ଦୁର୍ଗମରେ ଗାଧୋଇବା କାଳ ହେଲା: ଯୁବକ ମୃତ, ଯୁବ ଇଞ୍ଜିନିୟର ନିଖୋଜ

ଜୀବନକୁ ସାମାନ୍ୟ ଅଣଦେଖା କଲେ, କେତେବେଳେ ଯେ, କ’ଣ ହେବ, ତାହା କହିହେବ ନାହିଁ। ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ବନ୍ଧଗାଁ ଓ ଲେମ୍ବୋ ପଞ୍ଚାୟତ କୋଇଲ ଗାଁ ପାଖ ପାହାଡ଼ଖୋଲରେ ଗାଧୋଇବାକୁ ଆସି ବୁଡ଼ି ଯାଇଛନ୍ତି ୨ ଜଣ ସ୍ଥାନୀୟ ଯୁବକ।

New Project (24)

କାଳିଆପାଣି (ରବି ନାରାୟଣ କର): ଜୀବନ ଅମୂଲ୍ୟ। ଏହି ଅମୂଲ୍ୟ ସଂପତ୍ତିକୁ ପ୍ରତି ମୁହୂର୍ତ୍ତରେ ଯତ୍ନ ନେବାର ଆବଶ୍ୟକତା ଅଛି। ସାମାନ୍ୟ ଅଣଦେଖା କଲେ, କେତେବେଳେ ଯେ, କ’ଣ ହେବ, ତାହା କହିହେବ ନାହିଁ। ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ବନ୍ଧଗାଁ ଓ ଲେମ୍ବୋ ପଞ୍ଚାୟତ କୋଇଲ ଗାଁ ପାଖ ପାହାଡ଼ଖୋଲରେ ଗାଧୋଇବାକୁ ଆସି ବୁଡ଼ି ଯାଇଛନ୍ତି ୨ ଜଣ ସ୍ଥାନୀୟ ଯୁବକ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣେ ଯୁବ ଇଞ୍ଜିନିୟର ନିଖୋଜ ଅଛନ୍ତି। ମୃତକ ଜଣକ ଲେମ୍ବୋ କାଞ୍ଜିଆପାଳ ଗାଁର କ୍ଷୁଦ୍ରଚାଷୀ ପୁନିଆଁ ପ୍ରଧାନଙ୍କ ପୁଅ ଶମ୍ଭୁ ପ୍ରଧାନ(୨୨)। ୬ ଘଣ୍ଟା ଧରି ସେହି ସ୍ଥାନରୁ ନିଖୋଜ ଥିବା ଯୁବକ ଜଣକ ବନ୍ଧଗାଁ କୋଇଲ ଗାଁର ଇଂ ମାନସ ମହାନ୍ତ।

ଅଙ୍ଗନବାଡ଼ି କର୍ମୀ ଦମୟନ୍ତୀ ମହାନ୍ତ ଓ ବିଏ ବିଇଡି ଡିଗ୍ରିଧାରୀ କୃଷକ ମନମୋହନ ମହାନ୍ତଙ୍କ ପୁଅ ମାନସ ବିଟେକ୍‌ ପରେ ବେଙ୍ଗାଲୁରୁରେ ଚାକିରି କରୁଥିଲେ। ଶମ୍ଭୁ +୨ ପାସ୍‌ କରି ଡିଗ୍ରି ପଢ଼ା ସହ ଚାକିରି ଯୋଜନାରେ ଥିଲେ। 

କଟକ ବନଖଣ୍ଡ ସୁକିନ୍ଦା ରେଞ୍ଜ୍ ମହାଗିରି ପର୍ବତମାଳା ମଧ୍ୟସ୍ଥ ଏହି ସ୍ଥାନରେ ବର୍ଷାଦିନିଆ ଜଳପ୍ରପାତ ସୃଷ୍ଟି ହୋଇଥାଏ। ଭୂମି ପତନରୁ ପାଖାପାଖି ୩ ଶହ ଫୁଟ ଉଚ୍ଚରେ ଥିବା ଏହି ସୁଦୃଶ୍ୟ ଜଳ ପ୍ରପାତ ତଳେ ଥିବା ପାହାଡ଼ଖୋଲରେ ପ୍ରବାହମାନ ତୀଖ ଝରଣାରେ ବିପଜ୍ଜନକ ଭାବେ ଏକ ଗଭୀର ଗଣ୍ଡ ରହିଥିବା ଜଣାପଡ଼ିଛି। ଗତବର୍ଷ ଠାରୁ ରିଲ୍‌ ନିଶାରେ ବହୁ ଯୁବକ ଯୁବତୀ ଏଠାକୁ ଆସୁଥିବା କୁହାଯାଉଛି।

ଆଜି ସକାଳ ୧୦ଟା ସମୟରେ ୩ ସାଙ୍ଗ ଶମ୍ଭୁ, ମାନସ ଓ ନାବାଳକ ବୁତୁରୁ ମହାନ୍ତ ଏକାଠି ଏଠାକୁ ଗାଧୋଇବାକୁ ଆସିଥିଲେ। ଶମ୍ଭୁ ଓ ମାନସ ପ୍ରଥମେ ପାଣିକୁ ଡେଇଁଥିଲେ। ବିପଜ୍ଜନକ ପରିସ୍ଥିତିକୁ ଦେଖି ଶଂକାଗ୍ରସ୍ତ ବୁତୁରୁ ୨ ସାଙ୍ଗଙ୍କ ସୁରକ୍ଷିତ ଫେରିବାକୁ ଅପେକ୍ଷା କରିଥିଲେ। ହେଲେ ସାଙ୍ଗମାନେ ଗଣ୍ଡରୁ ନଉଠିବା ଦେଖି ବୁତୁରୁ ପରିବାର ଲୋକ ଓ ଗ୍ରାମବାସୀଙ୍କୁ ଫୋନ କରିଥିଲେ। ଅପରାହ୍ଣ ଗୋଟାଏ ସମୟରେ ସୁକିନ୍ଦା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପ୍ରତିକୂଳ ପରିସ୍ଥିତିରେ ଶମ୍ଭୁଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ। ଏହାପରେ ଅଗ୍ନିଶମ ବାହିନୀର ସନ୍ଧାନୀ ଲୁହା ଉପକରଣ(କଙ୍କଡ଼ାଯନ୍ତ୍ର) ସେଠାରେ ପାହାଡ଼ ଖୋଲରେ ଲାଗି ହଜି ଯାଇଥିଲା। ଏଣୁ ପାର୍ଶ୍ବସ୍ଥ ଢେଙ୍କାନାଳ ଜିଲ୍ଲା ଭୁବନ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଥିବା ସୂଚନା ମିଳିଛି। ସେହିପରି ସୁକିନ୍ଦା ପୁଲିସ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି। 

 Jajpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe