Union Minister Dharmendra Pradhan wish to CBSE studens. Photograph: (sambad.in)
ଭୁବନେଶ୍ୱର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ଚଳିତବର୍ଷ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି ଯେ ଚଳିତବର୍ଷ ସିବିଏସଇ ଦ୍ୱାଦଶ ଓ ଦଶମ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆଜିର ଦିନ ଏକ ସ୍ମରଣୀୟ ଦିନ। ଉଲ୍ଲାସ, ପରିଶ୍ରମ, ସମର୍ପଣ ଏବଂ ଧୈର୍ଯ୍ୟକୁ ଖୁସିରେ ପାଳନ କରିବାର ଅବସର। ବିଗତ ବର୍ଷ ଧରି ଛାତ୍ରୀମାନଙ୍କର ପରୀକ୍ଷାରେ ପ୍ରଦର୍ଶନ ଉଲ୍ଲେଖନୀୟ।
ଚଳିତବର୍ଷ ମଧ୍ୟ ଛାତ୍ରୀମାନେ ଛାତ୍ରମାନଙ୍କ ଠାରୁ ବହୁତ ଭଲ କରିଛନ୍ତି। ଏହା ଉଭା ହେଉଥିବା ନୂଆ ଭାରତର ଏକ ଶକ୍ତିଶାଳୀ ପ୍ରତିବିମ୍ବ, ଯେଉଁଥିରେ ଛାତ୍ରୀମାନଙ୍କର ଆଶା ସଫଳତାରେ ପରିଣତ ହେଉଛି। ସିବିଏସଇ ଦ୍ୱାଦଶରେ ପାସ ହାର ୮୮.୩୯ ପ୍ରତିଶତ ଏବଂ ସିବିଏସଇ ଦଶମରେ ୯୩.୬୬ ପ୍ରତିଶତ ରହିଛି। ଏହି ସଫଳତା ପୂର୍ବ ବର୍ଷମାନଙ୍କ ଠାରୁ କ୍ରମାଗତ ଭାବେ ବୃଦ୍ଧି ପାଉଛି, ଯାହା ଶୁଭ ସଙ୍କେତ। ସମସ୍ତ ଛାତ୍ରଛାତ୍ରୀମାନେ ଆଗାମୀ ଦିନମାନଙ୍କରେ ନିଜର କର୍ତ୍ତବ୍ୟ ପାଳନ କରିବା ପାଇଁ ପରାମର୍ଶ ଦେବା ସହ ଶ୍ରୀ ପ୍ରଧାନ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।
ସେହିପରି ପୃଥକ ଟ୍ୱିଟରେ ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ ଯେ ନୂଆ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ସିବିଏସଇ ବୋର୍ଡ ପରୀକ୍ଷାଗୁଡିକ ଆୟୋଜନ କରାଯାଉଛି। ଟେକ୍ନୋଲୋଜି ସୁବିଧା ଦ୍ୱାରା ଦକ୍ଷତା ଆଧାରିତ ମୂଲ୍ୟାଙ୍କନରେ ଗୁରୁତ୍ୱ ଦିଆଯାଇଛି।
Education | Dharmendra Pradhan
Follow Us