ। ଏହାସହ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ମୟୂରଭଞ୍ଜ, କେନ୍ଦୁଝରକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରବଳ ବର୍ଷାକୁ ନଜରରେ ରଖି ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। 

ବ୍ରହ୍ମପୁରରେ ରୋଗୀ ସେବା ବାଧାପ୍ରାପ୍ତ

ବ୍ରହ୍ମପୁରରେ ପ୍ରବଳ ବର୍ଷା ହୋଇଛି। ଏମ୍‌କେସିଜି ମେଡିକାଲରେ ପାଣି ପଶିଛି। ଏଠାରେ ଟିକେଟ୍‌ କାଉଣ୍ଟରରେ ବର୍ଷାପାଣି ପଶିଥିବା ଯୋଗୁଁ କାର୍ଯ୍ୟ ବନ୍ଦ ରହିଛି। କାମ ବନ୍ଦ ହୋଇପଡ଼ିବା ଯୋଗୁଁ ରୋଗୀ ଓ ସମ୍ପର୍କୀୟ ହନ୍ତସନ୍ତ ହୋଇଥିବା ଦେଖିବାକୁ ମିଳିଛି। ଏପରିକି କାଉଣ୍ଟରରେ ପାଣି ଜମିବା ପରେ କିଛି ଲୋକ ପାଣିରେ ଡଙ୍ଗା ଭସାଇଛନ୍ତି। ମେଡିକାଲର ଆଉଟଡୋରର ଅନେକ ୱାର୍ଡରେ ମଧ୍ୟ ବର୍ଷା ପାଣି ପ୍ରବେଶ କରିବା ଦ୍ବାରା ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। ସେପଟେ ସହର ସାରା ପ୍ରବଳ ବର୍ଷାରେ ବଡ଼ ବଡ଼ ଗଛ ସବୁ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି। 

Lightning | puri | ganjam

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe