ରାଉରକେଲା: ସ୍ଥାନୀୟ ପୁଲିସକୁ ହାତବାରିସିକରି ସବୁ ନିୟମର ଖୋଲା ଉଲ୍ଲଂଘନ କରୁଥିଲା ସିଭିଲ୍ଟାଉନସିପ୍ସ୍ଥ ‘ହୁଡ୍ଦଙ୍ଗ୍’ ବାର୍। ନାବାଳକ/ନାବଳିକାଙ୍କୁ ମଦ ଯୋଗାଉଥିଲା। ମହିଳାଙ୍କ ନୃତ୍ୟଗୀତ ପାଇଁ ଲେଡିଜ୍ ନାଇଟ୍ ଆୟୋଜନ କରୁଥିଲା। ଏମିତିକି ବିଳମ୍ବିତ ରାତି ୧/୨ଟା ଯାଏ ଅନାୟାସରେ ଚାଲିଥିଲା କାରବାର। ତେବେ ଦିନକପୂର୍ବେ ଏହି ବାର୍ ସିଲ୍ ହେବାପରେ ଏହାର କଳାକାରନାମା ଉପରୁ ପରଦା ଉଠିବାରେ ଲାଗିଛି।
ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଦେଇଥିବା ନାବାଳିକା ଦୁଷ୍କର୍ମ ଘଟଣାର ମୂଳଦୁଆ ଏହି ହୁଡ୍ଦଙ୍ଗ ବାର୍ରୁ ହିଁ ପଡ଼ିଥିଲା। ଗତ ୨୨ ତାରିଖ ରାତିରେ ପାୱାରହାଉସ୍ ଅଞ୍ଚଳର ନାବାଳିକା ଦୁଇଜଣ ପୁରୁଷ ବନ୍ଧୁଙ୍କ ସହ ଏହି ବାର୍କୁ ଆସିଥିଲେ। ସେଠାରେ ଆଉଜଣେ ବନ୍ଧୁ ପହଞ୍ଚିଥିଲା। ବାର୍ ତିନି ଅଭିଯୁକ୍ତ ନାବାଳିକାଙ୍କୁ ମଦ ପିଆଇଥିଲେ। ଏତିକିବେଳେ ବାର୍ରେ ଉପସ୍ଥିତ ଥିବା ଆଉଜଣେ ଅଭିଯୁକ୍ତ ନାବାଳିକାଙ୍କ ସହ ଅସଦାଚରଣ କରିଥିଲା। ବାର୍ ଭିତରେ ହିଁ ନାବାଳିକାଙ୍କ ପ୍ରତି ଅସଦାଚରଣର ଶିକାର ହୋଇଥିବା ସତ୍ତ୍ବେ କେହି ପ୍ରତିବାଦ କରିନଥିଲେ। ସମସ୍ତେ ଦେଖି ଚୁପ୍ ରହିଥିଲେ। ଅଭିଯୁକ୍ତ ଅସଦାଚରଣ କରୁଥିବାର ଦୃଶ୍ୟ ସିସିଟିଭି ଫୁଟେଜ୍ରେ କଏଦ୍ ହୋଇଯାଇଥିବା ପୁଲିସ ସ୍ପଷ୍ଟ କରିଛି। ଏଠାରେ ପ୍ରଶ୍ନ ଉଠେ, ନାବାଳକ/ନାବଳିକାଙ୍କୁ ମଦ ବିକ୍ରି ବେନିୟମଥିବାବେଳେ ନାବାଳିକାଙ୍କୁ ମଦ ଦିଆଗଲା କେମିତି?
ବାର୍ ଭିତରେ ଜଣେ ନାବାଳିକା ଅସଦାଚରଣ ହେବାସତ୍ତ୍ବେ ବାର୍ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡ଼ିଲାନି କେମିତି? ସଂପୂର୍ଣ୍ଣ ଅସୁରକ୍ଷିତ ପରିବେଶରେ ବ୍ୟବସାୟ କରୁଥିବା ବାର୍ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ପଛର କାରଣ? ବାସ୍ତବରେ ‘ହୁଡ୍ଦଙ୍ଗ ବାର୍’ ଡ୍ୟାନ୍ସବାର୍ଠାରୁ କୌଣସି ଗୁଣରେ କମ୍ ନଥିଲା।
ମହିଳା ଗ୍ରାହକଙ୍କ ପାଇଁ ‘ଲେଡିଜ୍ ନାଇଟ୍’ ଆୟୋଜନ କରାଯାଉଥିଲା। ପୁରୁଷ ଗ୍ରାହକଙ୍କ ପାଇଁ ଏଣ୍ଟ୍ରି ଫି’ ହଜାରେ ଟଙ୍କା ଧାର୍ଯ୍ୟ କରାଯାଇଥିବାବେଳେ ମହିଳାମାନଙ୍କ ପାଇଁ କିନ୍ତୁ ସଂପୂର୍ଣ୍ଣ ମାଗଣା ରହିଥିଲା। ଏମିତିକି ମହିଳାମାନଙ୍କ ପାଇଁ ୧/୨ଟି ସଟ୍ ମଦ ମାଗଣା ବି ଦିଆଯାଉଥିଲା। ମହିଳାଙ୍କୁ ମାଗଣାରେ ମଦ ଦେଇ ସେମାନଙ୍କୁ ମଦ୍ୟପାନ ପ୍ରତି ପ୍ରୋତ୍ସାହିତ କରୁଥିଲା। ଡିଜେ ନାଇଟ୍ ନାଁରେ ପୁରୁଷ/ମହିଳାଙ୍କ ନୃତ୍ୟ ସମଗ୍ର ଅଞ୍ଚଳକୁ ଥରହର କରୁଥିଲା। ସ୍ଥାନୀୟ ପୁଲିସର ପରୋକ୍ଷ ସମର୍ଥନରେ ଏଠାରେ ବିଳମ୍ବିତ ରାତି ଯାଏ ମଦ୍ୟପାଦ ସହ ନୃତ୍ୟଗୀତ ଜମୁଥିଲା। ଉକ୍ତ ଅଞ୍ଚଳରେ ଦୁଇଜଣ ପୁଲିସ କର୍ମଚାରୀ ନିୟମିତଭାବେ ପହରା ବି ଦେଉଥିଲେ। ବହୁମାସ ହେଲା ଏଭଳି ଅନୈତିକ ବେପାର ଚାଲୁଥିବା ସତ୍ତ୍ବେ ପୁଲିସର ଦୃଷ୍ଟିନପଡ଼ିବା ପଛରେ, ବାର୍ ମାଲିକ ଓ ପୁଲିସର ଅସାଧୁ ମେଣ୍ଟ ଲୁଚିରହିଥିବା ନେଇ ଚର୍ଚ୍ଚା ଜୋର୍ଧରିଛି।
Follow Us